ରାସ୍ତା କାମରେ ଖୋଲାଖୋଲି ଦୁର୍ନୀତି।

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମ ଠାରୁ କୋକସରା ବ୍ଲକ ଅନ୍ତର୍ଗତ ତେଣ୍ଡାପାଲି ଗ୍ରାମ ପର୍ଯ୍ୟନ୍ତ ତିଆରି ହୋଇଥିବା ନବନିର୍ମିତ ପିଚୁ ରାସ୍ତାଟିକୁ ପନ୍ଦର ଦିନ ନପୂରୁଣୁ ପିଚୁ ଉଠିବା ଆରମ୍ଭ ହୋଇଗଲାଣି ଏଥିସହ ବିଭିନ୍ନ ସ୍ଥାନରେ ବଡବଡ ଗର୍ତ୍ତ ହେବାସହ ରାସ୍ତା ଫାଟି ଗଲାଣି। ଏପରିକି ରାସ୍ତାର ପିଚୁକୁ ହାତରେ ରାମ୍ପି ଆଣିଲେ ପିଚୁ ବାହାରିପଡୁଛି। ଏନେଇ ଅସନ୍ତୋଷର ସହ ତେଣ୍ଡାପାଲୀ ଗ୍ରାମବାସି ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ଯେ’,ଦୀର୍ଘ ପ୍ରାୟ ପନ୍ଦର ବର୍ଷରୁ ଉର୍ଦ୍ଧ୍ୱ ହେବ ତେଣ୍ଡାପାଲୀ ଗ୍ରାମବାସୀଙ୍କ ସହ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଡାଙ୍ଗସର୍ଗି, ଡାଲଗୁମା ତଥା ନିମପଡା ଗ୍ରାମବାସୀ ତେଣ୍ଡାପାଲୀ ଠାରୁ ବେହେରା ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ଦାବି କରିଆସୁଥିଲେ। ଶେଷରେ ରାସ୍ତା କାମ ଆରମ୍ଭ ହୋଇ ପ୍ରାୟ ପନ୍ଦର କୋଡିଏ ଦିନ ପୂର୍ବେ ଶେଷ ହୋଇଥିଲା। ଏନେଇ ଏହି ରାସ୍ତା ଉପରେ ସମ୍ପୂର୍ଣ ନିର୍ଭରଶୀଳ ଥିବା ସମସ୍ତ ଗ୍ରାମର ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଥିଲା। କାରଣ ଧର୍ମଗଡ଼ ବ୍ଲକର ବେହେରା ଏକ ବୃହତ ଗ୍ରାମ (ଛୋଟ ସହର)ସହ ଆଖପାଖ ଅଞ୍ଚଳର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ତଥା ଉଚ୍ଚ ଶିକ୍ଷା କେନ୍ଦ୍ର ଅଟେ। ତେଣୁ ତେଣ୍ଡାପାଲୀ ସହ ଏହି ରାସ୍ତାରେ ପଡୁଥିବା ସମସ୍ତ ଗ୍ରାମବାସୀ ଦୈନିକ କାର୍ଯ୍ୟ ତଥା ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ନିମନ୍ତେ ସମ୍ପୂର୍ଣ ନିର୍ଭରଶୀଳ ଅଟନ୍ତି। କିନ୍ତୁ ରାସ୍ତାଟି ମାସେ ନପୂରୁଣୁ ନଷ୍ଟ ହୋଇଯିବା ନେଇ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି। ଗ୍ରାମବାସୀ ଆହୁରି ମଧ୍ୟ ଜଣାଇଛନ୍ତି ଯେ’,ଏନେଇ ପ୍ରଶାସନ,ବିଭାଗୀୟ କର୍ତୃପକ୍ଷ, ଜେ. ଇ ତଥା ସମ୍ପୃକ୍ତ ଠିକାଦାରଙ୍କୁ ବାରମ୍ବାର ଫୋନ ଜରିଆରେ ଯୋଗାଯୋଗ କରିବା ସତ୍ତ୍ୱେ, କେହି କିଛି ପ୍ରତିକ୍ରିୟା ଦେଉନାହାନ୍ତି। ଏଥରୁ ଏହି ରାସ୍ତା ତିଆରି ହେବାରେ ଖୋଲାଖୋଲି ଦୁର୍ନୀତି ହୋଇଥିବା ଜଣାପଡୁଥିବା ନେଇ ଗ୍ରାମବାସୀ ଜଣାଇବା ସହ, ଅତି ଶୀଘ୍ର ରାସ୍ତାଟି ପୁନଃନିର୍ମାଣ କରାନଗଲେ, ଆଗକୁ ଗ୍ରାମବାସୀଙ୍କ ପକ୍ଷରୁ ବଡ଼ ଧରଣର ପଦକ୍ଷେପ ନିଆଯିବ ବୋଲି ଚେତାବନି ଦେଇଛନ୍ତି।
