ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ …..
ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ …..
ରାଉରକେଲା/ ସହରର ଅଗ୍ରଣୀ ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ସେକ୍ଟର ୧୪ କମ୍ୟୁନିଟି ସେଣ୍ଟର୍ ନିକଟସ୍ଥ ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଇଛି । ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସଦସ୍ୟ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି ନିଜର ଶ୍ରଦ୍ଧା ଜ୍ଞାପନ କରିଥିଲେ । ପରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପୁଲିସ ଅଧିକାରୀ ଡଃ ସୁମନ ଦତ୍ତ ଯୋଗଦେଇ ସ୍ବଭାବକବିଙ୍କ ଜୀବନ ଦର୍ଶନ ଓ ସାରସ୍ବତ ସାଧନା ସଂପର୍କରେ ଆଲୋଚନା କରି କହିଲେ ଯେ ସେ ଜନ୍ମରୁ ଉଚ୍ଚଶିକ୍ଷା ଲାଭ କରିପାରିନଥିଲେ ହେଁ ଜଣେ ଅସାଧାରଣ ପ୍ରତିଭାବାନ କବି ରୂପେ ବିଶ୍ବ ଦରବାରରେ ପରିଚୟ ସୃଷ୍ଟି କରିପାରିଥିଲେ । ସେ ଏକାଧାରରେ ପ୍ରକୃତି ଓ ସଭାବ କବି ଭାବେ ପରିଚିତ ଥିଲେ । ତାଙ୍କର ସୃଷ୍ଟି ଆମ ଭାଷା ସାହିତ୍ୟକୁ ରୁଦ୍ଦିମନ୍ତ କରିଛି। ସଂପାଦକ ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ଯରେ କହିଲେ ଯେ ଓଡିଆ ଭାଷାର ସୁରକ୍ଷା ପାଇଁ ଗଙ୍ଗାଧର ପ୍ରଥମେ ପଶ୍ଚିମ ଓଡିଶାରୁ ହିଁ ସ୍ବର ଉତ୍ତୋଳନ କରିଥିଲେ । ତାଙ୍କ ସାରସ୍ବତ ସୃଷ୍ଟି ଉତ୍କଳ ଭାରତୀୟ ଙ୍କ ଅମୂଲ୍ୟ ରତ୍ନ । ସେ ନିଜ ଲେଖାରେ କେବଳ ଉଚ୍ଚ ଆଦର୍ଶକୁ ସ୍ଥାନ ଦେଇନାହାଁନ୍ତି, ସେଥିରେ ସେ ମାନବତାର ଜୟଗାନ କରିଛନ୍ତି । ଛନ୍ଦ ମାଧୁର୍ଯ୍ୟର ଆଧୁନିକୀକରଣ କରି ସେ ଓଡିଆ କବିତାରେ ଗାନ ଯୋଗ୍ୟତା ଭରିଛନ୍ତି। ଅର୍ଘ୍ଯ ଥାଳି, କବିତାମାଳାର ଭକ୍ତି, ଅମୃତମୟ ଓ ମଧୁମୟ କବିତା ଓଡିଶାର ପୁରପଲ୍ଲୀରେ ଅତି ପରିଚିତ । ଅନ୍ୟତମ ଅତିଥି ସସ୍ମିତା ପାଇକରାୟ କବିଙ୍କ ଇନ୍ଦୁମତୀ, ଉତ୍କଳଲକ୍ଷ୍ମୀ, କୀଚକ ବଧ, ତପସ୍ବିନୀ,ମହିମା, ଅହଲ୍ଯା ସ୍ତବ, ଅର୍ଘ୍ଯଥାଳୀ, ମାତୃଭୂମି,ଅର୍ପଣ, ଆଶ୍ରମେ ପ୍ରଭାତ ପରି କବିତା ସଂପର୍କରେ ବକ୍ତବ୍ଯ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପଞ୍ଚାନନ ପାତ୍ର, ପ୍ରଫୁଲ୍ଲ ସାମଲ, ଚନ୍ଦ୍ରଶେଖର ପାଇକରାୟ, ମାନସ ରଂଜନ ଦାସ, ରବିନ୍ଦ୍ର ସେନାପତି,ରବିନ୍ଦ୍ର କଂସାରୀ,ଛୋଟୁ ମାହତୋ, କୁଞ୍ଜବିହାରୀ ରାଉତ ଓ ପ୍ରଦୀପ ବିଶୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ପଞ୍ଚାନନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । (ସସ୍ମିତା ପ୍ରଧାନ ରାଉରକେଲା)