September 2, 2026

ଚିକିତ୍ସା ଅବହେଳା ଯୋଗୁଁ ନବଜାତ ଶିଶୁର ମୃତ୍ୟୁକୁ ନେଇ ପ୍ରତିବାଦ।ପୋଲିସର ତଦନ୍ତ ଜାରି ରହିଛି

IMG-20260902-WA0035
Share

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର, ବିଶେଷଜ୍ଞ, ପାରା ମେଡିକାଲ କର୍ମଚାରୀଙ୍କ ଅଭାବ ସହିତ ବେଡ଼ ଅଭାବ ତଥା ଚିକିତ୍ସାରେ ଚରମ ଅବହେଳା ଯୋଗୁଁ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ସାମ୍ନାକୁ ଆସୁଥିବାବେଳେ ପୁଣିଥରେ ଚିକିତ୍ସାରେ ଅବହେଳା ଯୋଗୁଁ ନବଜାତ ଶିଶୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଘଟଣା ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଚମ୍ପା ଦେଇପୁର ପଞ୍ଚାୟତ ଅଧିନସ୍ଥ ପ୍ରତାପପୁର ଗ୍ରାମ ନିବାସୀ ମାର୍କଣ୍ଡ ବଗର୍ତ୍ତୀଙ୍କ ପତ୍ନୀଙ୍କୁ ପ୍ରସବ ପାଇଁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର ଅସ୍ତ୍ରୋପଚାର ପରେ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଶିଶୁ ଜନ୍ମ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା କିନ୍ତୁ ଶିଶୁର ଜନ୍ମ ହେବାପରେ ତାର ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଆବଶ୍ୟକ ଚିକିତ୍ସା କରାଯାଇନଥିବା ଯୋଗୁଁ ଜନ୍ମର ପ୍ରାୟ ଏକ ଘଣ୍ଟା ପରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହେବାରୁ ପରିବାର ବର୍ଗଙ୍କ ପକ୍ଷରୁ ଡାକ୍ତରଙ୍କୁ ଭେଟିବାକୁ ଚେଷ୍ଟା କରାଯାଇଥିବା ସତ୍ତ୍ୱେ ଡାକ୍ତର କର୍ଣ୍ଣପାତ କରିନଥିଲେ। ପରେ ତାକୁ ଏସ.ଏନ.ସି.ୟୁ ରେ ଭର୍ତ୍ତି କରିବା ପାଇଁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଏତିକି ସମୟ ମଧ୍ୟରେ ଓ.ଟି ରିପୋର୍ଟ ମିଳିନଥିବାରୁ ଶିଶୁକୁ ଏସ.ଏନ.ସି.ୟୁ ରେ ଭର୍ତ୍ତି କରାଯାଇ ପାରିନଥିଲା। ଏହାର କିଛି ସମୟ ପରେ ନବଜାତ ଶିଶୁର ମୃତ୍ୟୁ ଘଟିଥିଲା।ଏହି ଘଟଣା ପରେ ମାର୍କଣ୍ଡ ବଗର୍ତ୍ତୀ ଓ ପରବାର ବର୍ଗ ଉତ୍ତ୍ୟକ୍ତ ହୋଇ ପ୍ରବଳ ପ୍ରତିବାଦ କରିବା ସହ ଏହି ଘଟଣାରେ ଦାୟୀ ଥିବା ଡାକ୍ତରଙ୍କ ବିରୋଧରେ ଉଚିତ କାର୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଥିଲେ। ଏହାପରେ ଭବାନୀପାଟଣା ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ପରିବାର ବର୍ଗଙ୍କୁ ବୁଝା ସୁଝା କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି।