November 23, 2024

ବୁଗୁଡ଼ା ବ୍ଲକ୍ ସ୍ଥରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ

Share

ବୁଗୁଡ଼ା ବ୍ଲକ୍ ସ୍ଥରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ
ବୁଗୁଡ଼ା : ତା ୦୧/୦୮/୨୩ : ସ୍ଥାନୀୟ ବୁଦ୍ଧଗିରି ବିଦ୍ୟାପୀଠ ପରିସରରେ ବୁଗୁଡ଼ା ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଦର୍ଶନୀକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ ଚିନ୍ମୟ ମହାପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ , ବିଡିଓ ବାସୁଦେବ ନାୟକ , ତହସିଲଦାର ତାପସ ରାଉତ , କେ.ନୀଳମାଧବ ଆଚାରି ପ୍ରମୁଖ ଯୋଗ ଦେଇ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତକାରୀଙ୍କୁ ଉତ୍ସାହିତ କରିଥିଲେ ।
ଉକ୍ତ ପ୍ରଦର୍ଶନୀରେ ବୁଗୁଡ଼ା ବ୍ଲକର ପ୍ରାଥମିକ , ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଆଦି ତିନୋଟି ବର୍ଗର ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଶତାଧିକ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା ବେଳେ ବିଚାରକ ଭାବେ ଭଞ୍ଜନଗର ବି.ଏଡ୍.କଲେଜ ପ୍ରଫେସର ପ୍ରମୋଦ କୁମାର ଦାଶ ଓ ଆସିଷ୍ଟାଣ୍ଡ ପ୍ରଫେସର ରଞ୍ଜନ କୁମାର ନାୟକ ଯୋଗ ଦେଇ ଉତ୍କୃଷ୍ଟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିବା ବିଦ୍ୟାଳୟ ଗୁଡିକୁ ଚୟନ କରିଥିଲେ ।
ପ୍ରାଥମିକ ବିଦ୍ୟାଳୟ ବର୍ଗରେ କେ.ପଥରାପଲ୍ଲୀ, ମତାଝରି ଓ ଖୁଦପଲ୍ଲୀ ବିଦ୍ୟାଳୟ , ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବର୍ଗରେ ଆଦିପୁର , ବେଲପୁର ଓ ତାମ୍ବିରି ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ବର୍ଗରେ ବୁଦ୍ଧଗିରି ବିଦ୍ୟାପୀଠ , କରସିଂ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ଆଦି ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲା ବେଳେ ସମସ୍ତ ଅଂଶଗ୍ରହଣକାରୀ ବିଦ୍ୟାଳୟକୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।
ଏବିଇଓ ସିମାଞ୍ଚଳ ସେଠୀ ଓ ଅମିତା ପାଢୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସ୍ବରୂପ ରଞ୍ଜନ ମହାନ୍ତି ପରିଚାଳନା କରିଥିବା ବେଳେ ବିଭିନ୍ନ କ୍ଲଷ୍ଟରର ସିଆରସିସି ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।