ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନକୁ ଗତି ଦେବ ଯୁବଶକ୍ତି ସମ୍ବଲପୁରରେ ‘ସ୍ୱାସ୍ଥ୍ୟ ପାଇଁ ମିଳିତ ଦଳ’ର ଶୁଭାରମ୍ଭ ସଚେତନତା, ଶୀଘ୍ର ଚିହ୍ନଟ ଓ ପ୍ରତିରୋଧକୁ ଗୁରୁତ୍ୱ
ସମ୍ବଲପୁର, ୮/୧୦: ଯକ୍ଷ୍ମାମୁକ୍ତ ଭାରତ ଗଠନ ଅଭିଯାନକୁ ଆହୁରି ସୁଦୃଢ଼ ଓ ଗତିଶୀଳ କରିବା ଲକ୍ଷ୍ୟରେ ସମ୍ବଲପୁର ଜିଲ୍ଲାରେ ‘ସ୍ୱାସ୍ଥ୍ୟ ପାଇଁ ମିଳିତ ଦଳ’ର ଶୁଭାରମ୍ଭ ହୋଇଛି। ଯୁବଶକ୍ତି ଓ ସମୁଦାୟର ସକ୍ରିୟ ସହଭାଗିତା ମାଧ୍ୟମରେ ଯକ୍ଷ୍ମା ସମ୍ପର୍କରେ ସଚେତନତା ବୃଦ୍ଧି, ରୋଗର ଶୀଘ୍ର ଚିହ୍ନଟ ଏବଂ ପ୍ରତିରୋଧମୂଳକ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ଏହି ଦଳର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନୀଳମାଧବ ଶତପଥୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଚୂଳବତୀ ସାହୁ, କୁଷ୍ଠ ନିୟନ୍ତ୍ରଣ ବିଭାଗର ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରମୋଦ ଚନ୍ଦ୍ର ବିଶ୍ୱାଳ, ଯକ୍ଷ୍ମା ବିଭାଗର ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସଞ୍ଜୀବ କୁମାର ତିରିଆ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ମୃତ୍ୟୁଞ୍ଜୟ ମୁଣ୍ଡ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ କଲ୍ୟାଣୀ ବାରିକ ଓ ଜାତୀୟ କ୍ୟାଡେଟ୍ କୋର୍ର ମେଜର ସୁଖଦେବ ସିଂହଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଦଳର ସଦସ୍ୟ ଓ ଯକ୍ଷ୍ମା ବିଜେତାମାନେ ଉପସ୍ଥିତ ଥିଲେ।ପ୍ରତ୍ୟେକ ସ୍ୱାସ୍ଥ୍ୟ ମିଳିତ ଦଳରେ ୧୦ ଜଣ ସଦସ୍ୟ ରହିବେ। ସେଥିରେ ୫ ଜଣ ‘ମାଇ ଭାରତ’ ସ୍ୱେଚ୍ଛାସେବୀ ଏବଂ ୫ ଜଣ ଜାତୀୟ କ୍ୟାଡେଟ୍ କୋର୍ର ସଦସ୍ୟ ରହିବେ। ପ୍ରତ୍ୟେକ ଦଳକୁ ଜଣେ ପ୍ରଥମ ଶ୍ରେଣୀ ଅଧିକାରୀ ନିର୍ଦ୍ଦିଷ୍ଟ ନୋଡାଲ ଅଧିକାରୀ ଭାବେ ନେତୃତ୍ୱ ପ୍ରଦାନ କରିବେ।
ଏହି ଦଳଗୁଡ଼ିକ ଗ୍ରାମ ଓ ସମୁଦାୟ ସ୍ତରରେ ଯକ୍ଷ୍ମା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ, ଆବଶ୍ୟକ ସ୍ୱାସ୍ଥ୍ୟସେବା ସହ ସଂଯୋଗ ଏବଂ ଯକ୍ଷ୍ମା ବିରୋଧୀ କାର୍ଯ୍ୟକଳାପକୁ ସମୁଦାୟ ସ୍ତରରେ ଆହୁରି ସୁଦୃଢ଼ କରିବେ।କାର୍ଯ୍ୟକ୍ରମରେ ଯକ୍ଷ୍ମା ସହ ଲଢ଼ି ସୁସ୍ଥ ହୋଇଥିବା ଯକ୍ଷ୍ମା ବିଜେତାମାନଙ୍କୁ ସମ୍ମାନିତ କରାଯାଇଥିଲା। ନିଜ ଅନୁଭବ ଓ ସଂଘର୍ଷର କାହାଣୀ ମାଧ୍ୟମରେ ସେମାନେ ସମାଜକୁ ପ୍ରେରଣା ଦେବା ସହ ଯକ୍ଷ୍ମା ନିରାକରଣ ଅଭିଯାନକୁ ଆହୁରି ଶକ୍ତିଶାଳୀ କରୁଛନ୍ତି।ଏହି ଅବସରରେ ଉପସ୍ଥିତ ସମସ୍ତେ ଯକ୍ଷ୍ମା ନିରାକରଣ ପାଇଁ ସାମୂହିକ ସଙ୍କଳ୍ପ ନେଇଥିଲେ। “ଯୁବଶକ୍ତିର ଜୋଶ୍, ଯକ୍ଷ୍ମାମୁକ୍ତ ଭାରତର ଆଶା” ଏବଂ “ଯକ୍ଷ୍ମା ହାରିବ, ଦେଶ ଜିତିବ” ନାରାରେ କାର୍ଯ୍ୟକ୍ରମସ୍ଥଳୀ ପ୍ରକମ୍ପିତ ହୋଇଥିଲା।
