ନିଶାମୁକ୍ତ ଓଡ଼ିଶା ଅଭିଯାନ ଏବଂ ସାଇବର ଅପରାଧ ନିବାରଣ” ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଜପତି:- ” ଆଜି ସମ୍ବିଧାନ ଦିବସ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି (ସ୍ୱୟଂଶାସିତ) ମହାବିଦ୍ୟାଳୟରେ ପାରଳାଖେମୁଣ୍ଡି ଥାନା ଏବଂ ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ (ସି:ସି ଆଣ୍ଡ ଇ:ଓ ) ଥାନା, ଗଜପତିର ମିଳିତ ସହଯୋଗରେ ‘ନିଶା ମୁକ୍ତ ଓଡ଼ିଶା ଅଭିଯାନ’ ଏବଂ ‘ସାଇବର ଅପରାଧ ନିବାରଣ’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରାଧାକାନ୍ତ ଭୂୟାଁଙ୍କ ସଭାପତିତ୍ୱରେ ଏବଂ ଅଧ୍ୟାପକ ଡଃ ପି.ସି. ନାୟକ’ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ-ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ତଥା ବକ୍ତା ଭାବେ ଯୋଗଦେଇ ପାରଳାଖେମୁଣ୍ଡି ଥାନା ଅଧିକାରୀ ଇନ୍ସପେକ୍ଟର ପ୍ରଶାନ୍ତ ଭୂପତି ଏବଂ ସି:ସି ଆଣ୍ଡ ଇ:ଓ ଥାନା’ର ଇନ୍ସପେକ୍ଟର ଟୁନା ଶବର ନିଶା ମୁକ୍ତ ଅଭିଯାନ ଅନ୍ତର୍ଗତ ନିଶା ସେବନର ଆଇନଗତ ଓ ସ୍ୱାସ୍ଥ୍ୟଗତ କୁପ୍ରଭାବ ସହ ଅତ୍ୟାବଶ୍ୟକ ସାଇବର ସୁରକ୍ଷା ଉପାୟ ବିଷୟରେ ଯୁବପିଢ଼ି’ଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ ପୋଲିସ ଅଧିକାରୀ ମାନେ ଛାତ୍ରଛାତ୍ରୀ ମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରି ଅନଲାଇନ୍ ଠକେଇ, ଡିଜିଟାଲ୍ ସୁରକ୍ଷା ଏବଂ ଯୁବପିଢ଼ିଙ୍କ ମଧ୍ୟରେ ନିଶା ନିବାରଣ ସମ୍ପର୍କିତ ବିଭିନ୍ନ ସାଧାରଣ ସମସ୍ୟା ଓ ପ୍ରଶ୍ନର ସମାଧାନ କରିଥିଲେ ।—————————————— ଗଣେଶ କୁମାର ରାଜୁପାରଳାଖେମୁଣ୍ଡି(ଗଜପତି)——————————————
