ମହୁମାଛି ଆକ୍ରମଣରେ ୬ କଂଗ୍ରେସ କର୍ମୀ ଗୁରୁତର ଆହତ

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କଳମପୁର ବ୍ଲକ କଂଗ୍ରେସ ତରଫରୁ ଲିଟିଯୋର ସ୍ଥିତ ଆମ୍ବ ବଗିଚାରେ ଏକ ବ୍ଲକ ସ୍ତରୀୟ ସାଙ୍ଗଠାନିକ ବୈଠକର ଆୟୋଜନ କରାଯାଇଥିଲା। ଉକ୍ତ ବୈଠକରେ କଳମପୁର ବ୍ଲକ କଂଗ୍ରେସ ସଭାପତି ଶ୍ରୀ ତରଣୀସେନ ପଟେଲଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିବାବେଳେ, ଅନ୍ୟପଟେ ଉପସ୍ଥିତ କର୍ମୀଙ୍କ ନିମନ୍ତେ ଭୋଜନର ବନ୍ଦୋବସ୍ତ କରାଯାଇଥିଲା। କିନ୍ତୁ ଖାଦ୍ୟ ରନ୍ଧନ ସମୟରେ ସେଠାରୁ ବାହାରୁଥିବା ଧୂଆଁ ଯୋଗୁଁ, ନିକଟସ୍ଥ ଆମ୍ବ ଗଛ ଗୁଡିକ ଉପରେ ଥିବା ମହୁ ଫେଣାରୁ ମହୁମାଛି ମାନେ ଆସି, ରନ୍ଧନ କାର୍ଯ୍ୟରେ ନିୟୋଜିତ ଥିବା ଲୋକମାନଙ୍କ ସହିତ ବୈଠକରେ ବସିଥିବା କଂଗ୍ରେସ କର୍ମୀ ମାନଙ୍କୁ ପ୍ରବଳ ଆକ୍ରମଣ କରିଥିଲେ। ଯାହାଫଳରେ ସେଠାରେ ଉପସ୍ଥିତ କଂଗ୍ରେସ କର୍ମୀମାନେ ଜୀବନ ବିକଳରେ ବୈଠକ ଛାଡି ଦୌଡିବା ଆରମ୍ଭ କରିଥିଲେ। ଏହି ମହୁମାଛି ଆକ୍ରମଣ ଯୋଗୁଁ ବୈଠକଟି ପଣ୍ଡ ହେବାସହ, ୬ ଜଣ କଂଗ୍ରେସ କର୍ମୀ ଗୁରୁତର ଆହତ ହୋଇ କଳମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଆହତ କର୍ମୀମାନେ ହେଲେ ପଦ୍ମଲୋଚନ ନାଏକ, ଗଣେଶ ନାଗ, କଳାକାହ୍ନୁ କଟା, କେଶବ ଶବର, ଜନ୍ମେଜୟ ବିହାରି ଏବଂ ଧର୍ମେନ୍ଦ୍ର କୁମାର।
