ବାଣପୁର ଭଗବତୀ ଚିଲିକାରେ ଡଙ୍ଗାରେ ଆସି ଆମ ଗାଁରେ ଏହି ବରଗଛ ନିକଟରେ ପୂଜା ପାଉଛନ୍ତି

ହଁ ଆଜ୍ଞା ଆମେ କହିବାକୁ ଚାହୁଁଛୁ, ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଧରଣୀକୁଦି ଗ୍ରାମପଞ୍ଚାୟତ ର ଯାଆଁଳା ଗ୍ରାମର ମା ଭଗବତୀ ଠାକୁରାଣୀଙ୍କ କଥା l ମାଙ୍କ ନିକଟରେ ଚଳିତବର୍ଷ ୨୨ତମ ବିଶ୍ଵଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୁତି ଦିବସ ଗତକାଲି ସନ୍ଧ୍ୟାରେ ମହାଡ଼ମ୍ବରରେ ହଜାର ହଜାର ଭକ୍ତଙ୍କ ଗହଣରେ ସମାପନ ହୋଇଯାଇଛି l ଏହି ପୂର୍ଣ୍ଣାହୁତି ଦିବସରେ ଦିବା ୧୨ଘଟିକା ସମୟରେ ପୁରୀ ସାଂସଦ ସମ୍ବିତ ପାତ୍ର ଏବଂ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପହଁଞ୍ଚି ନୂତନ ଯଜ୍ଞମଣ୍ଡପର ଶୁଭଦଘାଟନ କରିଥିଲେ l ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ପୂର୍ଣ୍ଣାହୁତି ସମ୍ପନ୍ନ ସହିତ ମା ଭଗବତୀଙ୍କ ଆଳତୀ ସମ୍ପନ୍ନ ହୋଇଥିଲା l ପରେପରେ ମାଙ୍କ ନଗର ପରିକ୍ରମା ଘଣ୍ଟ ମୃଦଙ୍ଗ ବାଜାର ତାଳେତାଳେ ଗାଁର ଛୋଟ ଠାରୁ ବଡ ସମସ୍ତେ ନୃତ୍ୟ କରି ସମ୍ପନ୍ନ କରିଥିଲେ l ଶେଷରେ ପାଞ୍ଚହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ମାଗଣା ପ୍ରସାଦ ସେବନ କରି ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ରାମନାଟକ ଉପଭୋଗ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପୂଜା କମିଟି, ଗ୍ରାମ କମିଟି ଏବଂ ଆଖପାଖ ର ପାଞ୍ଚ ଛଅଟି ଗ୍ରାମବାସୀଙ୍କ ସହଯୋଗ ରେ ସୁଚାରୁରୂପେ ସମ୍ପନ୍ନ ହୋଇଥାଏ l ଏହି ବିଶ୍ଵଶାନ୍ତି ମହାଯଜ୍ଞକୁ ସୁଚାରୁରୂପେ ପରିଚାଳନା କରିବାରେ ଗ୍ରାମର ଉଦୀୟମାନ ଯୁବକ ଗୌରାଙ୍ଗ ଚରଣ ଦାସ, ବୁଲା ଜେନା, ପବିତ୍ର ଜେନା, ଜଳନ୍ଧର ଦଳାଇ, ବାବାଜୀ ସାହୁଙ୍କ ସହିତ ଆଡଭୋକେଟ ପୂର୍ଣ୍ଣଚନ୍ଦ୍ର ନାୟକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କୈଳାଶ ପରିଡା, ଅଧ୍ୟାପକ ନରେନ୍ଦ୍ର କୁମାର ଦଳାଇ, ସରପଞ୍ଚ ପ୍ରତିନିଧି ବଟକୃଷ୍ଣ ବିଶ୍ୱାଳ ଓ ଅଣସରପଞ୍ଚ ପ୍ରତିନିଧି ଶେଷଦେବ ସାହୁ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l ଗ୍ରାମବାସୀ ଙ୍କ କହିବାନୁସାରେ ବାଣପୁର ର ମା ଭଗବତୀ ଚିଲିକାରେ ଡଙ୍ଗାରେ ଆସି ଯାଆଁଳା ଚିଲିକାକୁଳ ବରଗଛ ନିକଟରେ ନିଜର ଆସ୍ଥାନ ଜମାଇଥିଲେ l କୌଣସି ଭକ୍ତ ଅସୁବିଧାରେ ପଡିଲେ ମା ବୁଢ଼ୀବେଶରେ ଏକଗୋଡ଼ିକିଆ ଡେଇଁଡେଇଁ ଭକ୍ତ ପାଖକୁ ଯାଇ ସମସ୍ତ ସୁବିଧା ବ୍ୟାଧି ଦୂରେଇଥାନ୍ତି l ଯାହାର ଯାହା ଅସୁବିଧା ହୋଇଥିଲେ ମାଙ୍କୁ ଖଣ୍ଡେ ହଳଦୀ ଯାଚିଦେଲେ ସମସ୍ତ ଦୁଃଖ ଦୂର ହୋଇଥାଏ ବୋଲି କୁହାଯାଏ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
