ଗଜପତି:- ରାଣୀପେଣ୍ଠ ଗ୍ରାମରେ ପ୍ରାୟ ୩ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ : ଗୋଦାମ ସିଲ୍
ଆଜି ସକାଳେ ପୋଲିସ ପାଟ୍ରୋଲିଂ ଚାଲିଥିବା ସମୟରେ ପାରଳାଖେମୁଣ୍ଡି ମଡେଲ ପୋଲିସ ଷ୍ଟେସନର ଏସ୍ଆଇ ପ୍ରଣୟ ଗନ୍ତାୟତ’ଙ୍କ ନେତୃତ୍ୱରେ ପୋଲିସ ଟିମ୍ ରାଣୀପେଣ୍ଠସ୍ଥିତ ହନୁମାନ ଫାୟାରୱାର୍କସ୍ ପଛପଟେ ଥିବା ଏକ ଗୋଦାମରେ ବିନା ବୈଧ ଲାଇସେନ୍ସରେ ବାଣ ମହଜୁଦ ରଖି ବିକ୍ରି କରାଯାଉଥିବା ସମ୍ପର୍କରେ ବିଶ୍ୱସ୍ତ ସୂଚନା ପାଇଥିଲେ।
ସୂଚନା ଆଧାରରେ ପୋଲିସ ଉକ୍ତ ଗୋଦାମରେ ଚଢ଼ାଉ କରି ବିଭିନ୍ନ ପ୍ରକାରର ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ବାଣ ଜବତ କରିଥିଲା। ଯାଞ୍ଚ ସମୟରେ ନନ୍ଦେଶ ଦୁର୍ଗା (୪୩), ପିତା-ସ୍ୱର୍ଗତ ନନ୍ଦେଶ କୃଷ୍ଣ ରାଓ, ଗ୍ରାମ-ସିଦ୍ଧମଡାଙ୍ଗ, ଉକ୍ତ ଗୋଦାମକୁ ବାଣ ମହଜୁଦ ଓ ବିକ୍ରି ପାଇଁ ବ୍ୟବହାର କରୁଥିବା ଜଣାପଡ଼ିଥିଲା। ସେ ବାଣ ରଖିବା କିମ୍ବା ବିକ୍ରି କରିବା ସମ୍ପର୍କିତ କୌଣସି ବୈଧ ଲାଇସେନ୍ସ/ଅନୁମତିପତ୍ର ଦେଖାଇ ପାରିନଥିଲେ। ପରବର୍ତ୍ତୀ ଯାଞ୍ଚରେ ଗୋଦାମ ଘରଟି ଶ୍ରୀ ଲାଡି ଶ୍ରୀନୁଙ୍କ ମାଲିକାନାରେ ଥିବା ଜଣାପଡ଼ିଥିଲା। ପୋଲିସ ପକ୍ଷରୁ ଉକ୍ତ ଗୋଦାମକୁ ସିଲ୍ କରାଯାଇଛି।
ଏହି ଘଟଣାରେ ପାରଳାଖେମୁଣ୍ଡି ପୋଲିସ ଷ୍ଟେସନ କେସ୍ ନଂ. ୪୧୫/୨୦୨୬, ଧାରା ୨୮୮ ବିଏନଏସ ସହ ଧାରା ୯(ବି), ଏକପ୍ଲୋଷିଭ ଏକ୍ଟ-୧୮୮୪ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।
——————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
—————————————–
