୨୦୧୧ ମେଟ୍ରିକ୍ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ

ଛତ୍ରପୁର :୧୧/୫/୨୬ (ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ସ୍ଥିତ ଧିରେଶ୍ୱର ବିଦ୍ୟାପୀଠରେ
୨୦୧୧ ମେଟ୍ରିକ୍ ବ୍ୟାଚ ପକ୍ଷରୁ ଏକ ସ୍ମୃତିମୟ “ଗୁରୁଜନ ସମ୍ମାନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ”
ଭବ୍ୟ ଭାବେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ଦୀପ ପ୍ରଜ୍ୱଳନ ମାଧ୍ୟମରେ ଶୁଭାରମ୍ଭ କରାଯାଇଥିଲା। ପରେ ସ୍ୱର୍ଗତ ପୂର୍ବତନ ପ୍ରଧାନ ଶିକ୍ଷକ
ବିପ୍ର ଚରଣ ମହାଙ୍କୁଡ ଓ ପିଅନ ଏସ୍. ମୋଚିରାମ ରେଡ୍ଡୀଙ୍କ ସ୍ମୃତିରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ପ୍ରଧାନ ଶିକ୍ଷକ ରାଜକିଶୋର ପାଣିଗ୍ରାହୀ, ପୂର୍ବତନ ପ୍ରଧାନ ଶିକ୍ଷକ ଉମା ଚରଣ ରେଡ୍ଡୀ, ଅବସର ପ୍ରାପ୍ତ ଶିକ୍ଷକ ଏସ ଲକ୍ଷ୍ମୀ ଚରଣ ରେଡ୍ଡୀ, କାଳୀ ଚରଣ ଦାଶ, ଶିକ୍ଷକ ହରି କୃଷ୍ଣ ମହାପାତ୍ର, ସଦାଶିବ ମହାପାତ୍ର, ଅବସର ପ୍ରାପ୍ତ କିରାଣୀ ଏମ୍ ସୂର୍ଯ୍ୟ ସୁବୁଦ୍ଧି, ପିଅନ ଅର୍ଜୁନ ବେହେରା, ଏସ ମୁକୁନ୍ଦ ରେଡ୍ଡୀ ପ୍ରମୁଖ ମଞ୍ଚାସୀନ ଥିଲେ। ସମସ୍ତ ମଞ୍ଚାସୀନ ଅତିଥିଙ୍କୁ ମାନପତ୍ର, ଉପହାର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହାସହ ଏହି ଅବସରରେ ସ୍କୁଲର ମେଧାବୀ ଛାତ୍ର ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। ସେ ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ୫୪୯ ମାର୍କ ରଖି ବ୍ଲକ ସ୍ତରରେ ଦ୍ୱିତୀୟ ସ୍ଥାନ
ଅଧିକାର କରି ସ୍କୁଲ ପାଇଁ ଗର୍ବ ଆଣିଛନ୍ତି। କାର୍ଯ୍ୟକ୍ରମରେ ଗୁରୁଜନମାନେ ତାଙ୍କର ଅନୁଭବ ଏବଂ ଆଶୀର୍ବାଦମୟ ମନ୍ତବ୍ୟ ରଖିଥିଲେ। ପୁରୁଣା ସ୍ମୃତି ଓ ସାଙ୍ଗମାନଙ୍କ ମିଳନ ଦ୍ୱାରା କାର୍ଯ୍ୟକ୍ରମଟି ଅତ୍ୟନ୍ତ ଭାବପ୍ରବଣ ଓ ଆନନ୍ଦମୟ ହୋଇଥିଲା। ଶେଷରେ ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
