ପୁରୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୀବ୍ର ବିରୋଧ!
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୀ ଗସ୍ତ ସମୟରେ ତାଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ପୁରୀ ନଗର ଓ ଯୁବ,ଛାତ୍ର କଂଗ୍ରେସ ସୋସିଆଲ୍ ମିଡିଆ ସେଲ୍ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଜୋରଦାର୍ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। NEET ପରୀକ୍ଷାରେ ବାରମ୍ବାର ହେଉଥିବା ଦୁର୍ନୀତି ଏବଂ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଥିବା ଅଭିଯୋଗ କରି ଆଜି କଂଗ୍ରେସ ରାସ୍ତାକୁ ଓହ୍ଲାଇଛି। ଜଗନ୍ନାଥ ଧାମ ପୁରୀରୁ ଏହି ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିବା ବେଳେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ଯୁବ,ଛାତ୍ର ନେତା।
ଛାତ୍ର କଂଗ୍ରେସ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ, ଯଦି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତୁରନ୍ତ ନିଜ ପଦବୀରୁ ଇସ୍ତଫା ନଦିଅନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ସାରା ଦେଶରେ ବ୍ୟାପିବ ଏବଂ ଶିକ୍ଷାମନ୍ତ୍ରୀଙ୍କୁ ଦେଶବ୍ୟାପୀ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ।
ନଗର କଂଗ୍ରେସ ସଭାପତି ପୁରୀ -1 ବିଶ୍ଵରଞ୍ଜନ ମହାପାତ୍ର,ଯୁବ କଂଗ୍ରେସ ନେତା ଆଶୁତୋଷ ମିଶ୍ର, ସୋସିଆଲ୍ ମିଡିଆ ସେଲ୍ ମନୋଜ ବେହେରା ଏବଂ ଛାତ୍ର କଂଗ୍ରେସ ନେତା ସୂର୍ଯ୍ୟକାନ୍ତ ପଣ୍ଡା ପ୍ରମୁଖ ଏହି ପ୍ରତିବାଦର ନେତୃତ୍ୱ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଘୋର ବିରୋଧ କରିଛନ୍ତି।
ଆଗାମୀ ଦିନରେ ନଗର ଏବଂ ଯୁବ, ଛାତ୍ର କଂଗ୍ରେସ ପକ୍ଷରୁ ଏହି ଆନ୍ଦୋଳନକୁ ଆହୁରି ଜୋରଦାର୍ କରାଯିବ ବୋଲି ସୂଚନା ମିଳିଛି।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
