June 27, 2026

ଗଜପତି:- *ନୂତନ ଅପରାଧିକ ଆଇନ’କୁ ନେଇ ଜିଲ୍ଲାସ୍ତରୀୟ ଦୁଇଦିନିଆ ତାଲିମ ଶିବିର କାର୍ଯ୍ୟକ୍ରମ ଉଦଘାଟିତ

IMG-20260627-WA0061
Share

 

ବ୍ରିଟିଶ ଅମଳର ପୁରୁଣା ଅପରାଧିକ ଆଇନ ୨୦୨୪ ମସିହାରେ ହଟାଯାଇ ଜନସାଧାରଣଙ୍କ ମଧ୍ୟରେ ଜାତୀୟତାର ହୃଦବୋଧ ତଥା ପୀଡ଼ିତଙ୍କୁ ତ୍ୱରିତ ନ୍ୟାୟ ଦେବା ଲକ୍ଷ୍ୟରେ ନୂତନ ଅପରାଧିକ ଆଇନ ଯଥା:- ଭାରତୀୟ ନ୍ୟାୟ ସଂହିତା , ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ କେନ୍ଦ୍ର ସରକାର’ଙ୍କ ଦ୍ଵାରା ପ୍ରଣୟନ କରା ଯାଇଥିଲା । ଏହି ନୂତନ ଆଇନ’କୁ ନେଇ ସମସ୍ତଙ୍କ ମଧ୍ୟରେ ଏକ ଉତ୍ସାହ ଦେଖାଯାଇଥିବା ବେଳେ ଆଇନ’ର ସଠିକ ତର୍ଜମା ମଧ୍ୟ ନିହାତି ଆବଶ୍ୟକ ଯାହା ଫଳରେ ଏହା ଲୋକାଭିମୁଖି ହୋଇପାରିବ , ସେହି କଥା’କୁ ହୃଦୟଙ୍ଗମ କରି ଓଡିଶା ସରକାର’ଙ୍କ ଆଇନ ବିଭାଗ ତଥା ଗୃହ ବିଭାଗ ଅଧିନ ସାଧାରଣ ଅଭିଯୋଜନ ନିର୍ଦ୍ଦେଶାଳୟ ସହଯୋଗରେ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲା ନ୍ୟାୟାଳୟର ମାନ୍ୟବର ଜିଲ୍ଲା ଦୌରା ଜଜ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଜପତି ଜିଲ୍ଲାର ନନ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟରଙ୍କ ପାଇଁ ଏକ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଭାରତୀୟ ନ୍ୟାୟ ସଂହିତାରେ ଆସିଥିବା ବିଭିନ୍ନ ନୂତନ ଆଇନ , ସଂଶୋଧନ ଓ ଏହାର ପ୍ରଭାବ ତଥା ପୁରୁଣା ଓ ନୂଆ ଅପରାଧିକ ଆଇନ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନ , ଫରେନସିକ ପ୍ରମାଣକୁ ନେଇ କିପରି ଅଦାଲତ ସମ୍ମୁଖରେ ପ୍ରସ୍ତୁତ କରାଯିବ ସେ ନେଇ ଆଜିର କର୍ମଶାଳାରେ ଆଲୋଚନା କରା ଯାଇଥିଲା।

ଏହି କ୍ରମରେ ଆଜି ସର୍ବପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଗୌରହରି କରସୁଧା ପଟ୍ଟନାୟକଙ୍କ ସଂଯୋଜନାରେ ସ୍ଥାନୀୟ ଅରବିନ୍ଦ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାୟନ କରା ଯାଇଥିଲା। ପରେ ମାନ୍ୟବର ଜିଲ୍ଲା ଜଜ ଶ୍ରୀ ମହାନ୍ତି ଗରିବ ଲୋକ କିପରି ତ୍ୱରିତ ନ୍ୟାୟ ପାଇପାରିବ ସେ ନେଇ ସମସ୍ତ ପ୍ରସିକ୍ୟୁଟରଙ୍କୁ ସେଥି ନିମନ୍ତେ ବିଶେଷ ଧ୍ୟାନ ଦେବାକୁ କହିଥିଲେ। ପରେ ଅନ୍ୟତମ ଅତିଥି ତଥା ଏସ.ପି. ପ୍ରହଲ୍ଲାଦ ସହାଇ ମୀନା ସମସ୍ତ ପ୍ରସିକ୍ୟୁଟରଙ୍କୁ ସେମାନଙ୍କର କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସା କରିବା ସହ ପୂର୍ବାପେକ୍ଷା ଆହୁରି ପ୍ରତିବଦ୍ଧ ହୋଇ କାମ କରି ଲୋକଙ୍କ ନିକଟବର୍ତ୍ତୀ ହେବା ନିମନ୍ତେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି କାର୍ଯ୍ୟକ୍ରମରେ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ , ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝି , ଜିଲ୍ଲା ଅଭିଯୋଜନ ଉପନିର୍ଦେଶକ ଅଜିତ ପଟ୍ଟନାୟକ , ପୂର୍ବତନ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେନ୍ଦ୍ର ପ୍ରସାଦ ସାହୁ, ଅଭିଯୋଜନ ବିଭାଗର ସହାୟକ ନିର୍ଦେଶକ ଡ଼ି. ଅନୁପରାଜ ଆଚାରି, ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକ ପ୍ରମୁଖ ଯୋଗଦେଇଥିଲେ ଓ ନିଜ ନିଜର ଅଭିଜ୍ଞତା ବିଷୟରେ ଉପସ୍ଥିତ ପ୍ରସିକ୍ୟୁଟରମାନଙ୍କୁ ଜଣାଇଥିଲେ।

ଏହି କ୍ରମରେ ଅଭିଯୋଜନ ବିଭାଗର ଅନୁରୋଧ କ୍ରମେ ବରିଷ୍ଠ ଅଧିବକ୍ତା ହୀରା ଚାନ୍ଦ ତଥା ପାରଳାଖେମୁଣ୍ଡି ଡାକ୍ତରଖାନାର ଡ଼ଃ ଶାନ୍ତନୁ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ହୋଇ ଏହି କାର୍ଯ୍ୟକ୍ରମରେ ବୈଷୟିକ ଜ୍ଞାନ ଭିତ୍ତିକ ନୂତନ ଆଇନ ଓ ମେଡ଼ିକାଲ ପ୍ରମାଣ ଉପରେ ନିଜର ଅଭିଜ୍ଞତା ସମସ୍ତଙ୍କୁ ଅବଗତ କରାଇଥିଲେ।

ସର୍ବଶେଷରେ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଏହି କାର୍ଯ୍ୟକ୍ରମର ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ କୋର୍ଟର ନନ କ୍ୟାଡର ପ୍ରୋସିକ୍ୟୁଟର ମାନେ ଯୋଗ ଦେଇଥିଲେ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

———————————————

You may have missed