August 31, 2026

ହିଙ୍ଗମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଡେଙ୍ଗୁ-ମ୍ୟାଲେରିଆ ସଚେତନତା ଶିବିର 

IMG-20260831-WA0082
Share

 

 

ଉଲୁଣ୍ଡା, ୩୧/୮ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ହିଙ୍ଗମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଓ ଡେଙ୍ଗୁ-ମ୍ୟାଲେରିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପେଶ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ଉଲୁଣ୍ଡା ମେଡିକାଲ ଅଫିସର ଅରୁଣ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆର କାରଣ, ଲକ୍ଷଣ, ପ୍ରତିରୋଧ ଏବଂ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରିଥିଲେ।ଶିବିରରେ ଫାର୍ମାସିଷ୍ଟ ରମାକାନ୍ତ ଭୋଇ ଓ ନର୍ସିଂ ଅଫିସର ଭାଗ୍ୟରାଣୀ ପର୍ଡିଆଙ୍କ ସହଯୋଗରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ମଶାବାହିତ ରୋଗରୁ ସୁରକ୍ଷିତ ରହିବା ପାଇଁ ଘର ଓ ବିଦ୍ୟାଳୟ ପରିସରରେ ପାଣି ଜମିବାକୁ ନଦେବା, ପରିବେଶକୁ ପରିଷ୍କାର ରଖିବା ଏବଂ ମଶାର ପ୍ରଜନନସ୍ଥଳୀ ନଷ୍ଟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

 

ଏହି ଅବସରରେ ଆଶାକର୍ମୀ ଶଶି ରାଉତ ଓ ସୂର୍ଯ୍ୟକାନ୍ତୀ ମେଣ୍ଡିଲି ପ୍ରମୁଖ ବିଦ୍ୟାଳୟରେ କୁଷ୍ଠରୋଗ ଚିହ୍ନଟ ଓ ପ୍ରାରମ୍ଭିକ ଲକ୍ଷଣ ସମ୍ପର୍କରେ ପୋଷ୍ଟର ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ରୋଗକୁ ନେଇ ଭୟ କିମ୍ବା ଭ୍ରାନ୍ତ ଧାରଣା ନରଖି ଲକ୍ଷଣ ଦେଖାଦେଲେ ଶୀଘ୍ର ସ୍ୱାସ୍ଥ୍ୟକେନ୍ଦ୍ରରେ ପରାମର୍ଶ ନେବାକୁ ସେମାନେ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଭୁବନେଶ୍ୱରୀ ଜାଲ, ଗୀତାଞ୍ଜଳି ପଣ୍ଡା, ତନୁ ବେହେରା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ସତ୍ୟବତୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed