ଗୁଣୁପୁର ରେ ତୈଳ ସଙ୍କଟ : ପ୍ରଶାସନ ଚୁପ ଡବଲ ଇଂଜିନ ସରକାରଙ୍କ ଡବଲ ଧୋକା – ପୂର୍ବତନ ବିଜେଡି ବିଧାୟକ

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ମଧ୍ୟ ପ୍ରାଚ୍ୟ ଯୁଦ୍ଧର କୁପରିଣାମ ସାରା ଦେଶରେ ଦେଖିବାକୁ ମିଳୁଥିବା ବେଳେ ରାୟଗଡା ଜିଲ୍ଲା ଗୁଣୁପୁର ସହରରେ ଏବେ ତୈଳ ସଙ୍କଟ ଜଟିଳ ହୋଇ ପଡିଛି। ଗତ ଏକ ସପ୍ତାହ ଧରି ଏଭଳି ସଙ୍କଟ ଲାଗି ରହିଛି। ଗୋଟେ ପଟେ ସାଧାରଣ ଲୋକଙ୍କୁ ରନ୍ଧନ ଗ୍ୟାସ ମିଳୁନଥିବା ବେଳେ ଏବେ ତୈଳ ସଙ୍କଟ ପରିସ୍ଥିତି କୁ ଆହୁରି ଜଟିଳ କରି ଦେଇଛି। ଗୁଣୁପୁର ରେ ଥିବା ୫ ଗୋଟି ଫିଲିଙ୍ଗ ଷ୍ଟେସନ ରେ ଅଚଳବସ୍ଥା ଲାଗି ରହିଛି। ସାଧାରଣ ଲୋକେ ନିଜର ଗାଡି ମଟର ଧରି ଫିଲିଙ୍ଗ ଷ୍ଟେସନ ରେ ପ୍ରାୟ ୪ ରୁ ୫ ଘଣ୍ଟା ଧରି ଠିଆ ହେଲେ ମାତ୍ର ଶହେ ଟଙ୍କାର ତେଲ ମିଳୁଥିବା ଅଭିଯୋଗ କରିଛନ୍ତି। ଏତେ ସବୁ ଅଚଳବସ୍ଥା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଜଗତସିଂହପୁର, ପୁରୀ ପ୍ରଭୃତି ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ ଫିଲିଙ୍ଗ ଷ୍ଟେସନ ରେ ଚଢ଼ାଉ କରି ବଣ୍ଟନ ଯୋଗାଣ ବ୍ୟବସ୍ଥା କୁ ସୁଗମ କରୁଥିବା ଦେଖିବାକୁ ମିଳିଛି। ହେଲେ ଏଠାରେ ପରିସ୍ଥିତି ଅସମ୍ଭାଳ ହେଲା ପରେ ମଧ୍ୟ କୌଣସି ପଦକ୍ଷେପ ପ୍ରଶାସନ ତରଫରୁ ନିଆଯାଉ ନାହିଁ।
ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ବାହସ୍ପଟ କୁ ସାଧାରଣ ରେ ତୀବ୍ର ସମାଲୋଚନା କରାଯାଇଛି। ରାଜ୍ୟରେ ଯଥେଷ୍ଟ ତୈଳ ଗଛିତ ଅଛି ତୈଳ ସଙ୍କଟ ରାଜ୍ୟରେ ନ ଥିବା ଯୋଗାଣ ମନ୍ତ୍ରୀ କହିଥିବା ବେଳେ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ଯଦି ରାଜ୍ୟରେ ତୈଳ ସଙ୍କଟ ନାହିଁ ତେବେ ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କୁ ଖରାରେ କାହିଁକି ଠିଆ ହେବାକୁ ପଡୁଛି ? ଚାହିଦା ମୁତାବକ ତେଲ ନ ଦେବା କାରଣ କଣ ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ଡବଲ ଇଂଜିନ ସରକାର ଙ୍କ ଡବଲ ଧୋକା ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ପ୍ରଥମେ ବ୍ୟାଙ୍କ ଆଗରେ ଲୋକଙ୍କୁ ଠିଆ କରେଇଲେ, ରାସନ କାର୍ଡ ନାମରେ ଜନସେବା କେନ୍ଦ୍ରରେ ଲୋକଙ୍କୁ ଠିଆ କରେଇବା,ପ୍ରଦୂଷଣ ପ୍ରମାଣପତ୍ର ନାମ ରେ ଲୋକଙ୍କୁ ଠିଆ କରେଇବା,ଗ୍ୟାସ ଓ ତୈଳ ପାଇଁ ଏବେ ୪୦ ଡିଗ୍ରୀ ଖରାରେ ଲୋକଙ୍କୁ ଠିଆ କରେଇ ରାଜ୍ୟବାସୀ ଙ୍କୁ ଧୋକା ଦେବା ବ୍ୟତୀତ ଆଉ କିଛି ନୁହେଁ ବୋଲି ଗୁଣୁପୁର ର ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ କହିଛନ୍ତି। ଜରୁରୀ ଚିକିତ୍ସା, ସାଧାରଣ ପରିବହନ କ୍ଷେତ୍ରରେ ଲୋକେ ସମସ୍ୟା ଭୋଗୁଥିବା ବେଳେ ସରକାର ନିଜେ କହୁଥିବା କଥା କୁ ପ୍ରଥମେ ରଖନ୍ତୁ ବୋଲି ବିଜେଡି ଜିଲ୍ଲା ଉପ ସଭାପତି କହିଛନ୍ତି।
