October 7, 2026

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଅହିଂସା ଦିବସପାଳିତ

IMG-20261006-WA0097
Share

 

ସମ୍ବଲପୁର, ୦୬. ୧୦:ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟଅହିଂସା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ସଂଯୋଜିକା ଡକ୍ଟର ମୀରା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ, ସକାଳେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସ୍ୱେଚ୍ଛାସେବୀ ଏବଂ ଅଧ୍ୟାପକ-ଅଧ୍ୟାପିକାମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ l ଏକ ସୁସ୍ଥ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ଗଠନ ଦିଗରେ ସ୍ୱଚ୍ଛତା, ନାଗରିକ ଦାୟିତ୍ୱବୋଧ ଏବଂ ସାମୂହିକ ପ୍ରୟାସର ଗୁରୁତ୍ୱକୁ ଏହି ଅଭିଯାନ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା l ପରେ ଅନ୍ୟ ଏକ କାର୍ଯ୍ୟକ୍ରମ ପୂର୍ବାହ୍ନରେ ‘ନାରାୟଣୀ ପଣ୍ଡା ରିସୋର୍ସ ସେଣ୍ଟର’ ଠାରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସହକାରୀ ପ୍ରଫେସର ସୁବାଷ ଚନ୍ଦ୍ର ଝଙ୍କାର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ପ୍ରଫେସର ଅରବିନ୍ଦ ମହାପାତ୍ର ଅହିଂସାର ଅର୍ଥ ଓ ଗୁରୁତ୍ୱ ଉପରେ ବିସ୍ତୃତ ଆଲୋଚନା କରିଥିଲେ l

 

ସେ ଗୁରୁତ୍ୱାରୋପ କରିଥିଲେ ଯେ ଅହିଂସା କେବଳ ଶାରୀରିକ ହିଂସାର ଅଭାବ ନୁହେଁ` ବରଂ ଏହା ନିଜର ଚିନ୍ତାଧାରା, କଥା ଓ କାର୍ଯ୍ୟରେ ଘୃଣା ତଥା ହିଂସାଠାରୁ ଦୂରେଇ ରହିବାକୁ ମଧ୍ୟ ବୁଝାଏ। ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ ଓ ଅପରିଗ୍ରହ ଭଳି ଗାନ୍ଧୀବାଦୀ ନୀତିଗୁଡ଼ିକର ଉଲ୍ଲେଖ କରି ସେ ସମାଜରେ ଶାନ୍ତି, ସଦ୍ଭାବ, ଆତ୍ମ-ଶୃଙ୍ଖଳା, ସହନଶୀଳତା ଓ ପାରସ୍ପରିକ ସମ୍ମାନ ବୃଦ୍ଧି କରିବାରେ ସେଗୁଡ଼ିକର ଗୁରୁତ୍ୱ ବୁଝାଇଥିଲେ। ମୁଖ୍ୟ ବକ୍ତା ପ୍ରଫେସର ଜ୍ଞାନ ରଞ୍ଜନ ସ୍ୱାଇଁ ସ୍ୱଚ୍ଛତା ଏବଂ ଦାୟିତ୍ୱବାନ ନାଗରିକ ହେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ସ୍ନାତକୋତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପାର୍ଥ ସାରଥି ମଲ୍ଲିକ, ସାମ୍ପ୍ରତିକ ସମାଜରେ ସତ୍ୟ, ସହନଶୀଳତା, ଧୈର୍ଯ୍ୟ ଏବଂ ଶାନ୍ତିପୂର୍ଣ୍ଣ ଭାବେ ବିବାଦର ସମାଧାନ ଭଳି ଗାନ୍ଧୀବାଦୀ ମୂଲ୍ୟବୋଧର ନିରନ୍ତର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ଏହାପରେ ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ଅଂଶଗ୍ରହଣକାରୀ ଓ ବିଜେତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସହକାରୀ ପ୍ରଫେସର ଅନୁରଞ୍ଜନ ଟେଟେଙ୍କ ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା l