October 25, 2026

ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବଏଲ ଯାତ୍ରା ଢୋଲ, ନିଶାନର ତାଳେ ଦୁଲୁକୁଛି ଗାଁ ଦାଣ୍ଡ, ପରମ୍ପରାରେ ଝଲସୁଛି ପଶ୍ଚିମ ଓଡ଼ିଶା

IMG-20261025-WA0028
Share

ସମ୍ବଲପୁର,୨୫. ୧୦: ପଶ୍ଚିମ ଓଡ଼ିଶାର ମାଟି, ସଂସ୍କୃତି ଓ ଲୋକପରମ୍ପରାର ଅନନ୍ୟ ପରିଚୟ ହେଉଛି ବଏଲ ଯାତ୍ରା। ଢୋଲ, ନିଶାନ ଓ ବିଭିନ୍ନ ପାରମ୍ପରିକ ବାଦ୍ୟର ତାଳେ ଏବେ ଦୁଲୁକୁଛି ସମ୍ବଲପୁର ଜିଲ୍ଲାର ବିଭିନ୍ନ ଗାଁର ଦାଣ୍ଡ। ଭକ୍ତି, ଉତ୍ସାହ ଓ ସାମୂହିକ ଆନନ୍ଦର ପରିବେଶ ମଧ୍ୟରେ ଗ୍ରାମାଞ୍ଚଳରେ ବଏଲ ଯାତ୍ରାକୁ ନେଇ ଦେଖିବାକୁ ମିଳୁଛି ବ୍ୟାପକ ଉତ୍ସାହ।

ବଏଲ ଯାତ୍ରା ପାଇଁ ପ୍ରସିଦ୍ଧ ଲଇଡ଼ା, ତାଳବ ଓ ପରମାଣପୁରଠାରୁ ଆରମ୍ଭ କରି ବଳବସପୁର, ହୁତମା, ରୁନିମହୁଲ, ଗୁଲାମାଳ, ଜଙ୍ଗଳା, ରସିଆପାଲି ଓ କୁର୍ଲାବାହାଲ ଆଦି ବିଭିନ୍ନ ସ୍ଥାନରେ ଏହି ପାରମ୍ପରିକ ଯାତ୍ରା ଉତ୍ସାହର ସହ ପାଳିତ ହେଉଛି। ଗାଁ ଗାଁରେ ସଜେଇ ହୋଇଥିବା ପୂଜା ପେଣ୍ଡାଲ, ଭକ୍ତିମୟ ପରିବେଶ ଓ ବାଦ୍ୟର ଗର୍ଜନ ଉତ୍ସବକୁ ଅଧିକ ଆକର୍ଷଣୀୟ କରିଛି।

ବିଭିନ୍ନ ପେଣ୍ଡାଲରେ ରେଙ୍ଗାଲିର ପୂର୍ବତନ ବିଧାୟକ ତଥା ସାଂସଦଙ୍କ ପ୍ରତିନିଧି ନାଉରୀ ନାଏକ, ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ଓ ବିଜେପି ନେତ୍ରୀ ଶୁଭଶ୍ରୀ ମିଶ୍ର ପ୍ରମୁଖ ଯୋଗଦେଇ ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଗ୍ରହଣ କରିଥିଲେ।

ବଏଲ ଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ,ଏହା ଗ୍ରାମୀଣ ଜୀବନର ସାଂସ୍କୃତିକ ଚେତନା, ଲୋକବିଶ୍ୱାସ ଓ ସାମାଜିକ ଏକତାର ପ୍ରତୀକ। ପିଢ଼ି ପରେ ପିଢ଼ି ଧରି ଚାଲିଆସିଥିବା ଏହି ପରମ୍ପରା ଲୋକଙ୍କୁ ନିଜ ମାଟି ଓ ସଂସ୍କୃତି ସହ ଯୋଡ଼ି ରଖିଛି। ଗାଁର ଯୁବକଙ୍କ ଉତ୍ସାହ, ବୟୋଜ୍ୟେଷ୍ଠଙ୍କ ମାର୍ଗଦର୍ଶନ ଓ ସମସ୍ତଙ୍କ ସହଯୋଗରେ ଏହି ଯାତ୍ରା ସାମୂହିକ ଉତ୍ସବର ରୂପ ନେଇଥାଏ।ଆଧୁନିକତାର ପ୍ରଭାବ ମଧ୍ୟରେ ନିଜର ମୌଳିକ ପରିଚୟ ଓ ପାରମ୍ପରିକ ରୀତିନୀତିକୁ ବଞ୍ଚାଇ ରଖିବାରେ ବଏଲ ଯାତ୍ରାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ଉତ୍ସବ ଗ୍ରାମୀଣ ଜନଜୀବନରେ ନୂଆ ଉତ୍ସାହ ଭରିବା ସହ ପରବର୍ତ୍ତୀ ପିଢ଼ିକୁ ନିଜ ସଂସ୍କୃତି ଓ ପରମ୍ପରା ସହ ପରିଚିତ କରାଇବାର ଏକ ମାଧ୍ୟମ ହୋଇଛି।ବଏଲ ଯାତ୍ରାର ଏହି ଉତ୍ସବମୁଖର ପରିବେଶ ସମ୍ବଲପୁରର ସମୃଦ୍ଧ ଲୋକସଂସ୍କୃତିର ଝଲକ ପ୍ରଦାନ କରୁଛି। ଗାଁ ଦାଣ୍ଡରେ ବାଦ୍ୟର ତାଳ, ଭକ୍ତିର ଭାବ ଓ ଲୋକଙ୍କ ମିଳନ ଏହି ପରମ୍ପରାକୁ ଆଜି ମଧ୍ୟ ଜୀବନ୍ତ ରଖିଛି।

You may have missed