November 21, 2024

ନାବାଳିକା ଶାଳୀକୁ ହତ୍ୟା କରି ଜ୍ବାଇଁ ଗଲେ ଜେଲ୍

Share

ନାବାଳିକା ଶାଳୀକୁ ହତ୍ୟା କରି ଜ୍ବାଇଁ ଗଲେ ଜେଲ୍
ବୁଗୁଡ଼ା : ତା ୨୪/୦୮/୨୩ : ବୁଗୁଡ଼ା ଥାନା ମକରାପଲ୍ଲୀ ଗ୍ରାମର ଜନୈକା ନାବାଳିକାକୁ ଶାଳୀକୁ ହତ୍ଯା କରିଥିବା ଅଭିଯୋଗରେ ତାହାର ଜ୍ବାଇଁକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତ ଜଣକ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବରକୋଳିଆ ଗ୍ରାମର ସନ୍ତୋଷ ଖଣ୍ଡେଇ ଏବଂ ମୃତା ଜଣକ ମକରାପଲ୍ଲୀ ଗ୍ରାମର ଦଶମ ଶ୍ରେଣୀ ଛାତ୍ରୀ ବର୍ଷା ସାମଲ ବୋଲି ଜଣାପଡିଛି । ଏ ନେଇ କେସ୍ ନଂ ୬୦୪/୨୩ ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ , ମକରାପଲ୍ଲୀ ଗ୍ରାମର ଗୋପାଳ ସାମଲଙ୍କ ଦୁଇ ଝିଅଙ୍କ ମଧ୍ୟରୁ ବଡ ଝିଅକୁ ବରକୋଳିଆ ଗ୍ରାମର ସନ୍ତୋଷ ଖଣ୍ଡେଇ ପ୍ରେମ ବିବାହ କରିଥିଲେ । ସନ୍ତୋଷ ଦଶମ ଶ୍ରେଣୀରେ ପଢୁଥିବା ତାଙ୍କ ଶାଳୀଙ୍କ ସହ ଅବୈଧ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରିଥିବା ନେଇ ଶଶୁର ଘର ଲୋକେ ଜାଣି ପାରିଥିଲେ । ଏ ନେଇ ଅଶାନ୍ତି ସୃଷ୍ଟି ହେବାରୁ ଶାଳୀକୁ ଦ୍ବିତୀୟ ପତ୍ନୀର ମାନ୍ଯତା ଦେବାକୁ ମଧ୍ୟ ସନ୍ତୋଷ ସ୍ବୀକାର କରିଥିଲେ । ଶାଳୀ ମଧ୍ୟ ଜ୍ବାଇଁ ସନ୍ତୋଷଙ୍କ ପାଖରେ ରହୁଥିଲା । ତେବେ ଜ୍ବାଇଁ ପୁଅଙ୍କ ଘରେ ସାନ ଝିଅ ନଥିବା ଖବର ପାଇ ଗୋପାଳ ୨୧ ତାରିଖରେ ବୁଗୁଡା ଥାନାରେ ଅଭିଯୋଗ କରିଥିଲେ । ବୁଗୁଡା ପୋଲିସ୍ ଜ୍ବାଇଁ ପୁଅ ସନ୍ତୋଷକୁ କାବୁ କରି ଘଟଣା ସମ୍ପର୍କରେ ଖୋଳତାଡ କରିବା ବେଳେ ଗାଁ ନିକଟ ଏକ ପରିତ୍ୟକ୍ତ କୂଅରେ ଶାଳୀକୁ ମାରି ପକାଇ ଦେଇଥିବା ନେଇ ସନ୍ତୋଷ ପ୍ରକାଶ କହିଥିଲା । ତା’ପରେ ଏସ୍ଆଇ ସମୀର କୁମାର ସେଠୀଙ୍କ ନେତୃତ୍ତ୍ଵରେ ବୁଗୁଡ଼ା ପୋଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଜଗନ୍ନାଥପ୍ରସାଦ ପୋଲିସକୁ ସୂଚନା ଦେବା ସହ ଦମକଳବାହିନୀର ସହାୟତାରେ ଭାସମାନ ଅବସ୍ଥାରେ ଥିବା ମୃତାଙ୍କ ଶବକୁ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଯାଇଥିଲା । ଅଭିଯୁକ୍ତ ସନ୍ତୋଷକୁ ଅଟକ ରଖି ତଦନ୍ତକାରୀ ଅଧିକାରୀ ଅର୍ଜୁନ କଅଁର ଘଟଣାର ଖୋଳତାଡ କରିବା ବେଳେ ଜଣା ପଡିଥିଲା ଯେ, ଗତ ୧୭ ତାରିଖରେ ସନ୍ତୋଷ ତା’ର ଶାଳୀକୁ ବାଇକରେ ଧରି ବ୍ରହ୍ମପୁରକୁ ଗର୍ଭପାତ କରିବାକୁ ନେଇଥିଲା । ସେଠାରେ ଡାକ୍ତର ଗର୍ଭପାତ କରିବାକୁ ମନା କରିଦେବାରୁ ଉଭୟେ ଗାଁକୁ ଫେରୁ ଫେରୁଥିଲେ । ଗାଁରେ ପହଞ୍ଚିବା ପୂର୍ବରୁ ସନ୍ଧ୍ଯା ସମୟରେ ଏକ ନିଛାଟିଆ ଜାଗାରେ ଗାଡି ଅଟକାଇ ଶାଳୀର ଚୁନି ସାହାଯ୍ୟରେ ବେକକୁ ଚିପି ମାରି ଦେଇଥିଲା । ମରିଯିବା ପରେ ତାକୁ ଲଟାବୁଦାରେ ଲୁଚାଇ ଦେଇଥିଲା । ତା’ପର ଦିନ ୧୮ ତାରିଖ ବଡି ଭୋରରୁ ଯାଇ ଲଟାବୁଦାରୁ ମୃତ ଦେହଟିକୁ ବାହାର କରି ନିକଟସ୍ଥ ଏକ ପରିତ୍ଯକ୍ତ କୂଅରେ ପକାଇ ଦେଇ ଖଣ୍ଡେ ଦୂରରେ ନେଇଥିବା ବାଇକଟିକୁ ଛାଡି ବସରେ ଫେରିଆସିଥିଲା । ଏହି ଘଟଣା ବୁଗୁଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।