ସୀମାନ୍ତ ଝୁମଡାଙ୍ଗରେ ଜିଲ୍ଲାପାଳ; ସମ୍ବିଧାନ ଦିବସରେ ବଣ୍ଟାଗଲା ପଟ୍ଟା ଓ ପ୍ରମାଣପତ୍ର**ମୌଳିକ ସେବା ସହ ଭିତ୍ତିଭୂମି ବିକାଶ ପାଇଁ ଜିଲ୍ଲାପାଳଙ୍କ ବଡ଼ ଘୋଷଣା; ଯୁବଗୋଷ୍ଠୀଙ୍କ ପାଇଁ ପ୍ରତିଷ୍ଠା ହେବ ‘ପ୍ରଗତି ପଥେ ଯୁବ ମାଲକାନଗିରି କେନ୍ଦ୍ର…
***ମାଲକାନଗିରି, ୨୬/୧୧/୨୬:*ସୀମାନ୍ତବର୍ତ୍ତୀ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଶେଷ ସ୍ତରର ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୂଳିପୁଟ ପଞ୍ଚାୟତର ଝୁମଡାଙ୍ଗ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ସମ୍ବିଧାନ ଦିବସ ସମାରୋହ-୨୦୨୬’ ଏବଂ ଏକ ସ୍ୱତନ୍ତ୍ର ସେବା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ହିତାଧିକାରୀମାନଙ୍କୁ ବିଭିନ୍ନ ସରକାରୀ ପ୍ରମାଣପତ୍ର ଓ ସହାୟତା ବଣ୍ଟନ କରିଛନ୍ତି।ଏହି ଅବସରରେ ଚିତ୍ରକୋଣ୍ଡା ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କୁ ୧୨୦ଟି ବାସିନ୍ଦା ପ୍ରମାଣପତ୍ର , ୨୨ଟି ରାସନ କାର୍ଡ, ୪୧ଟି ଜବ୍ କାର୍ଡ ଏବଂ ୧୦ଟି ଜମି ପଟ୍ଟା ବଣ୍ଟନ କରାଯାଇଛି। ଏଥିସହ ଯୁବଗୋଷ୍ଠୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ପକ୍ଷରୁ ସ୍ପୋର୍ଟସ୍ କିଟ୍ ମଧ୍ୟ ପ୍ରଦାନ କରାଯାଇଛି।ଝୁମଡାଙ୍ଗ ଅଞ୍ଚଳର ଦୀର୍ଘକାଳୀନ ବିକାଶକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀ ରାଜଶିର୍କେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସ୍ଥାନୀୟ ଯୁବକଯୁବତୀଙ୍କ ଦକ୍ଷତା ବିକାଶ ଓ କର୍ମସଂସ୍ଥାନ ସୁଯୋଗ ସୃଷ୍ଟି ପାଇଁ ଏଠାରେ ‘ପ୍ରଗତି ପଥ ଯୁବ ମାଲକାନଗିରି କେନ୍ଦ୍ର’ ପ୍ରତିଷ୍ଠା କରାଯିବ। ଏହା ସହିତ ଗ୍ରାମରେ ଏକ ମୋଡେଲ ଟ୍ୟାଙ୍କ ନିର୍ମାଣ ଏବଂ ଯୁବଗୋଷ୍ଠୀଙ୍କ ଖେଳକୁଦ ପାଇଁ ଏକ ଉନ୍ନତମାନର ଖେଳପଡ଼ିଆ ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି।ସୀମାନ୍ତବର୍ତ୍ତୀ ତଥା ଦୁର୍ଗମ ଅଞ୍ଚଳର ଲୋକମାନଙ୍କ ନିକଟରେ ପ୍ରଶାସନିକ ସେବା ପହଞ୍ଚାଇବା ଜିଲ୍ଲା ପ୍ରଶାସନ ପାଇଁ ସର୍ବଦା ପ୍ରାଥମିକତା ରହିଆସିଛି। ସମ୍ବିଧାନ ଦିବସ ଭଳି ପବିତ୍ର ଅବସରରେ ଲୋକଙ୍କ ମୌଳିକ ଅଧିକାର ଓ ସରକାରୀ ସୁବିଧା ସୁନିଶ୍ଚିତ କରାଇବା ଦ୍ୱାରା ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ଥିବା ବିଶ୍ୱାସ ଆହୁରି ସୁଦୃଢ଼ ହୋଇପାରିଛି।ଜିଲ୍ଲାପାଳ ଶ୍ରୀ ରାଜଶିର୍କେ ନିଜ ଅଭିଭାଷଣରେ କହିଛନ୍ତି ଯେ, ସମ୍ବିଧାନ ଆମକୁ ସମାନତା ଓ ନ୍ୟାୟର ଅଧିକାର ଦେଇଛି। ସୀମାନ୍ତ ଝୁମଡାଙ୍ଗ ଭଳି ଅଞ୍ଚଳର ପ୍ରତ୍ୟେକ ନାଗରିକଙ୍କ ନିକଟରେ ସରକାରଙ୍କ ସମସ୍ତ ମୌଳିକ ସୁବିଧା ପହଞ୍ଚାଇବା ଆମର ପ୍ରାଥମିକ ଦାୟିତ୍ୱ। ଆଜିର ଏହି ପ୍ରମାଣପତ୍ର ବଣ୍ଟନ ସହ ‘ପ୍ରଗତି ପଥ ଯୁବ ମାଲକାନଗିରି କେନ୍ଦ୍ର’, ମୋଡେଲ ଟ୍ୟାଙ୍କ ଏବଂ ଖେଳପଡ଼ିଆ ନିର୍ମାଣ ଦ୍ୱାରା ଅଞ୍ଚଳର ଯୁବଗୋଷ୍ଠୀ ଓ ଗ୍ରାମବାସୀଙ୍କ ସାମାଜିକ ତଥା ଅର୍ଥନୈତିକ ବିକାଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ।ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତା କୁମାରଙ୍କ ସମେତ ତହସିଲ ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ।
