May 14, 2026

ସାପ୍ତାହିକ ନବୀନର ୯୭ ତମ ସ୍ଵନକ୍ଷତ୍ର ଉତ୍ସଵ  ‘ସମ୍ବାଦପତ୍ରର ପରାଧୀନତା ସମାଜ ପାଇଁ କ୍ଷତିକାରକ’

IMG-20260513-WA0035
Share

ବ୍ରହ୍ମପୁର,୧୩/୫: ସମ୍ପ୍ରତି ଦେଶରେ ସମ୍ବାଦପତ୍ର ଗୁଡ଼ିକ ଦିନକୁ ଦିନ କର୍ପୋରେଟ୍ ହାଉସ ନିୟନ୍ତ୍ରଣକୁ ଚାଲିଯାଉଥିବାରୁ ସ୍ୱଚ୍ଛ ଓ ସ୍ଵାଧୀନ ମତ ପ୍ରକାଶରେ ବାଧା ଉପୁଜୁଛି। ସମ୍ବାଦପତ୍ରର ପରାଧୀନତା ସମାଜ ପାଇଁ କ୍ଷତିକାରକ ବୋଲି ସ୍ଥାନୀୟ ନବୀନ ଭବନ ପରିସରରେ ଅନୁଷ୍ଠିତ ପୁରାତନ ସମ୍ବାଦପତ୍ର ନବୀନର ୯୭ତମ ସ୍ଵନକ୍ଷତ୍ର ଉତ୍ସଵରେ ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ସଂସ୍କୃତି ଗବେଷକ ଡକ୍ଟର ବାୟାମନୁ ଚର୍ଚି, ବରିଷ୍ଠ ସ୍ତମ୍ଭକାର ଉମାଶଙ୍କର ପ୍ରସାଦ, ଜଳବାୟୁ ବୈଜ୍ଞାନିକ ଡ. ଡମ୍ବରୁଧର ସାହୁ, ବର୍ଷୀୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡିଆ ଭାଷା ସାହିତ୍ୟ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ନବୀନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହ ସମ୍ପ୍ରତି ସମ୍ବାଦପତ୍ର ଗୁଡ଼ିକର ସ୍ବାଧୀନତାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ସ୍ତରରେ ହୀନ ଉଦ୍ୟମକୁ ନାପସନ୍ଦ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ବହୁ ବୁଦ୍ଧିଜୀବୀ ସାମ୍ବାଦିକ, ସାହିତ୍ୟିକ ଯୋଗଦେଇଥିବା ବେଳେ ବରିଷ୍ଠ ଶିକ୍ଷାବିତ୍ କାମରାଜୁ ମହାରଣା, ସାମ୍ବାଦିକ ରଙ୍କନାଥ ସେଠୀ, ପ୍ରାକ୍ତନ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ଶିକ୍ଷକ ନେତା ଅଶୋକ କୁମାର ଦଳେଇ, ଭୂମିବାର୍ତ୍ତାର ସମ୍ପାଦକ ସ୍ବଦେଶ ଚନ୍ଦ୍ର ଦାଶ, ଭାଗବତ ଚାରିଟେବୁଲ ଟ୍ରଷ୍ଟ୍ ଅଧ୍ୟକ୍ଷ ଏସ୍. ପ୍ରକାଶ ଚନ୍ଦ୍ର ପାତ୍ର, ସମାଜସେବୀ ରାମକୃଷ୍ଣ ପାତ୍ର ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ବରିଷ୍ଠ ସ୍ତମ୍ଭକାର ଉମାଶଙ୍କର ପ୍ରସାଦ, ସଂସ୍କୃତି ଗବେଷକ ଡ ବାୟାମନୁ ଚର୍ଚି, ସାମ୍ବାଦିକା ବିଷ୍ଣୁପ୍ରିୟା ସାହୁ, ସାମ୍ବାଦିକ ତଥା ସମାଜସେବୀ ପ୍ରଦ୍ୟୁମ୍ନ ମହାନ୍ତି ଓ ଯୁବ ସାମ୍ବାଦିକ ଶ୍ରଦ୍ଧାନନ୍ଦ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା । ନବୀନର ସହସମ୍ପାଦକ ସୁଶାନ୍ତ କର ସ୍ବାଗତ ଭାଷଣ ଦେଇଥିବା ବେଳେ ସାମ୍ବାଦିକ ରଂଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପବିତ୍ର ଚୌଧୁରୀ, ଅରୁଣ ପଣ୍ଡା ସକ୍ରିୟ ସହଯୋଗ କରିଥିଲେ।