November 25, 2024

ବିସ୍ମୟୀ ବାଳିକା ସ୍ଵୟଂସିଦ୍ଧା

Share

ବିସ୍ମୟୀ ବାଳିକା ସ୍ଵୟଂସିଦ୍ଧା

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଆଶ୍ଚର୍ଯ୍ୟ ଓ ବିସ୍ମୟ ! ଆଖିରେ ଅନ୍ଧ ପୁଟୁଳି ବାନ୍ଧି ସବୁକିଛି କାର୍ଯ୍ୟ ନିର୍ଦ୍ବନ୍ଦରେ କରୁଛନ୍ତି ଛାତ୍ରୀ । ସାମାନ୍ୟ ତ୍ରୁଟି କି ସାମାନ୍ୟ ଆଘାତ ବି ଲାଗୁନାହିଁ । ବର୍ତ୍ତମାନ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, କୋରାପୁଟରେ ୭ମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀ ସ୍ଵୟଂସିଦ୍ଧା ସାହୁ (ଗୁଡଲି) ବର୍ତ୍ତମାନ ତାଙ୍କ ଅନନ୍ୟ ପ୍ରତିଭା ପାଇଁ ବେଶ୍ ଚର୍ଚ୍ଚିତ । ସେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଅକ୍ଲେଶରେ ବିଭିନ୍ନ ରଙ୍ଗ ଚିହ୍ନିବା, ଫଟୋ ଦେଖି ଜାଣିବା,ବହି ପଢ଼ିବା, ଲେଖିବା, ସାଇକେଲ ଚଳାଇବା, ପରିବା କାଟିବା ,ଛୁଞ୍ଚିରେ ସୂତା ଗଲେଇ ଗୁନ୍ଥିବା ଭଳି ଇତ୍ୟାଦି ଯାବତୀୟ କାର୍ଯ୍ୟ କରି ପାରୁଛନ୍ତି। ଗ୍ରୀଷ୍ମ ଛୁଟିରେ ସେ ଏକ ଅନଲାଇନ୍ କୋର୍ସ କରି ଏହି ପ୍ରତିଭା ହାସଲ କରିଥିବା ଜଣାଇଛନ୍ତି । ଜୟପୁରସ୍ଥିତ ଇଭାନ ଇନଷ୍ଟିଚ୍ୟୁଟ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କୋର୍ସ୍ ଜରିଆରେ ସ୍ଵୟଂସିଦ୍ଧା ‘ ଦିବ୍ୟ ଶକ୍ତି ‘ ପ୍ରାପ୍ତ କରିଛନ୍ତି। ଏହି ଶକ୍ତି ବଳରେ ସେ ଆଖିରେ ପଟି ବାନ୍ଧି ଅନେକ କାର୍ଯ୍ୟ କରି ପାରୁଛନ୍ତି। ଏଥିପାଇଁ ସେ ଦୈନିକ ୩ ଘଣ୍ଟା ପରିଶ୍ରମ କରୁଥିବା ପ୍ରକାଶ କରିଛନ୍ତି। ଗୁରୁ ଶ୍ରୀ ଯୋଗେନ୍ଦ୍ର ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ବାପାଙ୍କ ସହଯୋଗରେ ସେ ଏହି ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି ବୋଲି ସ୍ଵୟଂସିଦ୍ଧା କହନ୍ତି । ସେ ଗୁଣୁପୁର ର ପୂର୍ବତନ ସାମ୍ବାଦିକ ମୀନ କେତନ ସାହୁ ଓ ହେମଲତା ସାହୁଙ୍କ ଜ୍ୟେଷ୍ଠ କନ୍ୟା ଏବଂ ଗୁଣୁପୁରର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସିମାଞ୍ଚଳ ସାହୁଙ୍କ ଝିଆରୀ ଅଟନ୍ତି । ତାଙ୍କ ପିତା ବର୍ତ୍ତମାନ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କୋରାପୁଟ ରେ କିରାଣୀ ଭାବେ କାର୍ଯ୍ୟ କରୁଥିବା ବେଳେ ମାଆ ଲେପ୍ରା ସୋସାଇଟିରେ ନର୍ସ ଅଛନ୍ତି। ତାଙ୍କର ଏହି ଅନନ୍ୟ ପ୍ରତିଭା ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ,ଅଭିଭାବକ ଓ ସାଙ୍ଗ ସାଥୀ ମହଲରେ ପ୍ରଶଂସାର ସୁଅ ଛୁଟିଛି। ଏହାହେଉଛି ସୁରକ୍ଷିତ ଜୀବନ ଜୀଇଁବାର ଏକ କଳା । ଏହା ଦ୍ଵାରା ନିଜକୁ ନିଜେ ସୁରକ୍ଷିତ ରଖିବାର ଏକ ମାଧ୍ୟମ । କୁନିଝିଅର ଏଭଳି ସାହସ ଓ ସଫଳତା ଗୁଣୁପୁର ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।