ମା’ଙ୍କ ମୃତ୍ୟୁ ପରେ ଫେରାର ହୋଇଗଲେ ବାପା, ନାବାଳିକା ଜହ୍ନ ମୁଣ୍ଡାଇଛି ପରିବାରର ବୋଝ, ପାଠପଢାରେ ଡୋରି ବାନ୍ଧି ସାଜିଛି ମୁଲିଆ
ମା’ଙ୍କ ମୃତ୍ୟୁ ପରେ ଫେରାର ହୋଇଗଲେ ବାପା,
ନାବାଳିକା ଜହ୍ନ ମୁଣ୍ଡାଇଛି ପରିବାରର ବୋଝ,
ପାଠପଢାରେ ଡୋରି ବାନ୍ଧି ସାଜିଛି ମୁଲିଆ
ବୁଗୁଡ଼ା : ତା ୧୩/୦୮/୨୩ : ବର୍ଷେ ତଳେ ମା’ଙ୍କ ଅକାଳ ବିୟୋଗ ପରେ ଘରଛାଡି ଫେରାର ହୋଇଗଲେ ବାପା । ଫଳରେ ଅନାଥ ହୋଇଗଲେ ୪ ଶିଶୁ l ଯେଉଁ ବୟସରେ ପିଠିରେ ସ୍କୁଲ ବ୍ୟାଗ ଧରି ପାଠ ପଡ଼ିବାକୁ ଯିବା କଥା ସେହି ବୟସରେ ଦୁଇ ଭଉଣୀ ଓ ଗୋଟିଏ ଭାଇରେ ବୋଝ ମୁଣ୍ଡାଇ ଛନ୍ତି ନାବାଳିକା ଜହ୍ନ l ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ପଞ୍ଚାୟତର କରଞ୍ଜସାହି ଗ୍ରାମରେ l ଆଦିବାସୀ ପ୍ରମୋଦ ଦଳବେହେରାଙ୍କ ଝିଅ ଜହ୍ନ ମାତ୍ର ୧୫ ବର୍ଷ ବୟସରେ ପାଠ ପଢା ଛାଡି ମୁଲ ଲାଗିବାକୁ ବାଧ୍ୟ ହୋଇଛନ୍ତି l ଏହି ବୟସରେ ସେ ହସି ଖେଳି ପାଠ ପଢିବା କଥା । ଅନ୍ୟ ପିଲାଙ୍କ ପରି ପାଠ ପଢ଼ିବାର ବହୁତ ଇଛା ଅଛି କିନ୍ତୁ ପାଠ ପଢିବା ସତେ ଯେମିତି ପାଲଟି ଯାଇଛି ଅଭିଶାପ l ଜହ୍ନ ଅଷ୍ଟମ ଶ୍ରେଣୀରେ ପଢୁଥିବାବେଳେ ମାଆ ହଠାତ୍ ଆରପାରିକୁ ଚାଲିଗଲେ l ମା’ଙ୍କ ମୃତ୍ୟୁ ପରେ ବାପା ମଧ୍ୟ ଘର ଛାଡି କୁଆଡେ ଚାଲିଯାଇଛନ୍ତି ଯେ ଆଉ ଫେରୁ ନାହାନ୍ତି l ଘରେ ଦୁଇ ଭଉଣୀ ତାରା ବୟସ ୧୨ ବର୍ଷ , ବନିତା ବୟସ ୧୦ ବର୍ଷ ଏବଂ ୬ ବର୍ଷର ଭାଇ ଓମ୍ ପ୍ରକାଶର ବୋଝ ମୁଣ୍ଡଉଛନ୍ତି ଜହ୍ନ l ଭାଇ ଭଉଣୀଙ୍କ ପେଟକୁ ମୁଠେ ଦାନା ଯୋଗାଡ଼ କରିବା ପାଇଁ ପାଠ ପଢା ଛାଡି ମୂଲ ଲାଗିବାକୁ ଯାଉଛନ୍ତି ଜହ୍ନ l ମୂଲ ଲାଗି ଯାହା ଆଣୁଛନ୍ତି ସେଥିରେ ଦୁଃଖେ କଷ୍ଟେ ଚଳୁଛନ୍ତି ୪ ଭାଇ ଭଉଣୀ l ମୁଣ୍ଡ ଗୁଞ୍ଜିବା ପାଇଁ ମଧ୍ୟ ଘର ଖଣ୍ଡେ ନାହିଁ । ବର୍ଷା ହେଲେ ଘରେ ପାଣି ଗଳୁଥିବା ବେଳେ କାନ୍ଥ ଫାଟି ଆଁ କରି ରହିଛି । କେଉଁ ସମୟରେ ଘର ଭାଙ୍ଗି ପଡିବ ସେହି ଭୟରେ ଘର ବାରଣ୍ଡାରେ ଆଶ୍ରୟ ନେଉଛନ୍ତି ଭାଇ ଭଉଣୀ l ଦୀର୍ଘ ଏକ ବର୍ଷ ହେଲା ଅତି ଦୁଃଖ କଷ୍ଟରେ ଚଳି ଆସୁଥିବାବେଳ କୌଣସି ସରକାରୀ ସହାୟତା ପହଞ୍ଚି ପାରୁନି ସେମାନଙ୍କ ନିକଟରେ l ଯଦି ପ୍ରଶାସନ ଏହି କୁନି କୁନି ଆଦିବାସୀ ପିଲାଙ୍କ ଦୁଃଖକୁ ଦେଖି କିଛି ସହାୟତାର ହାତ ବଢ଼ାନ୍ତେ ତେବେ ଏହି ଅସହାୟ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।