ମେଡିକାଲ କଲେଜ ସ୍ଥାପନ, ଉପଖଣ୍ଡ ମାନ୍ୟତା ଓ ଭୂ–ବନ୍ଦୋବସ୍ତ ଦାବି ନେଇ ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ……
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ସଂଗ୍ରାମୀ ମଞ୍ଚ ପକ୍ଷରୁ ଉମରକୋଟ ଠାରେ ସରକାରୀ ମେଡିକାଲ କଲେଜ ସ୍ଥାପନ, ଉପଖଣ୍ଡ ମାନ୍ୟତା ପ୍ରଦାନ, ଭୂ–ବନ୍ଦୋବସ୍ତ ସମସ୍ୟାର ସ୍ଥାୟୀ ସମାଧାନ ସହିତ ଅନ୍ୟାନ୍ୟ ଦାବି ନେଇ ଆଜି ଉମରକୋଟ, ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକ ୧୨ ଘଣ୍ଟିଆ ବନ୍ଦର ଆହ୍ୱାନ କରିଥିଲା। ଏହି ବନ୍ଦର ପ୍ରଭାବ ସମଗ୍ର ଅଞ୍ଚଳରେ ଦେଖାଯାଇଥିଲା। ପଥେ ପଥେ ରାସ୍ତା ଅବରୋଧ ଯାତାୟାତ ବନ୍ଦ ହୋଇଯାଇଛି। ଏହାକୁ ଉମରକୋଟ ଓ ଝରିଗାଁ ନିର୍ବାଚନ ମଣ୍ଡଳୀ କଂଗ୍ରେସର ସମର୍ଥନ କରି ଏଥିରେ ସାମିଲ ହୋଇଛି।
ଆଜି ସକାଳୁ ସକାଳୁ ସଂଗ୍ରାମୀ ମଞ୍ଚ ଓ କଂଗ୍ରେସର କର୍ମୀମାନେ ରାସ୍ତା ଅବରୋଧ କରି ସ୍ଲୋଗାନ ଦେଇଥିଲେ। ବସ, ଅଟୋ, ଟ୍ୟାକ୍ସି ସଂପୂର୍ଣ୍ଣ ବନ୍ଦ ରଖା ଯାଇଥିବାରୁ ଯାତ୍ରୀମାନେ ଦିନ ସାରା ସମସ୍ୟା ରେ ପଡ଼ିଥିଲେ। ବଜାର ଓ ବ୍ୟବସାୟୀକ କେନ୍ଦ୍ରଗୁଡ଼ିକ ମଧ୍ୟ ବନ୍ଦର ପ୍ରଭାବରେ ପ୍ରାୟ ଶୂନ୍ୟ ଦେଖାଯାଇଥିଲା। ମୁଖ୍ୟ ଦାବି ମେଡିକାଲ କଲେଜ ଓ ଉପଖଣ୍ଡ ମାନ୍ୟତା ବୋଲି ସଂଗ୍ରାମୀ ମଞ୍ଚର ଆବାହକ ଯୁବନେତା ସନରାଜ ଗଣ୍ଡ ପ୍ରକାଶ କରିଛନ୍ତି।
“ଉମରକୋଟ ଅଞ୍ଚଳ ସ୍ୱାସ୍ଥ୍ୟ ସୁବିଧା ଓ ପ୍ରଶାସନିକ ସେବାରେ ଦୀର୍ଘଦିନ ଧରି ଅବହେଳିତ। ମେଡିକାଲ କଲେଜ ସ୍ଥାପନ ହେଲେ ସମଗ୍ର ଜିଲ୍ଲାର ସ୍ୱାସ୍ଥ୍ୟ ଚିତ୍ର ପରିବର୍ତ୍ତନ ହେବ। ଉପଖଣ୍ଡ ମାନ୍ୟତା ମିଳିଲେ ପ୍ରଶାସନିକ ସୁବିଧା ଗ୍ରାମ ପର୍ଯ୍ୟନ୍ତ ପହଁଚିବ। ଭୂ–ବନ୍ଦୋବସ୍ତ ଅନିୟମ ନେଇ ଦୀର୍ଘ ସମୟ ଧରି ଲୋକେ ହଇରାଣ ହେଉଛନ୍ତି। ଏଥିପାଇଁ ମଞ୍ଚ ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନକରି ପ୍ରଶାସନ ମାଧ୍ୟମରେ ସରକାରଙ୍କୁ ଦାବି ଜଣାଇଛନ୍ତି। ସମଗ୍ର ବନ୍ଦ କ୍ଷେତ୍ରରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖି ପୋଲିସ କଟକଣା ବଢ଼ାଇ ବ୍ୟାପକ ପୋଲିସ ମୁତୟନ କରାଯାଇଛି। କୌଣସି ଅପ୍ରୀତିକର ଘଟଣା ଘଟିନଥିଲା ବେଳେ ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହୋଇଛି। ତେବେ ବନ୍ଦ ଯୋଗୁଁ ଦିନକିଆ ଶ୍ରମିକ, ବ୍ୟବସାୟୀ, ଛାତ୍ରଛାତ୍ରୀ ଅଧିକ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। କିଛି ଲୋକ ମତ ପ୍ରକାଶ କରିଛନ୍ତି—
“ଦାବି ଯଥାର୍ଥ ହୋଇଥିବା ସତ୍ୱେ ମଧ୍ୟ ବନ୍ଦ ଥିବାରୁ ଆମର କାମ ଠପ ହୋଇଯାଉଛି।” ଏହି ବନ୍ଦ ପାଳନରେ କଂଗ୍ରେସର କାଉନ୍ସିଲର ସାଇ ନାରାୟଣ ପାଢି, ଅମୂଲ୍ୟ ପଟ୍ଟନାୟକ,ବାବୁଲା ପଟ୍ଟନାୟକ, କୃଷ୍ଣ ମାଝି, ପର୍ଶୁରାମ ନାୟକ ପ୍ରମୁଖ ସାମିଲ ହୋଇଥିଲେ।
