May 14, 2026

ବୁଗୁଡ଼ା ପୋଲିସ ଥାନାରେ “ଜୁଭେଣ୍ଟିକା” କାର୍ଯ୍ୟକ୍ରମ 

IMG-20260508-WA0042
Share

ବୁଗୁଡ଼ା : ତା ୦୮/୦୫/୨୬ : ୟୁନିସେଫର ସହଯୋଗରେ ଓଡିଶା ପୋଲିସ ପକ୍ଷରୁ ସାରା ରାଜ୍ୟର ପୋଲିସ ଥାନାଗୁଡିକରେ ସଚେତନତା କାର୍ଯ୍ୟକ୍ରମ “ଜୁଭେଣ୍ଟିକା” ଆୟୋଜିତ ହୋଇଥିବା ପରିପ୍ରେକ୍ଷୀରେ ବୁଗୁଡା ଥାନା ପକ୍ଷରୁ ସ୍ବପରିସରରେ ମଧ୍ୟ ଏହା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଥାନା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ଚାଇଲ୍ଡ ଓ୍ବେଲଫେର୍ ପୋଲିସ ଅଫିସର ଜ୍ଯୋତିଶ୍ରୀ ସାହୁ, ସିଡିପିଓ ବବିତା କୁମାରୀ ପଣ୍ଡା ଓ ସୁପରଭାଇଜର ଜି.ରଶ୍ମିଙ୍କ ସମେତ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ଏବଂ କିଶୋରୀ ବାଳିକାମାନେ ଉପସ୍ଥିତ ରହିଥିଲେ। ଏ ଅବସରରେ ସାମାଜିକ ଗଣମାଧ୍ୟମର କୁପ୍ରଭାବରୁ ମୁକ୍ତ ରହିବା, ସାଇବର କ୍ରାଇମ ଫାଶରେ ନପଡ଼ିବା, କୌଣସି ସାମାଜିକ ସମସ୍ୟାରେ ସମ୍ମୁଖୀନ ହେଲେ କିଭଳି ଭାବେ ନିର୍ଭୟରେ ପୋଲିସର ସହଯୋଗ ଲୋଡିବା ଆଦି ସମ୍ପର୍କରେ ସଚେତନ କରାଯାଇଥିଲା। ଏଥି ସହ ଭିଡିଓ ମାଧ୍ୟମରେ ଏକ ସଚେତନତାମୂଳକ କ୍ଷୁଦ୍ର କାହାଣୀ ପ୍ରଦର୍ଶିତ ହୋଇଥିଲା। ଅନ୍ଯପକ୍ଷରେ ଥାନାର ପୋଲିସ କର୍ମଚାରୀବୃନ୍ଦ ଉପସ୍ଥିତ ମହିଳାବର୍ଗଙ୍କ ସହିତ ବନ୍ଧୁତ୍ବପୂର୍ଣ୍ଣ ଭାବର ଆଦାନ ପ୍ରଦାନ ସାଙ୍ଗକୁ ସେମାନଙ୍କୁ ନିର୍ଭୀକତାରେ ଥାନା ପରିସର ବୁଲାଇ ଦେଖାଇଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୋଲିସ ଡିଜି ଓ୍ବାଇ.ବି.ଖୁରାନିଆ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ମହିଳା ଏସ୍ଆଇ ଜ୍ଯୋତିଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଏଏସଆଇ ସୁମନ୍ତ କୁମାର ବେହେରା, ବସନ୍ତ କୁମାର ସାହୁ, ଦିପକ ଦଳବେହରା, ମିହିର ଭଞ୍ଜଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।