May 14, 2026

ଜୀବନ, ଜୀବିକା ଓ ପରିବେଶର ସୁରକ୍ଷା ପାଇଁ ପଥର କ୍ରସରକୁ ୫ଟି ଗାଁର ଗ୍ରାମବାସୀଙ୍କ ବିରୋଧ

IMG-20260513-WA0042
Share

 

*ବେଆଇନ କ୍ରସର ବିରୁଦ୍ଧରେ ଉପ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର !*

 

ବ୍ରହ୍ୱପୁର (୧୩/୦୫/୨୦୨୬) ଦିଗପହଣ୍ଡି ତହସିଲ ଅନ୍ତର୍ଗତ କୋଟିନଡ଼ା ଗ୍ରାମ ପଂଚାୟତର ଡ଼ଙ୍କାରୀ ମୌଜାରେ ଥିବା ମା ତାରିଣୀ ପଥର କ୍ରସରର ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ ଆଜି ସ୍ଥାନୀୟ ୫ଟି ଗ୍ରାମର ଗ୍ରାମବାସୀମାନେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆଜି ପୂର୍ବାହ୍ନରେ ଦିଗପହଣ୍ଡି ତହସିଲର ଜକରାପଲ୍ଲୀ, ଡ଼ଙ୍କାରୀ ଓ 3ଟି ଆଦିବାସୀ ଗ୍ରାମ ଯଥା ସାନ ବୁରୁଡ଼ା, ବଡ଼ ବୁରୁଡ଼ା, ଚଢ଼େୟାଗରଦ ଆଦି ସମୁଦାୟ ପାଞ୍ଚଟି ଗ୍ରାମର ଶହ ଶହ ଗ୍ରାମବାସୀ ନିଜର ୫ ଦଫା ସମ୍ବଳିତ ଦାବିପତ୍ରରେ ସମ୍ପୃକ୍ତ କ୍ରସର ଯୋଗୁଁ ସେମାନଙ୍କର ଜୀବନ, ଜୀବିକା ଓ ପରିବେଶର କିପରି କ୍ଷତି ହେଉଛି, ତା’ର ଉଲ୍ଲେଖ କରିବା ସହିତ କ୍ରସରମାଲିକଙ୍କ ବେଆଇନ କାର୍ଯ୍ୟକଳାପର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ । ଏହା ସହ ସ୍ଥାନୀୟ ଗ୍ରାମବାସୀମାନେ କ୍ରସର ମାଲିକର ବେଆଇନ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ସ୍ଥାନୀୟ ପୋଲିସ କିପରି ତା’ର ବୋଲକରା ସାଜି ଲୋକଙ୍କୁ ତୁରନ୍ତ ଥାନାକୁ ଡକାଇ ମିଛ କେସ୍ ଓ ଗିରଫଦାରୀର ଧମକ ଦେଇ ଡ଼ରାଉଛି, ତା’ ବିରୁଦ୍ଧରେ ବ୍ରହ୍ୱପୁର ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡ଼ଙ୍କାରୀ ମୌଜାରେ ଥିବା ଏହି କ୍ରସର ପାଇଁ କଞ୍ଚାମାଲ ଓ ଉତ୍ପାଦିତ ଗୋଡ଼ିର ପରିବହନ ପାଇଁ ସମ୍ପୃକ୍ତ ମାଲିକ ଜକରାପଲ୍ଲି ରାସ୍ତା ଓ ବେଲଘାଇ କେନାଲ କଡ଼ରେ ଥିବା ଏମ୍‌ଆଇ ରାସ୍ତାକୁ ବ୍ୟବହାର କରୁଛନ୍ତି । କେନାଲ କଡରେ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ନିର୍ମିତ ଅଣ ଓସାରିଆ ରାସ୍ତାଟି କେବଳ କେନାଲର ରକ୍ଷଣା ବେକ୍ଷଣ ଓ ମରାମତି ପାଇଁ ଉଦ୍ଦିଷ୍ଟ ଥିବା ବେଳେ କ୍ରସର କର୍ତ୍ତୁପକ୍ଷ ତାକୁ ବେଆଇନ ଭାବେ ନିଜର ବ୍ୟବସାୟିକ ସ୍ଵାର୍ଥ ପାଇଁ ବ୍ୟବହାର କରୁଛନ୍ତି । ଉପରୋକ୍ତ ଗ୍ରାମ୍ୟ ରାସ୍ତାର ସର୍ବାଧିକ ଓଜନ ସହିବାର କ୍ଷମତା ୧୦ ଟନ୍ ବୋଲି ଧାର୍ଯ୍ୟ ହୋଇଥିବା ବେଳେ ସେମାନେ ପ୍ରତିଦିନ ବଡ଼ ବଡ଼ ହାଇୱା ଗାଡ଼ିରେ ୨୦-୩୦ ଟନ୍ ଓଜନର ପଥର ଓ ଗୋଡ଼ି ଦିନକୁ ୫୦-୭୦ ଥର ନବା ଆଣିବା କରୁଛନ୍ତି । ଅତ୍ୟଧିକ ମାଲ ପରିବହନ ଫଳରେ ଉପରୋକ୍ତ ରାସ୍ତା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହେବା ସହ ବାରମ୍ବାର ଛୋଟ ମୋଟ ଦୁର୍ଘଟଣା ଘଟି ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି । ଏପରିକି ସେହି ଅଣ ଓସାରିଆ ରାସ୍ତାରେ ହାଇୱା ପରି ବଡ଼ ବଡ଼ ମାଲ ବୋଝେଇ ଗାଡ଼ି ଯିବା ଫଳରେ ସେହି ରାସ୍ତା ଦେଇ ସ୍କୁଲ ପିଲା ଏପରିକି ସାଧାରଣ ଲୋକ ଯିବା ଆସିବା କରିବା କଷ୍ଟକର ହେଉଛି ।

