June 28, 2026

କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା : ଆୟୁର୍ବେଦ, ସାହିତ୍ୟ, ଚଳଚ୍ଚିତ୍ର ଓ ଜନସେବାର ଅନନ୍ୟ ପୁରୋଧା

IMG-20260628-WA0032
Share

 

 

କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା ଓଡ଼ିଶାର ଜଣେ ବିଶିଷ୍ଟ ଆୟୁର୍ବେଦାଚାର୍ଯ୍ୟ, ଲେଖକ, ଚଳଚ୍ଚିତ୍ର ପ୍ରଯୋଜକ, ଶିଳ୍ପୋଦ୍ୟୋଗୀ ଓ ରାଜନେତା ଥିଲେ। ୧୯୧୪ ମସିହା ଫେବୃଆରୀ ୨୩ ତାରିଖରେ ଗଞ୍ଜାମ ଜିଲ୍ଲା ଆସିକା ନିକଟସ୍ଥ ଗୁଣ୍ଠପଡ଼ା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଶାସନ ଗ୍ରାମରେ ଶ୍ରୀ ମଗୁଣି ପାଠୀ ଓ ଶ୍ରୀମତୀଙ୍କ କୋଳରେ ତାଙ୍କ ଜନ୍ମ ହୋଇଥିଲା। ପିତାମହ ଥିଲେ ଶ୍ରୀ ଲକ୍ଷ୍ମଣ ପାଠୀ। ଶୈଶବରୁ ସେ ମେଧାବୀ, ଅଧ୍ୟବସାୟୀ ଓ ଜ୍ଞାନପିପାସୁ ଥିଲେ।

 

ନିଜ ଗ୍ରାମର ଛାଟଶାଳୀରେ ପ୍ରାଥମିକ ଶିକ୍ଷା ସମାପ୍ତ କରି ସେ ସଂସ୍କୃତ ଭାଷାରେ ପାରଦର୍ଶିତା ହାସଲ କରିଥିଲେ। ୧୯୨୯ ମସିହାରେ ପାରଳାଖେମୁଣ୍ଡିର ପ୍ରସିଦ୍ଧ ଭେଷଜ ମନ୍ଦିରରେ ଆୟୁର୍ବେଦ ଶିକ୍ଷା ଆରମ୍ଭ କରି ପରେ କୋଲକାତାର ଅଷ୍ଟାଙ୍ଗ ଆୟୁର୍ବେଦ କଲେଜରୁ LAMS, ବିଶାରଦରତ୍ନ ଏବଂ କାବ୍ୟତୀର୍ଥ ଉପାଧି ଲାଭ କରିଥିଲେ।

 

ଆୟୁର୍ବେଦ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ସେ ଉତ୍କଳ ଆୟୁର୍ବେଦିକ କୋ-ଅପରେଟିଭ ଫାର୍ମାସୀ ଲିମିଟେଡ଼, ଆସିକା, ଉତ୍କଳ କେମିକାଲ କମ୍ପାନୀ, ଉତ୍କଳ କେମିକାଲ ଡିସପେନସାରୀ ଏବଂ କବିରାଜ ଭବନ ପ୍ରତିଷ୍ଠା କରିଥିଲେ। ଏହି ସଂସ୍ଥାଗୁଡ଼ିକ ମାଧ୍ୟମରେ ଓଡ଼ିଶାର କୋଣ ଅନୁକୋଣରେ ଆୟୁର୍ବେଦିକ ଔଷଧ ପହଞ୍ଚାଇବାରେ ସେ ସଫଳ ହୋଇଥିଲେ। ସେ ପ୍ରତିଷ୍ଠା କରିଥିବା ଉତ୍କଳ ଆୟୁର୍ବେଦ ଲାଇବ୍ରେରୀ ଆୟୁର୍ବେଦ ସମ୍ବନ୍ଧୀୟ ଗ୍ରନ୍ଥ ପ୍ରକାଶନର ଏକ ପ୍ରମୁଖ କେନ୍ଦ୍ର ହୋଇଉଠିଥିଲା।

 

ଜଣେ ବିଶିଷ୍ଟ ଆୟୁର୍ବେଦ ବିଶାରଦ ଓ ଲେଖକ ଭାବେ ସେ ଓଡ଼ିଆ ଭାଷାରେ ୫୪ରୁ ଅଧିକ ଆୟୁର୍ବେଦ ଗ୍ରନ୍ଥ ରଚନା ଓ ପ୍ରକାଶ କରିଥିଲେ। ସେଥିମଧ୍ୟରୁ “ଅପୂର୍ବ ଯୋଗରତ୍ନାକର”, “ଅଷ୍ଟାଙ୍ଗ ଆୟୁର୍ବେଦ ଚିକିତ୍ସା” (ସାତ ଭାଗ), “ପୂର୍ବାର୍ଦ୍ଧ ଆୟୁର୍ବେଦ ଚିକିତ୍ସା ସଂଗ୍ରହ”, “ଉତ୍ତରାର୍ଦ୍ଧ ଆୟୁର୍ବେଦ ଚିକିତ୍ସା ସଂଗ୍ରହ”, “ଆୟୁର୍ବେଦ ଚିକିତ୍ସା ସଂଗ୍ରହ ପରିଶିଷ୍ଠ ଭାଗ”, “ସଚିତ୍ର ପାରିବାରିକ ଦ୍ରବ୍ୟଗୁଣ”, “ଚରକ ସଂହିତା”, “ବୈଦ୍ୟ ପଞ୍ଜିକା”, “ବାତରୋଗ ଚିକିତ୍ସା”, “ଜ୍ୱର ଚିକିତ୍ସାର୍ଣ୍ଣବ”, “ଜ୍ୱର ଚିକିତ୍ସା ସଂଗ୍ରହ ପରିଶିଷ୍ଠ ଭାଗ”, “ସ୍ୱପ୍ନଦୋଷ ଚିକିତ୍ସା”, “କୋଷ୍ଠକାଠିନ୍ୟ ଚିକିତ୍ସା” ଏବଂ “ବେଦବାକ୍ୟ” ପରି ଗ୍ରନ୍ଥ ଆଜି ମଧ୍ୟ ଆୟୁର୍ବେଦ କ୍ଷେତ୍ରରେ ଅମୂଲ୍ୟ ସମ୍ପଦ ଭାବେ ପରିଗଣିତ।

