ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’

ସମ୍ବଲପୁର, ୦୭/୧୦: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ସରକାର ମୁଖ୍ୟ ଭାବେ ସାର୍ବଜନୀନ ଜୀବନ ଓ ପ୍ରଜାସେବାର ସଫଳ ୨୫ ବର୍ଷ ପୂର୍ତ୍ତି ଏବଂ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଆଜି ସକାଳେ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆଠାରେ ‘‘ବିକଶିତ ଭାରତ ସଂକଳ୍ପ ସଭା’’ ଓ ‘‘ସେବା ଜ୍ୟୋତି ଯାତ୍ରା’’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନିତିନ ନବୀନ ଆଭାସୀ (Virtual) ମାଧ୍ୟମରେ ଦେଶର ୭୫୦ଟି ଜିଲ୍ଲାର ଜନସମୁଦ୍ରକୁ ସିଧାସଳଖ ସମ୍ବୋଧିତ କରିଥିଲେ । ଦେଶର ପ୍ରତ୍ୟେକ ନାଗରିକ ରାଷ୍ଟ୍ର ପ୍ରଥମ ଓ ରାଷ୍ଟ୍ରହିତ କୁ ସର୍ବୋପରି ଚିନ୍ତା କରି କାର୍ଯ୍ୟ ସମ୍ପାଦନ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ପରିଗଣିତ କରିବା ପାଇଁ ସମଗ୍ର ଦେଶବାସୀ ଙ୍କ ସହଯୋଗ କାମନା କରିଥିଲେ ।
ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେର ଙ୍କ ସଭାପତିତ୍ୱ ରେ ହୋଇଥିବା ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇଥିବା ବେଳେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ରେଙ୍ଗାଲି ବିଧାୟକ ନାଉରି ନାଏକ, ସମ୍ବଲପୁର ଜିଲ୍ଲା ବିଜେପି ପ୍ରଭାରୀ କାଳିନ୍ଦୀ ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲା ।
ପ୍ରଧାନମନ୍ତ୍ରୀଙ୍କ ସେବା ଓ ସୁଶାସନର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା, ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନା କୁ ପ୍ରକୃତ ହିତାଧିକାରୀ ଙ୍କ ପାଖରେ ପହଞ୍ଚାଇବା ସହ ଭାରତକୁ ଏକ ସମୃଦ୍ଧ ରାଷ୍ଟ୍ର କରିବା ପାଇଁ ଏହି ମହାଯଜ୍ଞରେ ସାମିଲ ହେବାକୁ ଉପସ୍ଥିତ ନେତୃବୃନ୍ଦ ଆହ୍ୱାନ ଦେଇଛନ୍ତି।
ଜିଲ୍ଲା ସାଧାରଣ ସମ୍ପାଦକ ସମୀର ରଞ୍ଜନ ବାବୁ ସମ୍ମର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟତମ ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ବତନ୍ତ୍ର ପରିଷଦ ଅଧ୍ୟକ୍ଷ ଭାଗିନ୍ଦ୍ର କିଷାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ସଦସ୍ୟା ସବିତା ନନ୍ଦ, ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ପ୍ରମୁଖ ମଞ୍ଚାସିନ ଥିଲେ ।
ବରିଷ୍ଠ ସାମାଜିକ କର୍ମୀ କାର୍ତ୍ତିକ ବହିଦାର ଉପସ୍ଥିତ ବିଜେପି ପଦାଧିକାରୀ, କାର୍ଯ୍ୟକର୍ତ୍ତା, ସମର୍ଥକ ଓ ଜନସାଧାରଣ ଙ୍କୁ ବିକଶିତ ଭାରତ ଗଠନ ର ସଂକଳ୍ପ କୁ ଶପଥ କରେଇଥିବା ବେଳେ ଅସୀମ ପ୍ରଧାନ କାର୍ଯ୍ୟକ୍ରମ ରେ ଉଦଘୋଷକ କାର୍ଯ୍ୟ ସମ୍ପାଦନ କରିଥିଲେ ।
ଶେଷରେ କାର୍ଯ୍ୟକ୍ରମ ସ୍ଥଳରୁ ନେତୃମଣ୍ଡଳୀ ଓ ଉପସ୍ଥିତ ଜନସାଧାରଣ ପଦଯାତ୍ରା କରି ସେବା ଜ୍ୟୋତି ମଶାଲ କୁ ନେଇ ‘ସେବା ଜ୍ୟୋତି ଛକ’ ଠାରେ ପ୍ରତୀକାତ୍ମକ ସ୍ଥାପନା କରାଯାଇଥିଲା । କାର୍ଯ୍ୟକ୍ରମ ରେ ଦାମୋଦର କର, ଅନିଲ ବେହେରା, ଫଣି ଭୂଷଣ ମିଶ୍ର, ନିରଞ୍ଜନ ଦାସ, ଗୁରଦୀପ ସିଂ, ପ୍ରଭୁଦତ୍ତ ପଣ୍ଡା, ହରବ୍ରତ ସେନାପତି, ସୁଷମା ସାହୁ ଙ୍କ ସମେତ ଅନେକ ଜିଲ୍ଲା ପଦାଧିକାରୀ, କର୍ମକର୍ତ୍ତା, ସମର୍ଥକ ଉପସ୍ଥିତ ଥିଲେ ।
