May 18, 2026

ଜୁନାଗଡ଼ ସହରରେ ଚାଲିଲା ବୁଲଡୋଜର, ରାଜରାସ୍ତାରୁ ଜବରଦଖଲ ଉଛେଦ

IMG-20260517-WA0019
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ଉପଖଣ୍ଡ ଅନ୍ତର୍ଗତ ଜୁନାଗଡ଼ ସହର ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର ହେବାସହ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଅଟେ। ଏହି ସହର ଉପରେ ବ୍ୟବସାୟିକ କାରବାର ନେଇ କଳାହାଣ୍ଡି ସମେତ ପଡୋଶୀ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଲୋକେ ସମ୍ପୂର୍ଣ ନିର୍ଭର କରିଥାନ୍ତି। ଦିନକୁ ଦିନ ଜୁନାଗଡ଼ ସହରରେ ଜନସଂଖ୍ୟା ବଢିଚାଲିବା ସହ ବ୍ୟବସାୟିକ ପ୍ରତିଷ୍ଠାନ ତଥା ଯାନ ବାହାନ ସଂଖ୍ୟା ମଧ୍ୟ ପ୍ରବଳ ମାତ୍ରାରେ ବଢିଚାଲିଛି।ଏପରିକି ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ଦୁଇ କଡରେ ଅନେକ ବର୍ଷରୁ ଛୋଟ ବ୍ୟବସାୟୀ, ବଡ ବ୍ୟବସାୟୀ ତଥା ଉଠା ବେପାରି ମାନେ ରାଜରାସ୍ତାର ଅର୍ଦ୍ଧେକ ଅଂଶ ମାଡି ବସି ବେପାର କରୁଥିବାରୁ ରାଜରାସ୍ତାଟି ସଂକୀର୍ଣ୍ଣ ହେବାଯୋଗୁଁ, ସହରରେ ବର୍ଷ ବର୍ଷ ଧରି ଟ୍ରାଫିକ ସମସ୍ୟା ଉପୁଜି ଆସୁଥିଲା। ଏହି ଟ୍ରାଫିକ ସମସ୍ୟାର ସମାଧାନ କରିବାପାଇଁ ଜନସାଧାରଣ ତରଫରୁ ପ୍ରଶାସନ ଠାରେ ଅନେକ ଥର ଦାବି କରାଯାଇଥିବାବେଳେ, ଶେଷରେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରା ରାସ୍ତା ଜବରଦଖଲ ଉଛେଦ ନେଇ ନିଷ୍ପତ୍ତି ନିଆଯିବାପରେ,ଗତ ଏକ ମାସ ପୂର୍ବରୁ ସହରର ସମସ୍ତ ବ୍ୟବସାୟିଙ୍କୁ ରାସ୍ତା ଖାଲି କରିବାପାଇଁ ନୋଟିସ ଜାରି କରିଥିଲେ। ଏହି ନୋଟିସ ଜାରି ହେବାପରେ ଅନେକ ଛୋଟ ବ୍ୟବସାୟୀ ଓ ଉଠାଦୋକାନୀ ମାଡିବସିଥିବା ରାଜରାସ୍ତା ଖାଲି କରିସାରିଥିବାବେଳେ, ଅନେକ ବ୍ୟବସାୟୀ ନୋଟିସକୁ ଖାତିର କରିନଥିଲେ। ତେଣୁ ନୋଟିସ ଜାରି କରିବାର ମାସେ ପରେ ବାଧ୍ୟହୋଇ ଶେଷରେ ଗତକାଲି ସକାଳ ପ୍ରାୟ ୧O ଟା ସମୟରେ ଜୁନାଗଡ଼ ଠାରେ ଧର୍ମଗଡ଼ ଉପଜିଲ୍ଲାପାଳ, ଧର୍ମଗଡ଼ ଏସଡିପିଓ, ଜୁନାଗଡ଼ ତହସିଲଦାର, ଜୁନାଗଡ଼ ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜୁନାଗଡ଼ ଥାନା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଅବଧାନରେ, ତଥା ସେଠାରେ ଯେପରି କୌଣସି ପ୍ରକାରର ଅପ୍ରିତିକର ଘଟଣା ନଘଟେ ସେଇଥି ପାଇଁ ବହୁ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇ ବୁଲଡୋଜର ଲଗାଯାଇ ଜବରଦଖଲ କରିଥିବା ଛୋଟ ବ୍ୟବସାୟିଙ୍କ ଦୋକାନ ଗୁଡିକ ଭାଙ୍ଗି ସଫା କରିଦିଆଯାଇଥିଲା। କିନ୍ତୁ ପ୍ରଶାସନ ଦ୍ୱାରା ସହରର ବଡ ବଡ଼ ଦୋକାନ ତଥା ସହରର ପ୍ରଭାବଶାଳି ବ୍ୟକ୍ତିଙ୍କ କୋଠା କିମ୍ବା ଦୋକାନ ଭଙ୍ଗାଯାଇନଥିଲା। ଏନେଇ ଉଛେଦ ହୋଇଥିବା ଛୋଟ ବ୍ୟବସାୟୀ ମାନଙ୍କ ମଧ୍ୟରେ ତଥା ଜନସାଧାରଣରେ ଘୋର ଅସନ୍ତୋଷ ଦେଖାଦେଇଥିଲା। ଏନେଇ ବର୍ତ୍ତମାନ ସାଧାରଣରେ ଦାବି ଉଠୁଛି ଯେ’ ରାଜରାସ୍ତାରୁ ଛୋଟ ବେପାରିଙ୍କୁ ଉଛେଦ କଲାପରି, ପ୍ରଶାସନ ଦ୍ୱାରା ସହରର ପ୍ରଭାବଶାଳୀ ବ୍ୟକ୍ତିଙ୍କ କୋଠା ବାଡ଼ି ଓ ବଡ ବଡ଼ ଦୋକାନ ଗୁଡିକ ମଧ୍ୟ ଉଛେଦ କରାଯାଉ। ଏନେଇ ପ୍ରଶାସନ ଆଗକୁ କ’ଣ ପଦକ୍ଷେପ ନେବ ତାହା ଦେଖିବା ବାକି ଅଛି।