May 14, 2026

କାଦୁଅ ରାସ୍ତା ଯୋଗୁଁ, ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

IMG-20260507-WA0010
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଧଂରପୁର ପଞ୍ଚାୟତ ଅଧିନସ୍ଥ ଆମ୍ବଗୁଡା-ମାଲପଡା ଗ୍ରାମରେ ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁଁ ଜଣେ ଗର୍ଭବତୀ ମହିଳା ଖଟିଆରେ ବୁହାହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଗଲେ। ଘଟଣାରୁ ପ୍ରକାଶ ଯେ’ ଆମ୍ବଗୁଡା-ମାଲପଡା ଗ୍ରାମର ଦେବାନନ୍ଦ ମାଝୀଙ୍କ ସ୍ତ୍ରୀ ଲଳିତା ମାଝୀ ଙ୍କୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା।ଏନେଇ ଉକ୍ତ ଗ୍ରାମର ଆଶାକର୍ମୀଙ୍କୁ ଖବର ଦିଆଯିବାପରେ, ଆଶାକର୍ମୀ ଜଣକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଏହାର କିଛି ସମୟ ପରେ ଆମ୍ବୁଲାନ୍ସ ମଧ୍ୟ ଆସିଥିଲା। କିନ୍ତୁ ମୁଖ୍ୟ ରାସ୍ତା ଠାରୁ ଉକ୍ତ ଗ୍ରାମକୁ ଯିବା ରାସ୍ତା, କାଳବୈଶାଖି ବର୍ଷା ଯୋଗୁଁ ସମ୍ପୂର୍ଣ କାଦୁଅ ପରିପୂର୍ଣ୍ଣ ହୋଇଥିବା ଯୋଗୁଁ, ଆମ୍ବୁଲାନ୍ସଟି ଗାଁ ଭିତରକୁ ଯାଇନପାରି ବାଧ୍ୟ ହୋଇ ମୁଖ୍ୟ ରାସ୍ତାରେ ଅଟକିଥିଲା। ତେଣୁ ବାଧ୍ୟ ହୋଇ ଲଳିତାଙ୍କ ପରିବାର ବର୍ଗ, ଆଶାକର୍ମୀ ଓ କିଛି ଗାଁ ଲୋକେ ଲଳିତାଙ୍କୁ ଏକ ଖଟିଆ ଯୋଗେ ଗାଁ ଠାରୁ ପ୍ରାୟ ଏକ କି. ମି ଦୀର୍ଘ କାଦୁଅ ପୁର୍ଣ ରାସ୍ତାରେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବୋହିନେଇଥିଲେ। ଏହାପରେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପ୍ରକାଶ ଥାଉକି, ଏପରି ଘଟଣା ଏହି ଗ୍ରାମରେ ପ୍ରଥମ ନୁହଁ। କିଛି ବର୍ଷ ଆଗରୁ ମଧ୍ୟ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନିଆଯାଇଥିଲା। ବର୍ତ୍ତମାନ ଏହି ଘଟଣାଟି ଚର୍ଚ୍ଚାରେ ଥିବାବେଳେ, ଏହି ଘଟଣାକୁ ନେଇ ଏବଂ ଗାଁକୁ ପକ୍କା ସଡ଼କ ତିଆରି ହେବାକୁ ନେଇ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ଯେ’ ସ୍ଥାନୀୟ ବିଧାୟକ ତାଙ୍କ ପାଣ୍ଠିରୁ ଅର୍ଥ ଦେଇଛନ୍ତି ଏବଂ ଖୁବ ଶୀଘ୍ର ଏହି ରାସ୍ତା କାର୍ଯ୍ୟ ଆରମ୍ଭ କରାଯିବ।