ସରିଲାଣି ଅକ୍ଷୀମୁଠି ଅନୁକୂଳ କିନ୍ତୁ ଚାଷୀଙ୍କୁ ମିଳୁନି ବିହନ

ବୋଲଗଡ଼,୯/୫(ଉପାନ୍ତ ଖବର):ବୋଲଗଡ଼ ଅଞ୍ଚଳରେ ଅକ୍ଷୀମୁଠି ଅନୁକୂଳ କେବେଠାରୁ ସରିଲାଣି କିନ୍ତୁ ଚାଷୀଙ୍କ ପାଇଁ ଆସିନାହିଁ ସରକାରୀ ବିହନ। ଖରିଫ ଚାଷର ଅନୁକୂଳ ହୁଏ ଅଖୟ ତୃତୀୟା ଠାରୁ। ଏହି ଦିନଠାରୁ ଧାନ ବୁଣା କାର୍ଯ୍ୟ ଆରମ୍ଭ ହୋଇଥାଏ। ଏବେ କିନ୍ତୁ ବୁଣାଧାନ ଅପେକ୍ଷା ରୁଆ ଧାନ ଉପରେ ଗୁରୁତ୍ବ ବଢିଛି। ଉନ୍ନତ କିସମର ବିହନ ଓ ଅଧିକ ଅମଳକ୍ଷମ ବିହନ ଉପରେ ଚାଷୀ ଗୁରୁତ୍ବ ଦେଉଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ସରକାରୀ ବିହନ ପହଞ୍ଚି ପାରିନାହିଁ। ଅକ୍ଷୟ ତୃତୀୟା ରେ ସବୁଠି ଅକ୍ଷିମୁଠି ବୁଣି ନେତା ଓ ପ୍ରଶାସନ ଫଟ ଉଠାଇ ଅନୁକୂଳ ସାରିଥିଲେ। ହେଲେ ଚାଷୀଙ୍କ ପାଇଁ ଏଯାଏ ସରକାରୀ ବିହନ ଆସି ପାରିଲା ନାହିଁ। ଫଳରେ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ବୋଲଗଡ଼ ବ୍ଲକରେ ଥିବା ଚାଷୀଙ୍କ ପାଇଁ ପ୍ରତିବର୍ଷ ହାରାହାରି ପାଞ୍ଚଶହ କୁଇଣ୍ଟାଲ ବିହନର ଆବଶ୍ୟକ ଥିଲା ବେଳେ ଏବେ ସୁଦ୍ଧା ବ୍ଳକକୁ ବସ୍ତାଏ ବିହନ ଆସି ନାହିଁ। ବୋଲଗଡ଼ ବ୍ଲକ ରେ ପ୍ରତିବର୍ଷ ପ୍ରାୟ ତେରହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଥାଏ। ସରକାରଙ୍କ ନିୟମ ଅନୁସାରେ ପ୍ରତି ବର୍ଷ ଚାଷୀଙ୍କୁ ସମବାୟ ସମିତି ଜରିଆରେ ସରକାରୀ ମୂଲ୍ୟରେ ବିଭିନ୍ନ ଉନ୍ନତ କିସମର ବିହନ ଯୋଗାଇ ଦିଆଯାଇଥାଏ। ହେଲେ ବୋଲଗଡ଼ ବ୍ଲକର ସମସ୍ତ ୨୨ଟି ପାକ୍ସରୁ ଗୋଟିଏ ପାକ୍ସ ମଧ୍ୟ ଏପର୍ଯ୍ୟନ୍ତ ଆସିନଥିବାର ସୁଚନା ମିଳିଛି।ସମବାୟ ସମିତି ଗୁଡିକ ନିଗମଠାରୁ ବିହନ କିଣି ପ୍ରତି ବର୍ଷ କ୍ଷତି ସହୁଥିବା ଚାଷୀମାନେ ସମିତିରୁ ବିହନ କିଣି ପ୍ରତିବର୍ଷ କ୍ଷତି ସହୁଥିବା ଚାଷୀ ମାନେ ସମିତିରୁ ବିହନ କିଣି ଅଧିକ ଉତ୍ପାଦନ ହେଉଥିବା ଉନ୍ନତ କିସମର ବିହନ ଖୋଲାବଜାରରୁ କିଣିଥିବାରୁ ସମିତିର ସମ୍ପାଦକ ନିଗମରୁ ବିହନ ଉଠାଉ ନଥିବା କହିଛନ୍ତି। ସମବାୟ ସମିତିର ସମ୍ପାଦକ କୁହନ୍ତି ଯେ ପୂର୍ବରୁ ଟଙ୍କା ଜମାକରି ବିହନ ଉଠାଇବାକୁ ପଡୁଛି ହେଲେ ଚାଷୀ ମାନେ ବିହନ ନେବାକୁ ବିଶେଷ ଆଗ୍ରହ ଦେଖାଉନଥିବାରୁ ତାହା ଗୋଦାମରେ ରହି ପୋକଲାଗି ନଷ୍ଟ ହେଉଛି। ତେଣୁ ନିହାତି ଆବଶ୍ୟକ ନେହଲେ ବିହନ ଉଠାଇବାକୁ ଆମେ ଇଛା କରୁନାହୁଁ। ଅନ୍ୟପଟେ ବ୍ଳକ କୃଷି ଅଧିକାରୀ ଙ୍କୁ ଫୋନ୍ ରେ ଯୋଗାଯୋଗ ହୋଇ ପାରିନଥିଲା। କିପରି ପାକ୍ସ ମାଧ୍ୟମରେ ଚାଷୀଙ୍କ ପାଇଁ ଉନ୍ନତ କିସମର ବିହନ ଉପଲବ୍ଧ ହେବ ଚାଷୀ ନେତା ପ୍ରକାଶ ଚନ୍ଦ୍ର ରାଉତରାୟ କହିଛନ୍ତି। ତେବେ ମେ ମାସ ଶେଷ ସୁଦ୍ଧା ରାଜ୍ୟରେ ମୌସମୀ ପହଞ୍ଚିବାର ପୂର୍ବାନୁମାନ କରାଯାଇଥିବାରୁ ସରକାର ଏହା ପୂର୍ବରୁ ଚାଷୀଙ୍କ ପାଇଁ ବିହନ ମହଜୁଦ କରି ରଖିବା ସହିତ ଚଳିତବର୍ଷ ଚାଷୀମାନଙ୍କୁ ଉନ୍ନତ ମାନର ବିହନ ଯୋଗାଇ ଦେବାକୁ ଚାଷୀ ଦାବୀ କରିଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
