୧୧କିଲୋ ଭୋଲ୍ଟ ତାର ଛିଣ୍ଡି ଗାଈ ମୃତ, ଆଉ ଗୋଟିଏ ଆହତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ତୀବ୍ର ପ୍ରତିକ୍ରିୟା
ତିର୍ତ୍ତୋଲ -୦୩/୦୫/୨୬
( ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ)
ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ସରଳପୁର ଓ ହୟାତପୁର ମଧ୍ୟରେ ଥିବା ପାଟ( ବିଲ ) ମଝିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ଗାଈର ମୃତ୍ୟୁ ଘଟିଥିବା ବେଳେ ଆଉ ଗୋଟିଏ ଗାଈ ଗୁରୁତର ଭାବେ ଆହତ ହୋଇଛି ।
ସୂଚନା ଅନୁଯାୟୀ, ବେହେଡ଼ପୁର ଗ୍ରାମର ନରେଶ କୁମାର ମହାନ୍ତି (ପିତା– ଘନାଶ୍ୟାମ ମହାନ୍ତି) ଆଜି ସକାଳ ପ୍ରାୟ ୯ଟା ସମୟରେ ନିଜ ଗାଈମାନଙ୍କୁ ସରଳପୁର ପାଟ ବିଲ ରେ ଚରିବାକୁ ଛାଡ଼ିଥିଲେ । କିନ୍ତୁ ବେଳ ହୋଇଯାଇ ଥିଲେ ମଧ୍ୟ ଗାଈ ଘରକୁ ଫେରିନଥିବାରୁ ସେ ସନ୍ଦେହ ବଶତଃ ପାଟ ବିଲ କୁ ଯାଇଥିଲେ । ସେଠାରେ ପହଞ୍ଚି ନିଜ ଗାଈ ମୃତ ଅବସ୍ଥାରେ ପଡ଼ିଥିବା ଦେଖି ହତବାକ୍ ହୋଇ ପଡ଼ିଥିଲେ ଓ ତୁରନ୍ତ ଗାଁଲୋକଙ୍କୁ ଡାକିଥିଲେ ।
ଘଟଣା ସ୍ଥଳରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶ ହେବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରା ଯାଉଛି । ଏନେଇ ସରଳପୁର, ହୟାତପୁର ଓ ବେହେଡ଼ପୁର ଗ୍ରାମବାସୀମାନେ ବିଦ୍ୟୁତ ବିତରଣ କମ୍ପାନୀ TATA ବା TPCODL କୁ ଦାୟୀ କରିଛନ୍ତି ।
ଗ୍ରାମବାସୀମାନେ ଦାବି କରିଛନ୍ତି ଯେ, ସେମାନଙ୍କ ଚାଷ ଜମି ଉପରେ ଯାଇଥିବା ୧୧ କେ:ଭି: ବିଦ୍ୟୁତ ତାରକୁ ଶୀଘ୍ର ହଟାଯାଉ । ସେଥିସହ ମରିଯାଇଥିବା ଗାଈ ପାଇଁ ୬୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାବି କରାଯାଇଛି ।
ଯଦି ଶୀଘ୍ର ପଦକ୍ଷେପ ନ ନିଆଯାଏ, ତେବେ ଆସନ୍ତା କାଲି ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଘଟଣା ପରେ ଅଞ୍ଚଳରେ ଭୟ ଓ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ, ପ୍ରଶାସନ ଓ ବିଦ୍ୟୁତ ବିଭାଗର ତୁରନ୍ତ ସ୍ଥାନାନ୍ତର ପାଇଁ ଦାବି କରା ଯାଉଛି ।
