June 10, 2026

ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ: ସକାଳେ କୋର୍‌ କମିଟି ବୈଠକ, ମଧ୍ୟାହ୍ନରେ ପୁରୀ ଯିବେ

IMG-20260518-WA0000
Share

 

 

ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ସୋମବାର ସକାଳ ସାଢ଼େ ୮ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଯାଇ କୋର୍ କମିଟି ବୈଠକରେ ଯୋଗଦେବେ । ସେଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଦୀର୍ଘ ଦିନ ଧରି ବୋର୍ଡ ଓ ନିଗମ ସଭାପତି ଘୋଷଣା ଝୁଲି ରହିଛି । ପୁଣି ଆଗକୁ ସରକାରକୁ ଦୁଇ ବର୍ଷ ପୂରିବାକୁ ଯାଉଛି । ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ଅନେକ ନେତା ଚାହିଁ ବସିଛନ୍ତି । ଏହି ଦୁଇ ପ୍ରସଙ୍ଗ ଉପରେ ସେ କୋର୍ କମିଟି ସଦସ୍ୟଙ୍କ ସହ ଚର୍ଚ୍ଚା କରିବେ ବୋଲି ସୂଚନା ମିଳିଛି ।

 

କୋର୍ କମିଟି ବୈଠକ ପରେ ସେ ଜଟଣୀ ଯାଇ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଉଦ୍ଘାଟନ କରିବେ । ମଧ୍ୟାହ୍ନରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ସେଠାରେ ମହାପ୍ରସାଦ ସେବନ କରିବେ । ଅପରାହ୍ନରେ ପୁଣି ଭୁବନେଶ୍ୱର ଫେରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ ମୋର୍ଚ୍ଚା ସଭାପତି, ମନ୍ତ୍ରୀ ଓ ସାଂସଦଙ୍କ ବୈଠକରେ ଯୋଗଦେବେ ବୋଲି ସୂଚନା ମିଳିଛି । ବିଜେପି ଆସନ୍ତା ୧୦୦ ବର୍ଷ ପାଇଁ ତାର ପ୍ରସ୍ତୁତି କରୁଛି । ଏଥିପାଇଁ ସବୁ କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସି ସମସ୍ତଙ୍କୁ ସୁଶାସନ ମନ୍ତ୍ର ଦେବେ ବୋଲି ବିଜେପିର ରାଜ୍ୟ ସଭା ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି ।

 

 

 

ରବିବାର ରାତି ୧୦ଟା ୪୦ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ତଥା ସାଂସଦ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବାଚସ୍ପତି ସୁରମା ପାଢ଼ୀ, ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ା, ସାଂସଦ ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ଦିଲ୍ଲୀପ ରାୟଙ୍କ ସମେତ ବିଜେପିର ବରିଷ୍ଠ ନେତା ବିମାନବନ୍ଦରରେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିମାନରେ ଶ୍ରୀ ନବୀନଙ୍କ ସହ ଆସିଥିଲେ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ନିକଟରେ ବିଜେପି ପଶ୍ଚିମବଙ୍ଗ ଓ ଆସାମରେ ବଡ଼ ବିଜୟ ପାଇଛି। ଏଣୁ ପଞ୍ଚାୟତ ଓ ଆଗାମୀ ପୌର ନିର୍ବାଚନ ଦଳ କିଭଳି ବଡ଼ ବିଜୟ ପାଇବ, ସେଥିପାଇଁ ସେ ରଣନୀତି କରିବା ସହ ମନ୍ତ୍ର ଦେବେ ।