ଏହାବ୍ୟତିତ ସମ୍ପୃକ୍ତ ମାଲିକ କ୍ରସର ଦେଇ ଜକରାପଲ୍ଲୀକୁ ଯାଇଥିବା ବେଲଘାଇ କେନାଲକୁ କ୍ରସରର ପଥର ଗୁଣ୍ଡ ଓ ଅନ୍ୟାନ୍ୟ ଅବର୍ଜନା ମାଟିକୁ ଜାଣିଶୁଣି ଅବରୋଧ କରିବା ଫଳରେ ତଳମୁଣ୍ଡରେ ଥିବା ଜକରାପଲ୍ଲୀର ଚାଷିମାନଙ୍କର ଶହ ଶହ ଭରଣ ଚାଷଜମି ଜଳସେଚନରୁ ବଂଚିତ ହେଉଛି । ପୁନଶ୍ଚ କ୍ରସରରୁ ବାହାରୁଥିବା ପଥରଗୁଣ୍ଡ ଚାରିପଟେ ଉଡ଼ିବା ଯୋଗୁଁ ତା’ର ଚାରି ପାଖରେ ଥିବା ଅଞ୍ଚଳ ପ୍ରଦୂଷିତ ହେଉଛି । ପଥରଗୁଣ୍ଡ ପଡ଼ିବା ଫଳରେ ପାଖ ଆଖରେ ଥିବା ଅନେକ ଚାଷଜମି ନଷ୍ଟ ହୋଇ ଚାଷ ପାଇଁ ଅନୁପଯୋଗୀ ହୋଇଯାଇଛି । ସେସବୁ ଜମିର ଚାଷିମାନେ ବର୍ଷ ବର୍ଷ ଧରି ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି । କ୍ରସରର ବଳକା ପଥରଗୁଣ୍ଡକୁ ମାଲିକ ନିରାପଦ ଭାବେ ବାହାର ନକରି ପ୍ରାୟତଃ ପାଖରେ ଥିବା ଚାଷ ଜମିକୁ ଛାଡ଼ିଦେବା ଫଳରେ ସେସବୁ ଜମି ଏବେ ଚାଷ ପାଇଁ ଅନୁପଯୋଗୀ ହୋଇଯାଇଛି । ଏଭଳି ପରିସ୍ଥିତିରେ କ୍ଷତିଗ୍ରସ୍ତ ଗ୍ରାମବାସୀମାନେ ସ୍ଥାନୀୟ ପ୍ରଶାସନ ଓ ପୋଲିସକୁ ନିଜର ଅସୁବିଧା ସମ୍ପର୍କରେ ବାରମ୍ବାର ଅବଗତ କରାଇଲେ ମଧ୍ୟ ସେମାନଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଓଲଟା ସେମାନେ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ଡ଼ରାଇବା ଓ ଧମକାଇବା ଦେଖାଯାଇଛି ।

ଆଜିର ଏହି କାର୍ଯ୍ୟକ୍ରମରେ ଅର୍ଜୁନ ବିଷୋୟୀ, ନନ୍ଦ ଜେନା, ସନ୍ତୋଷ ଗøଡ଼, ରାମଚନ୍ଦ୍ର ବିଷୋୟୀ, କାଶୀନାଥ ଗୌଡ଼, ଚଉ ଗøଡ଼, କାଳିଆ ଗୌଡ଼, ଇଶ୍ୱର ବିଷୋୟୀ, ଭୀମସେନ ବିଷୋୟୀ, ଲଡ଼ୁ କିଶୋର ଡ଼ାକୁଆ, ଗଜେନ୍ଦ୍ର ସାହୁ, ବଳରାମ ଗୌଡ଼, ଉତ୍ତମ ନାୟକ, ବିପ୍ର ମଲ୍ଲିକ, ଜଗା ମଲ୍ଲିକ, ମଣ୍ଟୁ ଜେନା, କେ. କେଶବ ଆଚାରୀ, ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ । ବ୍ରହ୍ମପୁର ଉପ ଜିଲ୍ଲାପାଳ କ୍ରସର ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ ପାଇଁ ଦିଗପହଣ୍ଡି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବା ସହ ରିପୋର୍ଟର ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଓ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ ମଧ୍ୟ ସେମାନଙ୍କୁ ସହଯୋଗ ଓ ସମର୍ଥନ କରିଥିଲେ ।