ମୋହନା ଥାନାରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ,ଥାନା ଏବଂ ହାଜତ ବୁଲି ଦେଖିଲେ ଛାତ୍ରୀଗଣ ..
ମୋହନା (ସନ୍ତୋଷ ଗୌଡ଼)ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ରୋକିବା ଏବଂ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ‘ମହିଳା ଓ ଶିଶୁ ଅପରାଧ ଶାଖା’ ପକ୍ଷରୁ ଓଡ଼ିଶାର ସମସ୍ତ ଥାନାରେ ‘ଜୁଭେଣ୍ଟିକା’ ନାମକ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୋହନା ଥାନା ପରିସରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆଭାସୀ ମାଧ୍ୟମରେ ଯୋଗ ଦେଇ ଉପସ୍ଥିତ ଛାତ୍ରୀ ମାନଙ୍କ ସହ ସିଧାସଳଖ ଭାବ ବିନିମୟ କରିଥିଲେ।ଥାନାକୁ ଆସି ସେମାନଙ୍କୁ କିପରି ଅନୁଭବ ହେଉଛି,ପୋଲିସ କର୍ମଚାରୀଙ୍କ ବ୍ୟବହାର କିଭଳି ରହିଛି ଏବଂ ଏହି କାର୍ଯ୍ୟକ୍ରମରୁ ସେମାନେ କଣ ଶିକ୍ଷା କଲେ,ସେ ସମ୍ପର୍କରେ ଡିଜି ପଚାରି ବୁଝିଥିଲେ।ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମାଇବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମରେ ବିଭିନ୍ନ ସଚେତନତାଧର୍ମୀ ଭିଡିଓ ପ୍ରଦର୍ଶିତ କରାଯାଇଥିଲା।କିଶୋର କିଶୋରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯକ୍ରମରେ ବିଶେଷ କରି ସୋସିଆଲ ମିଡିଆରେ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ନ କରିବା, ନିଜର ଫଟୋ ଓ ବ୍ୟକ୍ତିଗତ ସୂଚନାର ଅପବ୍ୟବହାର ରୋକିବା, ଫେକ୍ ଆଇଡି ଜରିଆରେ ହେଉଥିବା ଠକେଇ,ଅଜାଣତରେ ଓଟିପି ସେୟାର ନ କରିବା ଏବଂ ଅନଲାଇନ୍ ଠକେଇର ଶିକାର ହେଲେ କିମ୍ବା ଫୋନ୍ ମାଧ୍ୟମରେ ଡିଜିଟାଲ ଗିରଫର ଧମକ ମିଳିଲେ କୌଣସି ଦ୍ୱିଧା ନରଖି ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିବା ପାଇଁ ଛାତ୍ରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା।ଏହା ସହିତ ୧୯୩୦ ଫୋନ୍ ନମ୍ୱର କୁ କଲ୍ କରି କିଶୋରୀ ମାନେ ନିଜ ଅଭିଯୋଗ ଜଣାଇ ପାରିବେ ବୋଲି ସେମାନଙ୍କୁ ସୂଚନା ଦିଆଯାଇଥିଲା। ଏହି ଅବସରରେ ମୋହନା ଥାନାରେ ଥାନାଧିକାରୀ ଓମ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଥାନାର ସମସ୍ତ ଅଧିକାରୀ, ପୋଲିସ,ସମସ୍ତ ହୋମଗାର୍ଡ,
ପ୍ରମୁଖ ମଞ୍ଚାସୀନ ଥାଇ କାର୍ଯ୍ୟକ୍ରମ କୁ ସୁ-ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ କିଶୋରୀ ବାଳିକା ଓ ଅଞ୍ଚଳର ବୁଦ୍ଧିଜୀବୀ,ଜନ ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ।ଏହି ଅବସରରେ ଛାତ୍ରୀ ମାନଙ୍କ ମନରୁ ଥାନା ପ୍ରତି ଥିବା ନକାରାତ୍ମକ ଚିନ୍ତାଧାରା ଏବଂ ଭୟ ଦୂର କରିବା ପାଇଁ ସେମାନଙ୍କୁ ଥାନା ଅଧିକାରୀ ଓମ ନାରାୟଣ ପାତ୍ର ଥାନା ପରିସର,କାର୍ଯ୍ୟାଳୟ ଏବଂ ହାଜତ ଆଦି ବୁଲାଇବା ସହିତ ଥାନା କର୍ମଚାରୀଙ୍କ ସହିତ ପରିଚିତ କରାଇ ଦେଇଥିଲେ। କାର୍ଯ୍ୟକ୍ରମରେ ଥାନା କର୍ମଚାରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ।
