ଚିକିଟୀ ଏନ୍ଏସି ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳନ…
ଚିକିଟୀ (Subhasree Pradhan) ଚିକିଟୀ ଏନ୍ଏସିରେ ସ୍ୱାୟତ୍ତ ଶାସନ ଦିବସ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଚିକିଟୀ ଏନ୍ଏସି ଅଧ୍ୟକ୍ଷା ଦୀପା କୁମାରୀ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଚିକିଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ମିଶ୍ର, ତହସିଲଦାର ବିଶ୍ୱରଞ୍ଜନ କହଁର, ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀଙ୍କ ସମେତ ସମସ୍ତ ୱାର୍ଡ କାଉନସିଲର,ବିଭିନ୍ନ ବିଭାଗର କର୍ମଚାରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସ୍ୱାୟତ୍ତ ଶାସନ ଦିବସ ଅବସରରେ ଚିକିଟୀ ଏନ୍ଏସିରେ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରାଯାଇଥିଲା। ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରଙ୍କ ଦ୍ଵାରା ୩୦୦ ଜଣ କ୍ଷମତା ବିଶିଷ୍ଟ ବହୁମୁଖୀ ଭବନ, ୫୦୦ ଜଣ କ୍ଷମତା ବିଶିଷ୍ଟ ବହୁମୁଖୀ ଭବନ ଏବଂ ଚିକିଟୀ ବ୍ଲକ ଜନସ୍ୱାସ୍ଥ୍ୟ ୟୁନିଟ୍ର ଶୁଭ ଉଦ୍ଘାଟନ କରାଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକ ଚିକିଟୀ ଅଞ୍ଚଳର ସାମାଜିକ, ସାଂସ୍କୃତିକ ଓ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ସୁବିଧା ସୃଷ୍ଟି କରିବ ବୋଲି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ। ଏଥିସହ ଚିକିଟୀକୁ ସ୍ୱଚ୍ଛ, ସୁନ୍ଦର ଓ ବିକଶିତ ଏନ୍ଏସି ଭାବେ ଗଢ଼ି ତୋଳିବା ପାଇଁ ଜନସାଧାରଣ, ଏନ୍ଏସି କର୍ମଚାରୀ ଓ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱାୟତ୍ତ ଶାସନ ଦିବସକୁ ନେଇ ଚିକିଟୀ ଏନ୍ଏସି ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
