ଗଜପତି:-ଶ୍ରମିକ ଦିବସରେ ଛତା ବଣ୍ଟନ ସହ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20260501-WA0030
Share

 

ରାଷ୍ଟ୍ର ନିର୍ମାଣର ସର୍ବାଗ୍ରେ ରହୁଥିବା ଶ୍ରମିକମାନଙ୍କ ପାଇଁ ବିଶ୍ୱ ବ୍ୟାପି ପାଳିତ ହେଉଥିବା ଶ୍ରମିକ ଦିବସ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆର.ଏମ.ସି. କାର୍ଯ୍ୟାଳୟରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ପଦାଧିକାରୀଙ୍କ ମିଳିତ ସହଯୋଗରେ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀ ରାଉଳ ନୂତନ ଶ୍ରମ ଆଇନର ଉପକାରିତାର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଦେଇ ସଚେତନ କରାଇଥିଲେ।

ସେହିପରି ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର ଶ୍ରମିକ ମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ବ୍ୟବସ୍ଥା ଓ କ୍ଷତିପୂରଣ ବ୍ୟବସ୍ଥା ଉପରେ ସମସ୍ତଙ୍କୁ ସୂଚନା ଦେବା ସହ ଆଇ:ଜେ:ଏମ୍: ର ଶ୍ରୀ ମାର୍କଣ୍ଡ ମିଶ୍ର ଉଦ୍ଧାର ହୋଇଥିବା ବେଠି ଶ୍ରମିକର ଦୁର୍ଦ୍ଦଶା ତଥା ସରକାରୀ ସହାୟତା ଉପରେ ବିଶେଷ ଆଲୋକପାତ କରିଥିଲେ।

ସେହିପରି ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରଏମ୍ ସି.ର ସେକ୍ରେଟାରୀ ଶ୍ରୀ ରେବତୀ ମୋହନ ରାଉତ , ଟ୍ରାଫିକ ଇନ୍ସପେକ୍ଟର ଶ୍ରୀ ବାଲ୍ମିକୀ ପ୍ରଧାନ , ମୋଟର ଶ୍ରମିକ ସଂଘର ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଏହି ଶ୍ରମିକ ଦିବସ କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଶ୍ରମିକ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ଜିଲ୍ଲା ଖଣି ଅଧିକାରୀ ଶ୍ରୀ ଦିପେନ ପରିଡ଼ାଙ୍କ ସହଯୋଗ କ୍ରମେ ଖରା ଦାଉରୁ ରକ୍ଷା ପାଇବା ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ହାତରେ ଉପସ୍ଥିତ ଜନସାଧାରଣଙ୍କୁ ଛତା ବଣ୍ଟନ କରା ଯାଇଥିଲା।

ଆଜିର ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀଙ୍କ ସହଯୋଗରେ ସଫଳତାର ସହ ଶେଷ ହୋଇଥିଲା ଓ ସର୍ବଶେଷରେ ଏ.ପି.ପି. ଶ୍ରୀ ଏଡ଼ଲା ଶିବ କୁମାର ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————