ବେଆଇନ ଗୋଚାଲାଣ, ୬ ଗୋରୁ ସହ ଗାଡି ଜବତ, ୨ ଗିରଫ
ବୁଗୁଡା : ତା ୩୧/୦୮/୨୬ : ବେଆଇନ ଗୋଚାଲାଣ ବେଳେ ବୁଗୁଡ଼ା ଥାନା ଅନ୍ତର୍ଗତ ଷୋଳମଇଲିଠାରେ ପୋଲିସ ୬ଟି ଗୋରୁ ବୋଝେଇ ଏକ ଗାଡିକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଦୁଇ ଜଣ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମର ମିଥୁନ ନାୟକ (୩୨) ଓ କୁଳମଣି ଜେନା (୪୨)। ଏ ନେଇ ଥାନାରେ କେସ୍ ନଂ ୪୩୨/୨୬ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ପୋଲସରା ଥାନା ଅନ୍ତର୍ଗତ ଭାବରଡା ଗ୍ରାମରୁ ଦିଗପହଣ୍ଡିକୁ
ବେଆଇନ ଗୋଚାଲାଣ ହେଉଥିବା ଏକ ଗାଡି (ନଂ-ଓଡି-୦୭ଏଏ – ୦୫୫୮) ଷୋଳମଇଲିଠାରେ ପେଟ୍ରୋଲିଂ କରୁଥିବା ପୋଲିସ ହାବୁଡରେ ପଡିଥିଲା। ସେଥିରେ ୨ଟି ବଳଦ ଓ ୪ଟି ଗାଈ ବୋଝେଇ ହୋଇଥିଲା । ପୋଲିସ ଗୋରୁ ବୋଝେଇ ଗାଡିକୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲା। ଜବତ ଗୋରୁଗୁଡିକୁ କରଚୁଲି ଗୋଶାଳାକୁ ପଠାଯାଇଥିବା ବେଳେ ଏହି ମାମଲାର ତଦନ୍ତ ଦାୟିତ୍ବରେ ଏଏସ୍ଆଇ ଉପେନ୍ଦ୍ର କ୍ରାସକା ରହିଥିବା ଜଣାଯାଇଛି।
