ପ୍ରିୟଙ୍କାଦେବୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ର ପୁଣ୍ୟୋତ୍ସବ ତଥା ବାର୍ଷିକ ଉତ୍ସବ ଉଦଯାପିତ l

ପୁରୀ: ପ୍ରିୟଙ୍କାଦେବୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ର ପୁଣ୍ୟୋତ୍ସବ ତଥା ବାର୍ଷିକ ଉତ୍ସବର ଉଦଯାପନ ଅବସରରେ ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଢଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଏହି ଉତ୍ସବ ଶିକ୍ଷାକ୍ଷେତ୍ରରେ ପ୍ରିୟଙ୍କାଦେବୀ ଗ୍ରୁପ୍ ଅଫ୍ ଇନ୍ଷ୍ଟିଟ୍ୟୁସନ୍ର ଉଜ୍ଜ୍ୱଳ ଯାତ୍ରାକୁ ଆହୁରି ସମୃଦ୍ଧ କରିବ। ସାହିତ୍ୟିକ ତଥା କୋଣାର୍କ ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ଶ୍ରୀ ରବି ନାରାୟଣ ବାହିନିପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସେବା ଓ ତ୍ୟାଗର ମହତ୍ତ୍ବ ସଂପର୍କରେ ଉଦ୍ବୋଧିତ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଡଃ ବାବୁଲା ବେହେରା ଅତିଥିମାନଙ୍କୁ ଉପଢୌକନ ତଥା ପୁଷ୍ପ ଗୁଛଦେଇ ସମ୍ମାନିତ କରିବା ସହ ପ୍ରିୟଙ୍କା ଦେବୀ ସ୍କୁଲର ଦୀର୍ଘ ଅଠର ବର୍ଷର ଅଗ୍ରଗତି ସମ୍ପର୍କିତ ଅନୁଭୂତି ବର୍ଣ୍ଣନା କରିଥିଲେ। ସହ-ନିର୍ଦ୍ଦେଶକା ଶ୍ରୀମତୀ ମଧୁସ୍ମିତା ରଥ ଓ ଅଧ୍ୟକ୍ଷା ଶ୍ରୀମତୀ କମଳା ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ନାଟ୍ଯକାର କୁମୁଦଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ।
ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶଂସାପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ଉନ୍ନତି ଓ ବିକାଶ ପାଇଁ ଅନବରତ ପରିଶ୍ରମ କରୁଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ଯ ଓ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିବା ସହ ନିଜର ପ୍ରତିଭାର ପ୍ରଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଅନୁଷ୍ଠାନର ଅଧ୍ୟାପକ କାଳୀପ୍ରସନ୍ନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
