ଚୁଡ଼ଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଧାୟକଙ୍କ ଅଚାନକ ଗସ୍ତ
ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନେବାକୁ ଦେଲେ ପ୍ରତିଶ୍ରୁତି
ବିପଦସଙ୍କୁଳ ପୁରୁଣା କୋଠା ଭାଙ୍ଗିବା ସହ ନୂତନ ଶ୍ରେଣୀଗୃହ, ଶୌଚାଳୟ, କମ୍ପ୍ୟୁଟର ଓ ଡୁଆଲ୍ ବେଞ୍ଚ ଯୋଗାଣ ଦାବି
କାଶୀନଗର, ଗଜପତି | ୬ ଅକ୍ଟୋବର ୨୦୨୬ | ପ୍ରତିନିଧି
ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଚୁଡ଼ଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟକୁ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ଅଚାନକ ଗସ୍ତ କରି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଓ ମୌଳିକ ଭିତ୍ତିଭୂମିର ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି।
ଗସ୍ତ ସମୟରେ ବିଧାୟକ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ପାଠପଢ଼ା, ବିଦ୍ୟାଳୟର ସୁବିଧା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ବିଦ୍ୟାଳୟର ଶିକ୍ଷା ପରିବେଶକୁ ଅଧିକ ସୁଦୃଢ଼ କରିବା ସହ ଆବଶ୍ୟକ ଭିତ୍ତିଭୂମି ବିକାଶ ପାଇଁ ସହଯୋଗ କରିବାକୁ ବିଧାୟକ ଆଶ୍ୱାସନ ଦେଇଥିବା ଜଣାପଡ଼ିଛି।
ବିପଦସଙ୍କୁଳ କୋଠା ଭାଙ୍ଗିବାକୁ ଦାବି
ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୂଲଚନା ନାୟକ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବିଧାୟକଙ୍କୁ ଲିଖିତ ଭାବେ ଅନୁରୋଧ ଜଣାଇଛନ୍ତି। ବିଦ୍ୟାଳୟ ପରିସରରେ ଥିବା ଏକ ପୁରୁଣା ଓ ବିପଦସଙ୍କୁଳ କୋଠାକୁ ସୁରକ୍ଷା ଦୃଷ୍ଟିରୁ ଯାଞ୍ଚ କରି ନିୟମାନୁସାରେ ଭାଙ୍ଗିବା ପାଇଁ ପ୍ରଧାନଶିକ୍ଷୟିତ୍ରୀ ଦାବି କରିଛନ୍ତି।
ଅତିରିକ୍ତ ଶ୍ରେଣୀଗୃହର ଆବଶ୍ୟକତା
ବର୍ତ୍ତମାନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁପାତରେ ଶ୍ରେଣୀଗୃହର ଅଭାବ ରହିଥିବାରୁ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ବିଶେଷକରି ୨୦୨୪ ମସିହାରୁ ୧୦୦ ଜଣ ଛାତ୍ରଙ୍କ ପାଇଁ ହଷ୍ଟେଲ ସୁବିଧା ଯୋଡ଼ାଯାଇଥିବାରୁ ବିଦ୍ୟାଳୟରେ ଅତିରିକ୍ତ କୋଠା ଓ ଅନ୍ୟାନ୍ୟ ସୁବିଧାର ଆବଶ୍ୟକତା ଆହୁରି ବଢ଼ିଥିବା ପତ୍ରରେ ଉଲ୍ଲେଖ କରାଯାଇଛି।
ଶୌଚାଳୟ ଓ ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱ
ବିଦ୍ୟାଳୟର ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ପାଇଁ ପୃଥକ ଶୌଚାଳୟ ସୁବିଧା ସହ ଛାତ୍ରମାନଙ୍କ ପାଇଁ ଅତିରିକ୍ତ ଶୌଚାଳୟ ନିର୍ମାଣ କରିବାକୁ ଦାବି ହୋଇଛି।
ଏଥିସହ ଆଧୁନିକ ଶିକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଡିଜିଟାଲ ଶିକ୍ଷା, ଏଆଇ ଓ ଇ-ଲର୍ଣ୍ଣିଂକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ବିଦ୍ୟାଳୟରେ ଅଧିକ ସଂଖ୍ୟକ କମ୍ପ୍ୟୁଟର ସିଷ୍ଟମ ଯୋଗାଇବାକୁ ମଧ୍ୟ ଅନୁରୋଧ କରାଯାଇଛି।
ଛାତ୍ରଛାତ୍ରୀଙ୍କ ପାଇଁ ଡୁଆଲ୍ ବେଞ୍ଚ ଦାବି
ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ, ସୁବିଧାଜନକ ଓ ଶୃଙ୍ଖଳିତ ବସିବା ବ୍ୟବସ୍ଥା ପାଇଁ ଆବଶ୍ୟକ ସ୍ଥାନରେ ଡୁଆଲ୍ ବେଞ୍ଚ/ଡେସ୍କ ଯୋଗାଇବାକୁ ମଧ୍ୟ ପ୍ରଧାନଶିକ୍ଷୟିତ୍ରୀ ଅନୁରୋଧ କରିଛନ୍ତି।
ବିଦ୍ୟାଳୟର ସୁରକ୍ଷା, ଭିତ୍ତିଭୂମି ଓ ଶିକ୍ଷା ପରିବେଶର ଉନ୍ନତି ପାଇଁ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆବଶ୍ୟକ ସମନ୍ୱୟ କରି ଉକ୍ତ କାର୍ଯ୍ୟଗୁଡ଼ିକର ମଞ୍ଜୁରୀ ଓ କାର୍ଯ୍ୟାନ୍ୱୟନରେ ସହଯୋଗ କରିବାକୁ ବିଧାୟକଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି।
ବିଦ୍ୟାଳୟ ପରିଦର୍ଶନ ସମୟରେ ଶିକ୍ଷକ-ଶିକ୍ଷୟିତ୍ରୀ ସଂଯୁକ୍ତା ଦଳାଇ, ଅର୍. ଉଷାରାଣୀ, ବି. ମନିମାଳା, ଟି. ଶ୍ୟାମା ରାଓ, ଭି. ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ।
ବିଧାୟକଙ୍କ ଏହି ଅଚାନକ ଗସ୍ତ ଫଳରେ ବିଦ୍ୟାଳୟର ଦୀର୍ଘଦିନର ଭିତ୍ତିଭୂମି ସମସ୍ୟାଗୁଡ଼ିକର ସମାଧାନ ନେଇ ଆଶା ସୃଷ୍ଟି ହୋଇଛି।
