ରାୟଗଡ଼ ବ୍ଲକର ପଞ୍ଚଦଶ ସମିତି ବୈଠକ ଅନୁଷ୍ଠିତ

ରାୟଗଡ଼ (ସୁରେନ୍ଦ୍ର ମହାନ୍ତି )
ରାୟଗଡ଼ ବ୍ଲକର ପଞ୍ଚଦଶ ସମିତି ବୈଠକ ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ହର ପ୍ରସାଦ ହେପୃକା, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ଭୂଷଣ ବିଡିକା, ମାନ୍ୟବର ବିଧାୟକଙ୍କ ପ୍ରତିନିଧି ଶ୍ରୀ ସତ୍ୟବାନ ମାଣ୍ଡାଙ୍ଗି, ବିଡ଼ିଓ ଶ୍ରୀ ସୁଜିତ କୁମାର ମିଶ୍ର, ଏବିଡ଼ିଓ କାଳୁ ଚରଣ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର କୁମାର ରଥ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀମତୀ ପଦ୍ମାବତୀ ମାଣ୍ଡାଙ୍ଗୀ ପ୍ରମୁଖ ମଞ୍ଚାସିନ ଥିଲେ।
ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମ ପ୍ରାରମ୍ଭ କରିଥିଲେ। ସ୍ୱାସ୍ଥ୍ୟ, ଶିକ୍ଷା, ମଙ୍ଗଳ, ମହିଳା ଓ ଶିଶୁ ବିକାଶ, କୃଷି, ଜଳଛାୟା, ପଶୁପାଳନ, ମତ୍ସ୍ୟ, ଶ୍ରମ, ଆରଡି, କ୍ଷୁଦ୍ର ଜଳସେଚନ, ସିଲଭିକଳଚର୍, ଯୋଗାଣ, ସାମାଜିକ ସୁରକ୍ଷା, ପାନୀୟଜଳ, ଜୀବିକା ମିଶନ, ଆବାସ ଯୋଜନା , ବିଦ୍ୟୁତ୍ ଆଦି ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ନିଜ ବିଭାଗୀୟ ତଥ୍ୟ ଉପସ୍ଥାପନ କରିବା ସହ ପ୍ରତିନିଧିଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ପ୍ରୟାସ କରିଥିଲେ। ବିଭିନ୍ନ ଗ୍ରାମରେ ରହିଯାଇଥିବା ଡ୍ରପ ଆଉଟଛାତ୍ର, ଛାତ୍ରୀଙ୍କୁ ନୂତନ ଶିକ୍ଷାବର୍ଷରେ ବିଭିନ୍ନ ହଷ୍ଟେଲରେ ନାମ ଲେଖାଇ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଥିବା ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଛବିଲାଲ ସିଂ ପ୍ରକାଶ କରିଛନ୍ତି। ଗ୍ରୀଷ୍ମ ଅବକାଶ ସମୟରେ ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ ନିମନ୍ତେ ପ୍ରୟାସ ଜାରି ରହିଥିବା ସେ କହିଛନ୍ତି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନରେ ବିଳମ୍ବ ହେଉଥିବାରୁ ବିହିତ ପଦକ୍ଷେପ ପାଇଁ କୁମ୍ଭିକୋଟା ସମିତି ସଭ୍ୟ ଉପସ୍ଥାପନ କରିଥିଲେ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ କଷ୍ଟ ଗ୍ରାମଗୁଡ଼ିକୁ ଚିହ୍ନଟ କରିବା ସହ ମେଗା ପାନୀୟ ଜଳ ପ୍ରକଳ୍ପ ବ୍ୟବସ୍ଥା ପାଇଁ ଆଲୋଚନା କରାଯାଇଥିଲା। ପୂର୍ବ ବର୍ଷର ପାଣ୍ଠି ସମ୍ପୂର୍ଣ୍ଣ ବିନିଯୋଗ ନିମନ୍ତେ ପଦକ୍ଷେପ ନେବାକୁ ନିର୍ବାଚିତ ପ୍ରତିନିଧିଙ୍କୁ ବିଡ଼ିଓ ରାୟଗଡ଼ ଅନୁରୋଧ କରିଥିଲେ। ଅନେକ ରାସ୍ତା ଆରଡି ବିଭାଗକୁ ହସ୍ତାନ୍ତର କରାଯାଇଥିଲେ ମଧ୍ୟ କେବଳ ସୀମିତ ସଂଖ୍ୟକ ରାସ୍ତା କାର୍ଯ୍ୟ ହାତକୁ ନେଇଥିବା ଯୋଗୁଁ ଗୃହ ଉଦବେଗ ପ୍ରକାଶ କରିଥଲେ।
ଜିପିଡିଓ ସ୍ମୃତି ରେଖା ନାୟକ ପୂର୍ବ ବୈଠକର ବିବରଣୀ ପାଠ କରିଥଲେ ଓ ଶେଷରେ ଏବିଡ଼ିଓ କାଳୁ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗୀୟ ଅଧିକାରୀ ରାଜ କିଶୋର ଦାଶଙ୍କ ସମେତ ବରିଷ୍ଠ ସହାୟକ ବିକାଶ ବେହେରା, ମାମିନା ତ୍ରିପାଠୀ, ବିକାଶ ବାଗ ଏବଂ ସମସ୍ତ ବ୍ଲକ କର୍ମକର୍ତ୍ତା ସହଯୋଗ କରିଥିଲେ।