 

କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ କେବଳ ଆୟୁର୍ବେଦରେ ସୀମିତ ନଥିଲେ। ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଗ୍ରଣୀ ପୁରୋଧା ଥିଲେ। ଓଡ଼ିଆ କଥାଚିତ୍ରର ପ୍ରଯୋଜନା, ବିତରଣ ଓ ପ୍ରଦର୍ଶନ ପାଇଁ ଗଠିତ ପ୍ରଥମ ସମବାୟ ସଂସ୍ଥା ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନର ସେ ଥିଲେ ସଂସ୍ଥାପକ। ତାଙ୍କ ଉଦ୍ୟମରେ ଓଡ଼ିଶାବାସୀ “ଦସ୍ୟୁ ରତ୍ନାକର”, “ଶ୍ରୀମହାଲକ୍ଷ୍ମୀ ପୂଜା” ଏବଂ “ପରିଣାମ” ପରି କାଳଜୟୀ ଓଡ଼ିଆ ଚଳଚ୍ଚିତ୍ର ଉପହାର ସ୍ୱରୂପ ପାଇଥିଲେ। ଓଡ଼ିଆ ସିନେମାର ବିକାଶରେ ତାଙ୍କର ଏହି ଅବଦାନ ସଦା ସ୍ମରଣୀୟ ହୋଇ ରହିବ।

 

ସେ ଜଣେ ସକ୍ରିୟ ରାଜନେତା ମଧ୍ୟ ଥିଲେ। ୧୯୬୬ ମସିହାରେ ରାଜନୀତିରେ ପ୍ରବେଶ କରି ୧୯୭୧-୭୨ ମସିହାରେ ଓଡ଼ିଶା ବିଧାନସଭାର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ବିଧାୟକ ଭାବେ ସେ ଓଡ଼ିଶାରେ ୧୨ ଲକ୍ଷ ଟଙ୍କା ବ୍ୟୟରେ ଏକ ରାଜ୍ୟସ୍ତରୀୟ ଆୟୁର୍ବେଦ ଫାର୍ମାସୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖିଥିଲେ, ଯାହା ତାଙ୍କର ଦୂରଦର୍ଶିତାର ପରିଚୟ ବହନ କରେ।

 

ତାଙ୍କ ଅସାଧାରଣ ଅବଦାନ ପାଇଁ ସେ ‘ବୈଦ୍ୟ ଶିରୋମଣି’, ‘ଆୟୁର୍ବେଦ ରତ୍ନ’, ‘ଆୟୁର୍ବେଦ ଗୌରବ’, ‘ନୀଳଶୈଳ ପୁରସ୍କାର’ (୧୯୭୪), ‘ଜୟଦେବ ପୁରସ୍କାର’ (୧୯୮୧), ‘ସାନନ୍ଦ ପୁରସ୍କାର’ (୧୯୮୧), ‘ବୈଦ୍ୟକୁଳ ଚନ୍ଦ୍ର’ (୧୯୮୮) ଏବଂ ‘କବିବର ବାସୁଦେବ ମହାପାତ୍ର ସ୍ମୃତି ପୁରସ୍କାର’ (୧୯୯୩) ସମେତ ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

 

୨୦୦୬ ମସିହାରେ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମାଙ୍କ ପରଲୋକ ଘଟିଥିଲା। କିନ୍ତୁ ଆୟୁର୍ବେଦ, ସାହିତ୍ୟ, ଶିକ୍ଷା, ଚଳଚ୍ଚିତ୍ର, ଶିଳ୍ପ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଓଡ଼ିଶା ଇତିହାସରେ ଚିରସ୍ମରଣୀୟ। ଜଣେ ମହାନ ବୈଦ୍ୟ, ଦୂରଦର୍ଶୀ ସଂଗଠକ, ସଫଳ ପ୍ରଯୋଜକ, ପ୍ରଖ୍ୟାତ ଲେଖକ ଓ ଜନନେତା ଭାବେ ସେ ଆଜି ମଧ୍ୟ ଓଡ଼ିଶାବାସୀଙ୍କ ପାଇଁ ପ୍ରେରଣାର ଏକ ଉଜ୍ଜ୍ୱଳ ନକ୍ଷତ୍ର।

You may have missed