August 26, 2026

ତାଲାସିଂ ଗ୍ରାମରେ ବିଧାୟକଙ୍କ ଗସ୍ତ ଲୋକଙ୍କ ଦୁଃଖ ଶୁଣିଲେ, ରାସ୍ତା ଓ ପାନୀୟ ଜଳ ସମସ୍ୟା ସମାଧାନର ପ୍ରତିଶ୍ରୁତି

IMG-20260826-WA0027
Share

 

ପାରଳାଖେମୁଣ୍ଡି (), ଗୁମ୍ମା: ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଦୁଃଖ ଓ ସମସ୍ୟାକୁ ନିକଟରୁ ବୁଝିବା ପାଇଁ ମଙ୍ଗଳବାର ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ପଞ୍ଚାୟତର ତାଲାସିଂ ଗ୍ରାମକୁ ଗସ୍ତ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ। ଗ୍ରାମରେ ପହଞ୍ଚିବା ପରେ ବିଧାୟକଙ୍କୁ ଗ୍ରାମବାସୀ ଆତ୍ମୀୟତାର ସହ ସ୍ୱାଗତ କରିଥିବା ବେଳେ, ବିଧାୟକ ମଧ୍ୟ ସେମାନଙ୍କ ସହ ବସି ସିଧାସଳଖ ସମସ୍ୟା ଶୁଣିଥିଲେ।

ପାହାଡ଼ ଓ ଜଙ୍ଗଲ ଘେରା ଏହି ସୁନ୍ଦର ଗ୍ରାମରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଗ୍ରାମକୁ ଆକର୍ଷଣୀୟ କରିଥିଲେ ମଧ୍ୟ ମୌଳିକ ସୁବିଧାର ଅଭାବ ଗ୍ରାମବାସୀଙ୍କ ଜୀବନକୁ ଅନେକ କଷ୍ଟଦାୟକ କରିଛି। ବିଶେଷକରି ଭଲ ରାସ୍ତା, ପାନୀୟ ଜଳ ଓ ବିଜୁଳି ଭଳି ମୌଳିକ ସମସ୍ୟା ଦୀର୍ଘଦିନ ଧରି ଗ୍ରାମବାସୀଙ୍କୁ ଚିନ୍ତାରେ ପକାଇଛି।

ବର୍ଷାଦିନ ଆସିଲେ ରାସ୍ତାର ଅବସ୍ଥା ଆହୁରି ଦୟନୀୟ ହୋଇପଡ଼େ। କାଦୁଅ ଓ ପାଣି ଯୋଗୁଁ ଯାତାୟାତ କଷ୍ଟକର ହୋଇଥାଏ। ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା ମଧ୍ୟ ଗ୍ରାମବାସୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଏହି ସମସ୍ୟା ସମ୍ପର୍କରେ ବିଧାୟକ ଗ୍ରାମବାସୀଙ୍କଠାରୁ ବିସ୍ତୃତ ଭାବେ ଶୁଣିଥିଲେ।

ପାନୀୟ ଜଳ ସମସ୍ୟା ନେଇ ମଧ୍ୟ ଗ୍ରାମବାସୀ ନିଜର ଦୁଃଖ ବିଧାୟକଙ୍କ ନିକଟରେ ରଖିଥିଲେ। ସମସ୍ୟାକୁ ଗୁରୁତ୍ୱର ସହ ନେଇ ବିଧାୟକ ନିଜ ବିଧାୟକ ପାଣ୍ଠିରୁ ଆବଶ୍ୟକ ସହାୟତା ଯୋଗାଇଦେବା ସହ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ରାସ୍ତା ନିର୍ମାଣ ପାଇଁ ମଧ୍ୟ ସମ୍ପୃକ୍ତ ବିଭାଗ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ସେ ଗ୍ରାମବାସୀଙ୍କୁ ଆଶ୍ୱାସନ ଦେଇଥିଲେ।

ବିଧାୟକଙ୍କ ଏହି ଗସ୍ତ ଗ୍ରାମବାସୀଙ୍କ ମନରେ ଆଶାର ଆଲୋକ ସୃଷ୍ଟି କରିଛି। ଦୀର୍ଘଦିନ ଧରି ନିଜ ସମସ୍ୟା ନେଇ ଚିନ୍ତିତ ଥିବା ଲୋକମାନେ ଜନପ୍ରତିନିଧି ସେମାନଙ୍କ ନିକଟକୁ ଆସି ସମସ୍ୟା ଶୁଣିଥିବାରୁ ଖୁସି ପ୍ରକାଶ କରିଥିଲେ।

ଏଥିସହ ପରିବେଶ ସୁରକ୍ଷା ଉପରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ। ଗ୍ରାମବାସୀଙ୍କୁ ଚାରାଗଛ ଯୋଗାଇଦେଇ ବନାଞ୍ଚଳରେ ଅଧିକରୁ ଅଧିକ ଗଛ ଲଗାଇବାକୁ ସେ ପରାମର୍ଶ ଦେଇଥିଲେ। ପାହାଡ଼ିଆ ଅଞ୍ଚଳରେ ଗଛ ରହିଲେ ମାଟି ଧସିବା ଓ ବର୍ଷାଜନିତ ଅନ୍ୟାନ୍ୟ ସମସ୍ୟାକୁ କିଛି ପରିମାଣରେ ରୋକାଯାଇପାରିବ ବୋଲି ସେ କହିଥିଲେ।

ଏହି ଗସ୍ତ ସମୟରେ ସମିତି ସଭ୍ୟ ବୁଲୁ ରଇତ, କପିଲ, ସିୟୋଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ। ଦୁର୍ଗମ ଅଞ୍ଚଳର ଲୋକଙ୍କ ଦୁଃଖ ବୁଝି ସମାଧାନର ପ୍ରତିଶ୍ରୁତି ଦେଇଥିବା ବିଧାୟକଙ୍କ ଏହି ପଦକ୍ଷେପକୁ ଗ୍ରାମବାସୀ ସ୍ୱାଗତ କରିଛନ୍ତି।

You may have missed