ମେ -୦୩:ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ …
*ସ୍ୱାଧୀନ ସାମ୍ବାଦିକତାର ସ୍ୱରୂପ*
_ଡା. ରାଜାରାମ ଷଡ଼ଙ୍ଗୀ_
ଆଜି ମେ ୩ ତାରିଖ। ସ୍ୱାଧୀନ, ନିରପେକ୍ଷ, ସୁରକ୍ଷିତ ସାମ୍ବାଦିକତାର ଗୁରୁତ୍ୱକୁ ସ୍ମରଣ କରୁଛି। ସମଗ୍ର ବିଶ୍ୱ ପାଳନ କରୁଛି ବିଶ୍ୱ ସ୍ୱାଧୀନତା ପ୍ରେସ ଦିବସ। ଯୁନାଇଟେଡ଼ ନେସନାଲ ଏଜୁକେଶନାଲ ସାଇଣ୍ଟିଫିକ ଏଣ୍ଡ କଲଚରାଲ ଅର୍ଗାନାଇଜେସନ (ୟୁନିସ୍କୋ)ଦ୍ୱାରା ଯାହା ୧୯୯୩ ମସିହାରେ ସ୍ୱୀକୃତି ମିଳିଥିଲା। ଯାହାର ଆଜିର ମୂଳ ବିଷୟ ହେଉଛି “ସପିଙ୍ଗ ଏ ଫ୍ୟୁଚର ଏଟ ପିସ “।ଏହାର ମୁଖ୍ୟ କାର୍ଯ୍ୟକ୍ରମ ଲୁସାକା ଓ ଜାମ୍ବିଆରେ ଆସନ୍ତା ୪ ଓ ୫ ତାରିଖରେ ସୁବ୍ୟବସ୍ଥିତ ଭାବେ ଆୟୋଜନ କରାଯାଉଛି।କହିବା ଅର୍ଥ ହେଲା ଏହି ଦିବସର ରହିଛି ଏକ ବଡ଼ ମହତ୍ତ୍ୱ। ସୂଚନା ପାଇବାର ଅଧିକାର, ମତ ପ୍ରକାଶର ଅଧିକାର, ସତ୍ୟ ଖବର ପ୍ରକାଶ କରୁଥିବା ସାମ୍ବାଦିକଙ୍କୁ ସମ୍ମାନ, ଗଣମାଧ୍ୟମକୁ ସୁରକ୍ଷା, ଡିଜିଟାଲ ଯୁଗରେ ନୈତିକ ସାମ୍ବାଦିକତାକୁ ପ୍ରୋତ୍ସାହନ ଭଳି ଗୁରୁତ୍ୱ ପୂର୍ଣ୍ଣ ବିଷୟରେ ସରକାରଙ୍କ ପାଇଁ ଏହା ଏକ ପ୍ରେରଣାର ଉତ୍ସ ବୋଲି ବିଚାର କରାଯାଇପାରେ।”ସ୍ୱାଧୀନ ଗଣମାଧ୍ୟମ କେବଳ ସାମ୍ବାଦିକଙ୍କର ସ୍ୱର ନୁହେଁ, ଏହା ସମଗ୍ର ସମାଜର ସ୍ୱର”।
ସ୍ୱାଧୀନ ସାମ୍ବାଦିକତା ହେଉଛି ଏମିତି ଗଣମାଧ୍ୟମ ବ୍ୟବସ୍ଥା, ଯାହା କୌଣସି ରାଜନୈତିକ ଚାପ, ଆର୍ଥିକ ପ୍ରଭାବ, ବ୍ୟକ୍ତିଗତ ସ୍ୱାର୍ଥ କିମ୍ବା ଭୟରୁ ମୁକ୍ତ ରହି ସତ୍ୟ, ନିରପେକ୍ଷ ଓ ଜନହିତକର ସୂଚନା ପ୍ରଦାନ କରେ। ଏହା ଗଣତନ୍ତ୍ରର ଏକ ମୁଖ୍ୟ ଭିତ୍ତିସ୍ଥମ୍ଭ।ଏହାକୁ ଗ୍ରହଣ କରାଯିବା ଉଚିତ।
ସ୍ୱାଧୀନ ସାମ୍ବାଦିକତାର ପ୍ରମୁଖ ବୈଶିଷ୍ଟ୍ୟ ବି କିଛି କମ ନୁହେଁ।ସତ୍ୟନିଷ୍ଠା ସହିତ ଘଟଣାକୁ ଯଥାର୍ଥ ଓ ପ୍ରମାଣଭିତ୍ତିକ ଭାବରେ ପ୍ରସ୍ତୁତ କରିବା କେଡ଼େବଡ଼ ସାଧନା ତାହା ହିଁ ଆଜି ଦିନର ଏକ ବଡ଼ ଆହ୍ୱାନ।ସେମିତିରେ ନିରପେକ୍ଷତା ଆଉ ଏକ କଷ୍ଟକର କାମ।କୌଣସି ଦଳ, ବ୍ୟକ୍ତି କିମ୍ବା ସଂସ୍ଥା ପ୍ରତି ପକ୍ଷପାତ ନ କରିବା ଭଳି ସୂଚନା ନୁଆଁ ସମ୍ଭାବନାର ଦର୍ଶନ ଦେଇଥାଏ, ଏହାକୁ ଦଳ ମତ ନିର୍ବିଶେଷରେ ସମାଜ ଗ୍ରହଣ କରିବା ଉଚିତ।ଯାହାକି ଜନହିତ ପ୍ରତିବଦ୍ଧତା ସହିତ ଜଡିତ।ସମାଜର ଭଲ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉଠାଇବା ହେଉଛି ପ୍ରକୃତ ସାମ୍ବାଦିକତା।ଏଥିପାଇଁ ନିର୍ଭୀକତା ମଧ୍ୟ ଏକ ବଡ଼ ଶକ୍ତି। ସତ୍ୟକୁ ପ୍ରକାଶ କରିବାରେ ଚାପ କିମ୍ବା ଭୟରେ ନରମି ନଯାଇ ଦାମ୍ଭିକତା ସହିତ କଲମ ମୁନର ସ୍ୱର ହିଁ ସମାଜ ସଂସ୍କାରର ମୂଳଧାର। ଯାହା ପାଇଁ ପ୍ରେରଣା ଓ ପ୍ରୋତ୍ସାହନ ବର୍ତ୍ତମାନ ସମୟ ପାଇଁ ଏକ ଆହ୍ୱାନର ପ୍ରସଙ୍ଗ। ଏହାର ପ୍ରାସଙ୍ଗିକତାକୁ ସବୁସମୟରେ ସବୁସ୍ତରରେ ଗ୍ରହଣୀୟ ଯୋଗ୍ୟ କରିବାକୁ ଆମର ବିଚାର ଶକ୍ତିକୁ ଶାନ୍ତ ଭାବେ ବୁଝି ବୁଝାଇବା ଭଳି ସାମର୍ଥ ଲୋଡ଼ା ପଡୁଛି।କାରଣ ପ୍ରକାଶିତ ଖବର ପାଇଁ ସମାଜ ପ୍ରତି ଦାୟିତ୍ୱବାନ ରହିବା ହେଉଛି ସମସ୍ତଙ୍କ ଦାୟିତ୍ୱ। ନୈତିକତା ହିଁ ସାମ୍ବାଦିକତାର ମୂଲ୍ୟବୋଧ ଓ ପେଶାଗତ ନୀତି ଅନୁସରଣ କରିବାର ଏକ ବଡ଼ ମାଧ୍ୟମ।
ସର୍ବୋପରି କହିବାକୁ ହେବ,ସ୍ୱାଧୀନ ସାମ୍ବାଦିକତା ଗଣତନ୍ତ୍ରକୁ ସୁଦୃଢ଼ କରେ ଏବଂ ଜନସାଧାରଣଙ୍କୁ ସଠିକ୍ ସୂଚନା ମାଧ୍ୟମରେ ସଚେତନ କରେ।
“ସତ୍ୟର ପକ୍ଷରେ ନିର୍ଭୀକ ସ୍ୱର ହିଁ ସ୍ୱାଧୀନ ସାମ୍ବାଦିକତାର ପରିଚୟ”।
ଏଭଳି କିଛି ଗୁରୁତ୍ୱ ପୂର୍ଣ୍ଣ ବିଷୟ ବିଷୟରେ ଆଲୋଚନା କଲାବେଳକୁ ଗଣତନ୍ତ୍ର ସୁରକ୍ଷା କଥା ମଧ୍ୟ ମନକୁ ଆସିଥାଏ।ଗଣତନ୍ତ୍ର ଓ ଗଣମାଧ୍ୟମ ଅଙ୍ଗାଙ୍ଗୀ ଭାବେ ଜଡିତ। ଏଣୁ ଦିବସର ଉଦ୍ଦେଶ୍ୟ ଉପରେ ସରକାରଙ୍କ ମଧ୍ୟ୍ୟ ଦାୟିତ୍ୱ ରହିଛି। ସାମ୍ବାଦିକତାର ସ୍ୱାଧୀନତାକୁ ସୁରକ୍ଷା କରିବା,ମତ ପ୍ରକାଶର ଅଧିକାରକୁ ସମ୍ମାନ ଦେବା, ସତ୍ୟ ଓ ନିର୍ଭୀକ ସାମ୍ବାଦିକମାନଙ୍କ ଅବଦାନକୁ ସ୍ମରଣ କରିବା ଓ ଗଣତନ୍ତ୍ରରେ ସ୍ୱାଧୀନ ଗଣମାଧ୍ୟମର ଗୁରୁତ୍ୱକୁ ଉଜାଗର କରିବା ଭଳି ଦାୟିତ୍ୱ ଉପରେ ଚିନ୍ତା କରିବା ଆବଶ୍ୟକ ରହିଛି। ଜଣେ ସାମ୍ବାଦିକର ଚିନ୍ତାଧାରା କୁ ହାଲୁକା ଭାବେ ନନେଇ ସମାଜର ଚିନ୍ତାଶୀଳ ଓ ଦାୟିତ୍ୱ ସମ୍ପର୍ଣ୍ଣ ସରକାର ଓ ଅଧିକାରୀ ମାନେ ମଧ୍ୟ ସକାରାତ୍ମକ ମନୋଭାବ ରଖିଲେ ଏହାର ସନ୍ଦେଶ ଦିଗନ୍ତବ୍ୟାପୀ ପ୍ରସାରିତ ହୋଇ ଏକ ନୁଆଁ ସମ୍ଭାବନାର ସୂର୍ଯ୍ୟ ଉଇଁବ।ଏହିବି ସମସ୍ତେ ଜାଣିବା ଆବଶ୍ୟକ ଯେ,”ସ୍ୱାଧୀନ ପ୍ରେସ ହେଉଛି ଗଣତନ୍ତ୍ରର ଶକ୍ତି, ସମାଜର ସତ୍ୟ ସ୍ୱର।”
