ପୋଲିସ ପଞ୍ଝାରେ ବେଆଇନ ଗୋଚାଲାଣକାରୀ , ୪ ଗିରଫ, ୨ଟି ଗାଡି ସହ ୧୭ ଗୋରୁ ଜବତ
ବୁଗୁଡା : ତା ୦୭/୦୩/୨୬ : ସମ୍ପ୍ରତି ବୁଗୁଡା ଅଞ୍ଚଳରେ ଘନ ଘନ ଛେଳି ଚୋରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗତକାଲି ରାତିରେ ପୋଲିସ ପେଟ୍ରୋଲିଂ ସମୟରେ ୨ଟି ବେଆଇନ ଗୋଚାଲାଣ ଗାଡିକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ହରଚଣ୍ଡୀସାହିର ବଳରାମ ମଲ୍ଲିକ (୪୨) ଓ ଶିବ ସେନାପତି(୨୪) , ଶରଣକୁଳ ଥାନା ଅନ୍ତର୍ଗତ ହରିହରପୁର ଗାଁର ଅମଜାଦ୍ ଖାନ୍(୪୦) ଓ ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ ଅରଖପାରି ଗ୍ରାମର ଦିବ୍ଯଜ୍ଯୋତି ବେହେରା (୨୧)। ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୧୦୯/୨୬ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ଥାନା ଏସ୍ଆଇ ଜ୍ଯୋତିଶ୍ରୀ ସାହୁଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଶୁକ୍ରବାର ବିଳମ୍ବିତ ରାତିରେ ପେଟ୍ରୋଲିଂ କାଳରେ ବି.ବ୍ରହ୍ମପୁର ଗାଁ ଛକରେ ଯାନବାହାନ ଯାଞ୍ଚ କରୁଥିବା ବେଳେ ୨ଟି ଅବୈଧ ଗୋଚାଲାଣ ଗାଡିକୁ କାବୁ କରିଥିଲେ। ସେଥିରୁ ଏକ ଆଇଜର ଗାଡି (ନଂ-ଓଡି – ୦୨ ସିଏସ୍ – ୯୦୪୫)ରେ ଥିବା ୩ଟି ଗାଈ, ୧୨ଟି ବଳଦ ଓ ଏକ ଲମ୍ବା ରଶି ପାଇଥିଲା ବେଳେ ଅନ୍ୟ ଏକ କିୟା କାର (ନଂ-ଓଡି – ୦୨ ସିଓ୍ବାଇ – ୪୪୮୯) ଭିତରେ ୨ଟି ବାଛୁରୀ ଥିବା ଜଣାପଡିଥିଲା। ସେଠାରୁ ପୋଲିସ ୨ଟି ଗାଡି ଏବଂ ସେଥିରେ ବୋଝେଇ ୧୭ଟି ଗୋରୁକୁ ଜବତ କରିଥିଲା। ତେବେ ଏହି ବେଆଇନ ଗୋଚାଲାଣ ଘଟଣାର ତଦନ୍ତ ଦାୟିତ୍ବରେ ଏସ୍ଆଇ ବିନାୟକ ବିଧାର ରହିଥିବା ବେଳେ ଜବତ ଗୋରୁଗୁଡିକୁ କରଚୁଲି ଗ୍ରାମସ୍ଥ ଗୋଶାଳାକୁ ପଠାଯାଇଥିବା ନେଇ ପୋଲିସ ସୂତ୍ରରୁ ପ୍ରକାଶ ପାଇଛି।
