September 25, 2026

ସମବାୟ ଭିତ୍ତିଭୂମି ସୁଦୃଢ଼ ପାଇଁ ସମ୍ବଲପୁରରେ ୭ କୋଟିର ପ୍ରକଳ୍ପ

IMG-20260925-WA0115
Share

 

 

‘ସମର୍ଥ’ ଅଭିଯାନର ଶୁଭାରମ୍ଭ କରି ଧାନ କ୍ରୟ କେନ୍ଦ୍ର, ଗୋଦାମ ଓ ନୂତନ ସମବାୟ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

 

ସମ୍ବଲପୁର, ୨୫/୦୯: ରାଜ୍ୟରେ ସମବାୟ ଆନ୍ଦୋଳନକୁ ଅଧିକ ସୁଦୃଢ଼ କରିବା ସହ ଚାଷୀ, ଯୁବବର୍ଗ ଓ ସାଧାରଣ ଲୋକଙ୍କ ଆର୍ଥିକ ସଶକ୍ତୀକରଣକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରାଜ୍ୟସ୍ତରୀୟ ‘ସମର୍ଥ’ ଅଭିଯାନର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରରୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିବା ସହ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସମବାୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କରିଛନ୍ତି।

 

ଜିଲ୍ଲାର କୃଷି ଓ ସମବାୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରାୟ ୭ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହା ଅଧୀନରେ ବାରସିଂହଗଡ଼ ସେବା ସମବାୟ ସମିତି ଏବଂ କେଶାପାଲି ସେବା ସମବାୟ ସମିତିର ଧାନ କ୍ରୟ କେନ୍ଦ୍ର ପାଇଁ ଭିତ୍ତିଭୂମି ସ୍ଥାପନ କରାଯାଇଛି।

 

ଏଥିସହ ‘ବିଶ୍ୱର ସର୍ବବୃହତ ଶସ୍ୟାଗାର ଯୋଜନା’ ଅଧୀନରେ ରେଢ଼ାଖୋଲ ବ୍ଲକ୍‌ର ବାତଗାଁ ପ୍ୟାକ୍ସଠାରେ ଗୋଦାମ ଗୃହ ନିର୍ମାଣର ଶୁଭାରମ୍ଭ ହୋଇଛି। କିସିଣ୍ଡା ପ୍ରାଥମିକ କୃଷି ସମବାୟ ସମିତିର ନୂତନ କାର୍ଯ୍ୟାଳୟ ସହ ୫୦ ମେଟ୍ରିକ୍‌ ଟନ୍‌ କ୍ଷମତାସମ୍ପନ୍ନ ଗୋଦାମ ଗୃହ ମଧ୍ୟ ଉଦ୍‌ଘାଟିତ ହୋଇଛି। ସେହିପରି କେଶାଇବାହାଲ ଓ ପାରୁଆଭାଡି ଠାରେ ବୃହଦାକାର ବହୁମୁଖୀ ଆଦିବାସୀ ସମବାୟ ସମିତିର ନୂତନ କାର୍ଯ୍ୟାଳୟ ତଥା ଗୋଦାମ ଗୃହର ମଧ୍ୟ ଶୁଭ ଉଦ୍‌ଘାଟନ ସମ୍ପନ୍ନ ହୋଇଛି।

 

ଏହି ଅବସରରେ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର କହିଥିଲେ ଯେ, ଜିଲ୍ଲାରେ ପ୍ରାୟ ୮ ଲକ୍ଷ ଭୋଟର ଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ଲକ୍ଷ ୬୦ ହଜାର ଲୋକ ସମବାୟ ସମିତିର ସଦସ୍ୟ ଅଛନ୍ତି। ‘ସମର୍ଥ’ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ସମବାୟ ସଦସ୍ୟତା ବୃଦ୍ଧି କରିବା ଲକ୍ଷ୍ୟ ରହିଛି।ପୁଞ୍ଜି ଅଭାବରୁ ଚାଷୀ କିମ୍ବା ଉଦ୍ୟୋଗୀମାନେ ଯେପରି ବେସରକାରୀ ସାହୁକାରଙ୍କ ଉପରେ ନିର୍ଭରଶୀଳ ନ ହୁଅନ୍ତି, ସେଥିପାଇଁ ପ୍ୟାକ୍ସ ଓ ଲ୍ୟାମ୍ପସ୍‌ ମାଧ୍ୟମରେ ସୁଲଭ ଋଣ, ସାର, ବିହନ ଓ ଜଳସେଚନ ଭଳି ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ଆଗାମୀ ଦିନରେ ସମବାୟ ସମିତିଗୁଡ଼ିକୁ ବହୁମୁଖୀ ସେବା କେନ୍ଦ୍ର ଭାବେ ବିକଶିତ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।ସେ ଜିଲ୍ଲାର ଚାଷୀ, ଯୁବବର୍ଗ ଓ ମହିଳାମାନଙ୍କୁ ସମବାୟ ସମିତିର ସଦସ୍ୟ ହୋଇ ସରକାରୀ ସୁବିଧାର ଲାଭ ଉଠାଇବାକୁ ଆହ୍ୱାନ ଦେଇଥିଲେ।

 

କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ନାଉରି ନାୟକ, ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି ସମୀର ବାବୁ, ଡିଆର୍‌ସିଏସ୍‌, ସମ୍ବଲପୁରଙ୍କ ସମେତ ବିଭାଗୀୟ ଅଧିକାରୀ ଓ ବରିଷ୍ଠ କର୍ମଚାରୀମାନେ ଉପସ୍ଥିତ ଥିଲେ।

You may have missed