ପଞ୍ଚମ ପର୍ଯ୍ୟାୟରେ ୩,୨୫୦ ଖଣ୍ଡ ମାଗଣା ପାଠ୍ୟପୁସ୍ତକ ବୁଗୁଡାରେ ପହଞ୍ଚିଲା

ବୁଗୁଡ଼ା :ତା ୨୭ /୦୬/୨୬ : ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ପକ୍ଷରୁ ତୃତୀୟ ପର୍ଯ୍ୟାୟରେ ସମଗ୍ର ଶିକ୍ଷା ଅଭିଯାନ ଯୋଜନା ମାଧ୍ୟମରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଯୋଗାଇ ଦିଆଯାଉଥିବା ପାଠ୍ୟପୁସ୍ତକ ମଧ୍ୟରୁ ଅନେକ ପୁସ୍ତକ ପାଞ୍ଚୋଟି ପର୍ଯାୟରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି । ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମସ୍ତ ବହି ବଦଳି ଯାଇ ନୂତନ ସଂସ୍କରଣରେ ପ୍ରକାଶିତ ବହିକୁ ନେଇ ପାଠ ପଢ଼ାଯିବ ବୋଲି ଜଣାଯାଇଛି। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୭୪୦୦ ଖଣ୍ଡ, ଦ୍ବିତୀୟ ପର୍ଯ୍ଯାୟରେ ୧୧୯୦୦ ଖଣ୍ଡ, ତୃତୀୟ ପର୍ଯ୍ୟାୟରେ ୩୮,୮୫୦ ଖଣ୍ଡ , ଚତୁର୍ଥ ପର୍ଯ୍ୟାୟରେ ୧୧,୩୫୦ ଖଣ୍ଡ ବହି ପହଞ୍ଚିଥିଲା ବେଳେ ଏବେ ପଞ୍ଚମ ପର୍ଯ୍ୟାୟରେ ୩,୨୫୦ ଖଣ୍ଡ ବହି ପହଞ୍ଚିଛି ଯେଉଁଥିରେ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଯଥାକ୍ରମେ ୩୨୫୦ ଓ ୨୨୫ ଖଣ୍ଡ ବହି ରହିଛି। ତେବେ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଯୋଗାଯାଇଥିବା ପାଠ୍ୟପୁସ୍ତକ ମଧ୍ୟରୁ ଚତୁର୍ଥ ଶ୍ରେଣୀର ଆର୍ଟ ଏଜୁକେସନ ୧୭୦୦ଟି , କୌଶଳବୋଧ ୫୦ଟି, ଅଷ୍ଟମ ଶ୍ରେଣୀର ଗଣିତ ବହି ୧୫୦୦ ଖଣ୍ଡ ରହିଥିବା ବେଳେ ବେସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଯୋଗାଯାଇଥିବା ପାଠ୍ୟପୁସ୍ତକ ମଧ୍ୟରୁ ଅଷ୍ଟମ ଶ୍ରେଣୀର ଗଣିତ ୧୫୦ ଖଣ୍ଡ ଓ ହିନ୍ଦୀ କଳିକା ୭୫ ଖଣ୍ଡ ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆବଶ୍ୟକୀୟ ଅବଶିଷ୍ଟ ପାଠ୍ୟପୁସ୍ତକ ପହଞ୍ଚିବ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି।
