November 12, 2026

ମା ’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ ଓ ପ୍ରଥମ ମହିଳା ହୀରାକୁଦ ଜଳବନ୍ଧ ମଧ୍ୟ ପରିଦର୍ଶନ କଲେ

IMG-20261010-WA0088
Share

 

 

ସମ୍ବଲପୁର, ୧୦. ୧୦: ମହାଳୟା ଅବସରରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି। ଶନିବାର ସମ୍ବଲପୁରସ୍ଥିତ ମା’ଙ୍କ ମନ୍ଦିରରେ ସେମାନେ ପୂଜାର୍ଚ୍ଚନା କରିବା ସହ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ।

 

ମହାଳୟା ଅବସରରେ ମା’ ସମଲେଶ୍ୱରୀଙ୍କୁ ପାରମ୍ପରିକ ଧବଳମୁଖୀ ବେଶରେ ସଜ୍ଜିତ କରାଯାଇଥିଲା। ମା’ଙ୍କ ଏହି ବିଶେଷ ବେଶର ଦର୍ଶନ ପାଇଁ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମନ୍ଦିର ପରିସରରେ ବିଶେଷ ଧାର୍ମିକ ଉତ୍ସାହ ପରିଲକ୍ଷିତ ହୋଇଥିଲା।ପଶ୍ଚିମ ଓଡ଼ିଶାର ଆରାଧ୍ୟା ଦେବୀ ଭାବେ ପରିଚିତ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ମହାଳୟାର ଏକ ବିଶେଷ ଆକର୍ଷଣ। ଏହି ଅବସରରେ ମା’ଙ୍କ ଦର୍ଶନ କରି ରାଜ୍ୟପାଳ ଓ ତାଙ୍କ ପତ୍ନୀ ରାଜ୍ୟବାସୀଙ୍କ କଲ୍ୟାଣ କାମନା କରିଥିଲେ।

 

ଏହା ପୂର୍ବରୁ ରାଜ୍ୟପାଳ ଡ. କମ୍ଭମପାଟି ହୀରାକୁଦ ଜଳବନ୍ଧ ପରିଦର୍ଶନ କରିଥିଲେ। ମହାନଦୀ ଉପରେ ନିର୍ମିତ ଏହି ବିଶାଳ ଜଳବନ୍ଧ ଓ ଏହାର ବିସ୍ତୃତ ଜଳଭଣ୍ଡାରର ସେ ଅନୁଧ୍ୟାନ କରିଥିଲେ।ରାଜ୍ୟପାଳଙ୍କ ଏହି ସମ୍ବଲପୁର ଗସ୍ତ ଅବସରରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ଓ ହୀରାକୁଦ ଜଳବନ୍ଧ ପରିଦର୍ଶନ ଗୁରୁତ୍ୱ ବହନ କରିଥିଲା।

You may have missed