ଲାଞ୍ଜିଗଡ ସ୍ଥିତ ବେଦାନ୍ତ ନଗରର ଆଧ୍ୟାତ୍ମିକ ପରିବେଶକୁ ଭକ୍ତିମୟ କରିଦେଇଛି ନିମୟୀ ମନୋହର ସଙ୍କୀର୍ତ୍ତନ କମିଟି ଦ୍ଵାରା ପ୍ରସ୍ତୁତ ୧୬ ପ୍ରହର ନାମ ଯଜ୍ଞ।


ଏହି ପବିତ୍ର ଅବସର ଉପଲକ୍ଷେ ଆଜି ବହୁ ଆଡମ୍ବର ଓ ଭକ୍ତିଭାବର ସହିତ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ସନ୍ଧ୍ୟା ସମୟରେ ଶତାଧିକ ଶ୍ରଦ୍ଧାଳୁ, ମହିଳା ଓ ଯୁବକମାନେ ମଙ୍ଗଳ ବାଦ୍ୟ, ଭଜନ ସଂକୀର୍ତ୍ତନ ଏବଂ ଘଣ୍ଟ ଘଣ୍ଟାର ଧ୍ୱନି ମଧ୍ୟରେ କଳସ ଯାତ୍ରାରେ ସାମିଲ ହୋଇଥିଲେ।
ଭକ୍ତମାନେ ମୁଣ୍ଡରେ ପବିତ୍ର କଳସ ଧାରଣ କରି ଗ୍ରାମ ପରିକ୍ରମା କରିଥିବା ବେଳେ ସମଗ୍ର ଅଞ୍ଚଳ ଭକ୍ତିର ରଙ୍ଗରେ ରଙ୍ଗାଇ ଯାଇଥିଲା।
କଳସ ଯାତ୍ରା ସମୟରେ ହରିବୋଲ ଓ ଭଜନ କୀର୍ତ୍ତନରେ ପରିବେଶ ଆଧ୍ୟାତ୍ମିକ ହୋଇଉଠିଥିଲା।
ଛୋଟ ଛୋଟ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଯୋଗଦେଇଥିଲେ। ଗ୍ରାମର ମୁଖ୍ୟ ରାସ୍ତା ମାନଙ୍କୁ ତୋରଣ, ଫୁଲ ଓ ବିଭିନ୍ନ ସଜାସଜ୍ଜାରେ ସୁସଜ୍ଜିତ କରାଯାଇଥିବା ବେଳେ ରାତିରେ ଆଲୋକମାଳାରେ ସମଗ୍ର ପରିବେଶ ଆକର୍ଷଣୀୟ ହୋଇଉଠିଛି।
ଆସନ୍ତା କାଲି ସକାଳ ୭ ଟାରୁ ପବିତ୍ର ୧୬ ପ୍ରହର ନାମ ଯଜ୍ଞ ଆରମ୍ଭ ହେବ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ନାମ ଯଜ୍ଞରେ ଅଖଣ୍ଡ ହରିନାମ ସଂକୀର୍ତ୍ତନ, ଓ ବିଭିନ୍ନ ଧାର୍ମିକ ନୀତିକାନ୍ତି ଅନୁଷ୍ଠିତ ହେବ।
ଦୂର ଦୂରାନ୍ତରୁ ଭକ୍ତମାନେ ଏଥିରେ ସାମିଲ ହେବାକୁ ଆସୁଥିବାରୁ ଗ୍ରାମରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି।
ଯଜ୍ଞ କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ, ଦହି ପାନୀୟ ଓ ବସିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।
ସ୍ଥାନୀୟ ଅଞ୍ଚଳବାସୀମାନେ ମଧ୍ୟ ଏହି ପବିତ୍ର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସକ୍ରିୟ ସହଯୋଗ କରୁଛନ୍ତି।
ଏହି ଧାର୍ମିକ ମହୋତ୍ସବର ଶେଷ ଦିନ ନଗର ପରିକ୍ରମା ଆୟୋଜିତ ହେବ। ଭକ୍ତମାନେ ହରିନାମ ସଂକୀର୍ତ୍ତନ କରି ଗ୍ରାମ ପରିକ୍ରମା କରିବେ ଓ ପରେ ପାରମ୍ପରିକ ଦଧି ହାଣ୍ଡି ଭଗ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦଧି ହାଣ୍ଡି ଭଗ୍ନ ପରେ ଏହି ଦୁଇ ଦିନିଆ ଭକ୍ତିମୟ କାର୍ଯ୍ୟକ୍ରମର ସମାପନ ଘଟିବ।
ଧାର୍ମିକ ଆସ୍ଥା, ଭକ୍ତି ଓ ସାମୁହିକ ସଂସ୍କୃତିର ଏକ ଅନନ୍ୟ ନିଦର୍ଶନ ଭାବେ ୧୬ ପ୍ରହର ନାମ ଯଜ୍ଞ ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା ଓ ଆଧ୍ୟାତ୍ମିକତାର ସନ୍ଦେଶ ପ୍ରସାର କରୁଛି।
*ଲାଞ୍ଜିଗଡ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ ଉପାନ୍ତ ଖବର*
