October 23, 2026

ଡଙ୍ଗରପଡ଼ାରେ ସରିଲା ୬୩ ବର୍ଷର ଶାରଦୀୟ ଉତ୍ସବ, ଆଜି ଭସାଣି ରାମଲୀଳା ସମ୍ପ୍ରଦାରେ ଭକ୍ତିମୟ ହେଲା ଗାଁ ଦାଣ୍ଡ, ପରମ୍ପରା ଓ ସଂସ୍କୃତିର ଅନନ୍ୟ ମିଳନ

IMG-20261022-WA0041
Share

ସମ୍ବଲପୁର, ୨୨/୧୦ : ଭକ୍ତି, ଆଧ୍ୟାତ୍ମିକତା ଓ ପାରମ୍ପରିକ କଳାସଂସ୍କୃତିର ଅପୂର୍ବ ସମାହାର ମଧ୍ୟରେ ଡଙ୍ଗରପଡ଼ାର ଶାରଦୀୟ ଉତ୍ସବ ସମାପନ ହୋଇଛି। ଦୀର୍ଘ ୬୩ ବର୍ଷ ଧରି ଏଠାରେ ଅନୁଷ୍ଠିତ ହୋଇଆସୁଥିବା ଏହି ଉତ୍ସବ ଚଳିତବର୍ଷ ମଧ୍ୟ ଗ୍ରାମବାସୀଙ୍କ ମଧ୍ୟରେ ଧାର୍ମିକ ଚେତନା ଓ ସାମାଜିକ ଏକତାର ନିଦର୍ଶନ ସୃଷ୍ଟି କରିଛି। ରାମଲୀଳା ସମ୍ପ୍ରଦା ପରିବେଷଣରେ ଗାଁ ଦାଣ୍ଡ ଭକ୍ତିମୟ ହୋଇଉଠିଥିବା ବେଳେ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଗୁରୁବାର ମା’ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ।

 

ଉତ୍ସବରେ ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ପୂଜାରେ ପୁରୋହିତ ଭାବେ ଶାଶ୍ୱତ କୁମାର ବଡ଼ପଣ୍ଡା ଦାୟିତ୍ୱ ତୁଲାଇଥିବା ବେଳେ କର୍ତ୍ତା ଭାବେ ଅୟସକାନ୍ତ ବଡ଼ପଣ୍ଡା ଯୋଗଦେଇଥିଲେ। ରାମଲୀଳା ସମ୍ପ୍ରଦା ପରିବେଷଣ ମାଧ୍ୟମରେ ରାମାୟଣର ଆଦର୍ଶ, ଧର୍ମପଥରେ ଚାଲିବାର ମହତ୍ତ୍ୱ ଏବଂ ସତ୍ୟର ବିଜୟର ବାର୍ତ୍ତା ଜନମାନସରେ ପହଞ୍ଚିଥିଲା।ଏହି ଅବସରରେ ଅତିଥି ଭାବେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ସମାଜସେବୀ ଗୋବିନ୍ଦ ଅଗ୍ରୱାଲ ଓ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଯୋଗଦେଇଥିଲେ। ଏଭଳି ପାରମ୍ପରିକ ଉତ୍ସବ ଗ୍ରାମୀଣ ସଂସ୍କୃତିର ସଂରକ୍ଷଣ ସହ ନୂତନ ପିଢ଼ିକୁ ନିଜ ଐତିହ୍ୟ ଓ ମୂଲ୍ୟବୋଧ ସହ ଯୋଡ଼ି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ ବୋଲି ଅତିଥିମାନେ କହିଥିଲେ।

 

ସାଂସ୍କୃତିକ କାର୍ଯ୍ୟକ୍ରମର ପରିଚାଳନାରେ ସାଂସ୍କୃତିକ ସମ୍ପାଦକ ଅଶ୍ୱନୀ କୁମାର ପ୍ରଧାନ, ନିରଞ୍ଜନ ପ୍ରଧାନ ଓ ଗୋକୁଳାନନ୍ଦ ସାହୁ ସକ୍ରିୟ ସହଯୋଗ କରିଥିଲେ। ସଭାପତି ସଞ୍ଜୀବ କୁମାର ପଣ୍ଡା ଓ କାର୍ଯ୍ୟକାରୀ ସଭାପତି ବିଶ୍ୱଜିତ ମାଝୀଙ୍କ ସମେତ ବଂଶୀଧର ବେହେରା, ଶଶିଭୂଷଣ ବେହେରା, ଶ୍ରୀମତ ପ୍ରଧାନ, ମିତ୍ରଭାନୁ ମଲ୍ଲିକ, ଆଦିତ୍ୟ ସେଠ, ଯୁଗଳ କିଶୋର ମାଝୀ ଓ ଗଙ୍ଗାଧର ସାହୁ ପ୍ରମୁଖ ଉତ୍ସବର ସଫଳ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।ଦୀର୍ଘ ଛଅ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଡଙ୍ଗରପଡ଼ାର ଏହି ଶାରଦୀୟ ଉତ୍ସବ କେବଳ ଏକ ଧାର୍ମିକ ଆୟୋଜନ ହୋଇ ରହିନାହିଁ; ବରଂ ଏହା ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା, ସାମୂହିକ ସହଯୋଗ ଓ ସାଂସ୍କୃତିକ ଐକ୍ୟର ଏକ ଜୀବନ୍ତ ପ୍ରତୀକ ପାଲଟିଛି। ଆଜିର ଭସାଣି ଉତ୍ସବ ସହ ଚଳିତବର୍ଷର ଶାରଦୀୟ ଉତ୍ସବର ପରିସମାପ୍ତି ଘଟିବ।