October 7, 2026

ମହନ୍ତ ଲକ୍ଷ୍ମୀ ନାରାୟଣ ଦାସଙ୍କ ସ୍ମୃତିରେ ମହୋତ୍ସବ ମନ୍ଦରଡ଼ା ଫଳାହାରୀ ରଘୁନାଥ ମଠରେ ଆଧ୍ୟାତ୍ମିକ ପରିବେଶ….

IMG-20261006-WA0101
Share

 

 

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ମନ୍ଦରଡ଼ା ଗ୍ରାମରେ ବିଜେ ଶ୍ରୀ ଫଳାହାରୀ ରଘୁନାଥ ମଠ ପରିସରରେ ପୂର୍ବତନ ମହନ୍ତ ସ୍ୱର୍ଗତ ଲକ୍ଷ୍ମୀ ନାରାୟଣ ଦାସଙ୍କ ଅଷ୍ଟମ ମହୋତ୍ସବ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ମଠ ପରିସର ଆଧ୍ୟାତ୍ମିକ ଭାବଧାରାରେ ମୁଖରିତ ହୋଇଥିଲା। ମଠର ବର୍ତ୍ତମାନ ମହନ୍ତ ଶ୍ରୀ ରାମ କିଶୋର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁନ୍ଦରାକାଣ୍ଡ ପାଠ, ହନୁମାନ ଚାଳିଶା ପାଠ, ମହାପ୍ରଭୁ ଶ୍ରୀ ରଘୁନାଥଙ୍କ ତୁଳସୀ ଅର୍ଚ୍ଚନା, ହୋମ ଓ ଅନ୍ନଯଜ୍ଞ ଆଦି ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପାତ୍ରପୁର ବାଲାଜୀ ମଠର ମହନ୍ତ ଶ୍ରୀ ରାମାନୁଜ ଦାସ ଏବଂ ଦିଗପହଣ୍ଡି ବ୍ଲକ ପେଣ୍ଡୁରାବାଡ଼ି ହନୁମାନ ଗୁମ୍ଫା ମଠର ମହନ୍ତ ଶ୍ରୀ ସୀତାରାମ ଦାସ ସୁନ୍ଦରାକାଣ୍ଡ ଓ ହନୁମାନ ଚାଳିଶା ପାଠ କରିଥିଲେ। ଏଥିରେ ଅଞ୍ଚଳର ଅନ୍ୟ ମଠର ମହନ୍ତମାନେ ମଧ୍ୟ ଯୋଗଦେଇ ସହଯୋଗ କରିଥିଲେ। ଏହି ଅବସରରେ ଉପସ୍ଥିତ ମହନ୍ତ, ଶିଷ୍ୟ ଓ ଅଞ୍ଚଳବାସୀ ସ୍ୱର୍ଗତ ମହନ୍ତ ଲକ୍ଷ୍ମୀ ନାରାୟଣ ଦାସଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ଧାର୍ମିକ ଓ ସାମାଜିକ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କର ଆଦର୍ଶ ଓ ଆଧ୍ୟାତ୍ମିକ ଚେତନାକୁ ସ୍ମରଣ କରି ଉପସ୍ଥିତ ଭକ୍ତମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସନ୍ଧ୍ୟା ସମୟରେ ମନ୍ଦରଡ଼ା ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଶିଷ୍ୟ ମଠରେ ଯୋଗଦେଇ ପ୍ରସାଦ ସେବନ କରିଥିଲେ। ମହୋତ୍ସବକୁ ସଫଳ କରିବାରେ ଗ୍ରାମବାସୀଙ୍କ ସହଯୋଗ ଓ ସହଭାଗିତା ପାଇଁ ମଠର ମହନ୍ତ ଶ୍ରୀ ରାମ କିଶୋର ଦାସ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ।