ପିପୁଲ୍ସ କଲେଜରେ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର, ଶୀର୍ଷକରେ ଏକବିଂଶ ଶତାବ୍ଦୀ ପାଇଁ ଚୀନ୍, ଭାରତ ଓ ପାକିସ୍ତାନର ତ୍ରିକୋଣୀୟ ଦୃଶ୍ୟଲେଖ

ପିପୁଲ୍ସ କଲେଜରେ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର, ଶୀର୍ଷକରେ ଏକବିଂଶ ଶତାବ୍ଦୀ ପାଇଁ ଚୀନ୍, ଭାରତ ଓ ପାକିସ୍ତାନର ତ୍ରିକୋଣୀୟ ଦୃଶ୍ୟଲେଖ
ବୁଗୁଡ଼ା : ତା ୦୪/୦୮/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ସମ୍ମିଳନୀ କକ୍ଷରେ ଆଇକ୍ୟୁଏସି ସହଯୋଗରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଧ୍ୟପ୍ରଦେଶର ଇନ୍ଦିରାଗାନ୍ଧୀ ଟ୍ରାଇବଲ ୟୁନିଭରସିଟିର ପ୍ରାକ୍ତନ ପ୍ରଫେସର ନରୋତ୍ତମ ଗାନ୍ , ସମ୍ମାନିତ ଅତିଥି ଭାବେ ଶରଣକୁଳ କଲେଜ ଅଧ୍ୟାପକ ଅନ୍ତର୍ଯ୍ୟାମୀ ପରିଡା ଓ କଲେଜ ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ ଯୋଗ ଦେଇ ଆଲୋଚନା ଚକ୍ରର ଶୀର୍ଷକ ” ଦ ଚାଇନା-ଇଣ୍ଡିଆ-ପାକିସ୍ଥାନ ଟ୍ରିଙ୍ଗଲ୍ : ସିନାରିଓସ୍ ଫର୍ ଦ ଟ୍ବାଣ୍ଟି ଫାଷ୍ଟ ସେଞ୍ଚୁରି” ଉପରେ ଦୃଷ୍ଟାନ୍ତମୂଳକ ମତାମତ ଉପସ୍ଥାପନ କରିଥିଲେ । ଅତିଥିଗଣ ସ୍ବ ସ୍ବ ବକ୍ତବ୍ୟ ଅବସରରେ ତ୍ରିକୋଣୀୟ ଭୌଗୋଳିକ ସ୍ଥିତିରେ ଥିବା ରାଷ୍ଟ୍ର ଚାଇନା, ଭାରତ ଓ ପାକିସ୍ତାନ ମଧ୍ୟରେ ପାରସ୍ପରିକ କୂଟନୈତିକ ସମ୍ପର୍କ ସାଙ୍ଗକୁ ଅତୀତରେ ସଂଗଠିତ ଯୁଦ୍ଧର କୁପରିଣାମ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ସୀମା ବିବାଦ ଓ ସୀମାପାର ଆତଙ୍କବାଦ ସମ୍ପର୍କେ ଆଲୋକପାତ କରିଥିଲେ । ଏଥି ସହ ଏକବିଂଶ ଶତାବ୍ଦୀରେ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାରତ ସହ ଚୀନ୍ ଓ ପାକିସ୍ତାନର ଦ୍ବିପାକ୍ଷିକ ସମ୍ପର୍କରେ ତିକ୍ତତା ସତ୍ତ୍ୱେ ଏକବିଂଶ ଶତାବ୍ଦୀ ସକାଶେ ଦୃଶ୍ୟଲେଖମାନ କିଭଳି ରହିବ ସେନେଇ ସାରଗର୍ଭକ ଆଲୋଚନା ହୋଇଥିଲା । ଏ ଅବସରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନର ଟପ ଟେନ୍ ତାଲିକାରେ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ପାଇଁ ଯୋଗ୍ଯ ବିବେଚିତା ଛାତ୍ରୀ ଚିନ୍ମୟୀ ସାହୁଙ୍କ ସମେତ ତୃତୀୟ ସ୍ଥାନରେ ଥିବା ନନ୍ଦିନୀ ବିଶ୍ବାଳ ଓ ଦଶମ ସ୍ଥାନରେ ଥିବା ଛାତ୍ରୀ ସ୍ମୃତିଶିଖା ପ୍ରଧାନଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଥି ସହ ଛାତ୍ରୀ ପୂଜାରାଣୀ ଦାଶ ଓ ରୋଜାଲିନ୍ ପାତ୍ର ପାଠଚକ୍ରର ଶୀର୍ଷକ ସମ୍ବଳିତ ସନ୍ଦର୍ଭ ପାଠ କରିଥିଲେ । କାର୍ଯ୍ୟକ୍ରମ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ ଏବଂ ଆଇକ୍ୟୁଏସି ସଂଯୋଜକ ଅଧ୍ଯାପକ ପ୍ରଦୀପ କୁମାର ଦାଶ କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଜ୍ଞାପନ କରିଥିବା ବେଳେ ପରିଶେଷରେ ଅଧ୍ୟାପକ ବିନୋଦ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ଯାପକ ଲୋକନାଥ ବେହେରାଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।