ଖଣି ଚୋରି ଲୁଚାଇବା ପାଇଁ ବିଜେଡିର ନାଟକବାଜି: ବିରଂଚି ନାରାୟଣ ତ୍ରିପାଠୀ* ମାଫିଆଙ୍କୁ ସୁରକ୍ଷା ଦେଉଥିଲେ ନବୀନ ସରକାର ୨୪ ବର୍ଷରେ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହେଲାନି କି?
ଭୁବନେଶ୍ୱର ( ଦେବାଶିଷ ଦାଶ )
ବିଜୁ ବାବୁଙ୍କ ନାମ ନେଇ ବିଜେଡି ଗତ ୨୪ ବର୍ଷ ଶାସନରେ ଓଡ଼ିଶାର ବିକାଶରେ କିଛି ବି କରିନାହିଁ । ଯେଉଁ ବିଜୁବାବୁଙ୍କ ନାମରେ ଦଳ ଗଠନ କରି ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେହି ବିଜୁବାବୁଙ୍କ ଫଟୋ ମଧ୍ୟ ବିଜେଡି ବ୍ୟାନର ବା ପତାକାରେ ସ୍ଥାନ ପାଇଲା ନାହିଁ । କୃଷି, ଶିକ୍ଷା, ପର୍ଯ୍ୟଟନ, ଖଣିଜ ସମ୍ପଦ ଓ ବନଜ ସମ୍ପଦକୁ ନେଇ ବିଜେଡି କେବଳ ରାଜନୀତି କରି କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ପ୍ରଚାରିତ କରି ଏଠି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇଲା । ଶାଗ, ମାଛ ଦରରେ ଖଣିଜ ସମ୍ପଦକୁ ଅଣଓଡ଼ିଆ ବ୍ୟବସାୟୀଙ୍କୁ ଟେକି ଦେଇ ବ୍ୟାପକ ମୁନାଫା କମାଇଥିଲା ବିଜେଡି । କୌଣସି କ୍ଷେତ୍ରରେ ସୁଯୋଗ ନ ମିଳିବାରୁ ଓଡିଶାର ଅନେକ ପରିବାରର ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ଯୁବକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଥିଲେ । ବିଶେଷ କରି ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଓ ଗଂଜାମ ଜିଲ୍ଲାରୁ ସର୍ବାଧିକ ଦାଦନ ବାହାର ରାଜ୍ୟରେ ଗୋତି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି, ବେକାରୀ ସମସ୍ୟା, ମହିଳା ନିର୍ଯ୍ୟାତନା ଓ କୃଷି କ୍ଷେତ୍ରରେ ଶୀଥିଳତା ସହ ଶିଳ୍ପ କ୍ଷେତ୍ରରେ ମଧ୍ୟ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ଭରି ରହିଥିଲା । ନାମକୁ ମାତ୍ର ମନ୍ତ୍ରୀମାନେ ଥିବାବେଳେ ସରକାରୀ ବାବୁମାନେ ହିଁ ରାଜ୍ୟ ଚଳାଉଥିଲେ ଓ ରାଜକୋଷ ଲୁଟ କରୁଥିଲେ । ଖଣିଜ ସମ୍ପଦରେ ବ୍ୟାପକ ଲୁଟକୁ ନେଇ ଶାହ କମିଶନଙ୍କ ନିର୍ଦ୍ଦେଶକୁ ଗତ ସରକାର ଶୀତଳଭଣ୍ଡାରରେ ପକାଇ ଦେଇ ଦୁର୍ନୀତିଗ୍ରସ୍ତ ଖଣିମାଲିକମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ ବୋଲି ଏକ ପ୍ରେସ ବିବୃତି ଜରିଆରେ ବିଜେପି ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ଦର୍ଶାଇଛନ୍ତି ।
ଶ୍ରୀ ତ୍ରିପାଠୀ ଉଲ୍ଲେଖ କରିଛନ୍ତି ଯେ, ବିଜୁବାବୁଙ୍କ ସ୍ୱପ୍ନ ପୂରଣ କରିବାକୁ ଆସିଛନ୍ତି କହି ଶ୍ରୀ ନବୀନ ପଟ୍ଟନାୟକ କେବଳ ଦାମୀ ପାନୀୟ ଓ ନେଟଫ୍ଲିକ୍ସରେ ସିନେମା ଦେଖିବାରେ ବ୍ୟସ୍ତ ରହୁଥିଲେ ଯାହାକି ଜାତୀୟସ୍ତରର ସାମ୍ବାଦିକ ଶ୍ରୀ ରାଜଦୀପ ସରଦେଶାଇ ତାଙ୍କ ସାକ୍ଷାତକାରରେ କହିଥିଲେ । ମିଛରେ ଖଣିଜ ସମ୍ପଦକୁ ସୁରକ୍ଷା ଦେବାପାଇଁ ଓ ଓଡିଶାର ହକ ନେବାପାଇଁ ସୁପ୍ରିମକୋର୍ଟରେ ବଡ଼ବଡ଼ ଓକିଲଙ୍କୁ କୋଟି କୋଟି ଟଙ୍କାର ଫି ଦେଇ ଦୀର୍ଘ ୨୦ ବର୍ଷ ନାଟକ କରୁଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏଥିସହ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଭୂଲୁଣ୍ଠିତ କରି ଚାଲିଥିଲେ ଶ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଅନୁଗତ ଅଣଓଡ଼ିଆ ସରକାରୀ ବାବୁମାନେ । ମୋଦୀଜୀଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହେବାଠାରୁ ଓଡିଶାକୁ ଫୋକସ ଦେଇଥିଲା କେନ୍ଦ୍ରର ବିଜେପି ସରକାର । ରେଳବାଇ, ଖାଦ୍ୟ ସୁରକ୍ଷା ଯୋଜନା, ଆବାସ ଯୋଜନା, ଇଲେକ୍ଟ୍ରିଫିକେସନ, ପାନୀୟ ଜଳ ଯୋଜନା, ଦକ୍ଷତା ବିକାଶ, କୃଷି କ୍ଷେତ୍ର, ମହିଳା ଓ ଶିଶୁ ସୁରକ୍ଷା ଯୋଜନା, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ଅର୍ଥ ପ୍ରଦାନ କରୁଥିଲା କେନ୍ଦ୍ର ସରକାର । କିନ୍ତୁ ଶ୍ରୀ ନବୀନ ପଟ୍ଟନାୟକ ସେହି ଯୋଜନା ଗୁଡ଼ିକରୁ କିଛି ନିଜ ନାମରେ ପ୍ରଚାରିତ କରୁଥିବାବେଳେ ଆଉ କିଛି ଯୋଜନାଗୁଡିକୁ ବାଟମାରଣା କରି ତାହାକୁ ସମ୍ପୂର୍ଣ୍ଣ କରି ପାରିନଥିଲେ । ଫଳରେ ଅନେକ ଅର୍ଥ ବ୍ୟବହାର ନ ହୋଇ ଫେରି ଯାଉଥିଲା । ବାଲିମାଫିଆ, ଖଣି ମାଫିଆ, ଗୋମାଫିଆ ଓ ଭୂମାଫିଆଙ୍କୁ ସୁରକ୍ଷା ଦେଉଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ସହଯୋଗ ଓ ଓଡିଶା ପ୍ରତି ଫୋକସ ଯୋଗୁଁ ଓଡ଼ିଶାରେ ଏବେ ଶିଳ୍ପାୟନ ବୃଦ୍ଧି ପାଇଛି । ଧାନର ଏମ୍ଏସ୍ପି ମୂଲ୍ୟ ବୃଦ୍ଧି କରାଯାଇଥିବାରୁ ତଥା ଯୁବ ଗୋଷ୍ଠୀଙ୍କୁ ରାଜ୍ୟରେ ଆତ୍ମନିଯୁକ୍ତି ଯୋଗାଇ ଦିଆଯାଉଥିବାରୁ ଦାଦନଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇଛି । ବିଜୁ ବାବୁଙ୍କ କଳିଙ୍ଗ ନଗରରେ ଶିଳ୍ପ ବିକାଶ ପାଇଁ କେବଳ କଦମ୍ବ ଗଛଟିଏ ଲଗାଇଥିଲେ ବୋଲି ତାଙ୍କରି ଦଳର ବରିଷ୍ଠ ସଦସ୍ୟ ତଥା ସହଯୋଗୀ ଶ୍ରୀ ଶ୍ରୀକାନ୍ତ ବାବୁ ଆକ୍ଷେପ କରିଥିଲେ । ସେହିପରି ସୁକିନ୍ଦା ଅଂଚଳରେ ଥିବା ବିଭିନ୍ନ କ୍ରୋମାଇଟ ମାଇନ୍ସର ଲିଜ୍ ଅବଧି ସରିଯିବାରୁ ତାହାକୁ ମଧ୍ୟ ଓଏମ୍ସିକୁ ନଦେଇ ଘରୋଇ କମ୍ପାନୀକୁ କାହା ସ୍ୱାର୍ଥରେ ବିକ୍ରି କରିଦିଆଗଲା? ଏହାର ଜବାବ ବିଜେଡି ଦେବ କି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।
ରାଜ୍ୟ ବିଜେପି ସରକାର ସଂଘୀୟ ନିୟମ ଅନୁସାରେ କେନ୍ଦ୍ର ସରକାରଙ୍କ ସହ ତାଳ ଦେଇ ରାଜ୍ୟରେ ସାମୁହିକ ବିକାଶ ନିମନ୍ତେ ପ୍ରଚେଷ୍ଟା କରୁଛନ୍ତି । ଫଳରେ ଓଡ଼ିଶାରେ ବିଦେଶ ଓ ଜାତୀୟସ୍ତରରୁ ବ୍ୟାପକ ପୁଞ୍ଜି ନିବେଶ ହେବାକୁ ଯାଉଛି । ସାମଗ୍ରିକ କ୍ଷେତ୍ରରେ ସମୃଦ୍ଧି ପାଇଁ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀ ବ୍ୟାପକ ପ୍ରଚେଷ୍ଟା ଚଳାଇଛନ୍ତି । ମୋଦୀଜୀଙ୍କ ନେତୃତ୍ୱ ଯୋଗୁଁ ପୂର୍ବ ଭାରତ ବିକାଶରେ ଓଡିଶା ସର୍ବାଗ୍ରେ ଅଛି । କିନ୍ତୁ ଖଣି ଦୁର୍ନୀତିରେ ସାମିଲ ଥିବା ବିଜେଡି ଏବେ ରାଜ୍ୟର ଖଣିଜ ସମ୍ପଦ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି । ନୂତନ ଭାବେ ଏମ୍ଏମ୍ଡିଆର ଆଇନ ଓଡିଶା ସମେତ ସମସ୍ତ ରାଜ୍ୟକୁ ସେମାନଙ୍କ ପ୍ରାପ୍ୟ ଦେବା ସହ ରାଜ୍ୟ ଗୁଡିକର ବିକାଶରେ ସାହାଯ୍ୟ କରିବ । ବିଜେଡି ସମୟରେ ଖଣିଜ ସମ୍ପଦରୁ ରାଜସ୍ୱ ୫ ହଜାର କୋଟି ଥିବାବେଳେ ଏବେ ତାହା ୫୫ ହଜାର କୋଟିରେ ପହଂଚିଛି । ଡ଼ିଏମ୍ଏ ଫଣ୍ଡ ଦ୍ୱାରା ବିଜେଡି ନିଜର ଦଳୀୟ ସମ୍ପତି ଠୁଳ କରୁଥିବାବେଳେ ଏବେ ତାହାର ପରିବର୍ତନ କରାଯାଇ ସାଧାରଣ ନାଗରିକଙ୍କ ପାଇଁ ତାହା ବ୍ୟବହାର ହେଉଛି । ତେଣୁ ବିଜେଡି ନିଜର ସ୍ଥିତି ବଜାୟ ରଖିବା ପାଇଁ ଏଭଳି ନାଟକବାଜି କରୁଛି । ଏମ୍ଏମ୍ଡିଆର ଆକ୍ଟକୁ ନେଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି ବିଜେଡି, ଯାହାକି ସଫଳ ହେବନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
