କଳାହାଣ୍ଡି ବ୍ରହ୍ମଣ ସମାଜ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକି ପତ୍ର ପ୍ରଦାନ
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ବର୍ତ୍ତମାନ ୟୁ.ଜି. ସି ରେଗ୍ୟୁଲେସନ-୨O୨୬ କୁ ନେଇ ସମଗ୍ର ଦେଶରେ ଅଳ୍ପ ସଂଖ୍ୟକ ସାଧାରଣ ବର୍ଗଙ୍କ ମଧ୍ୟରେ ଘୋର ଅସନ୍ତୋଷ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଥିବା ତଥା ଦେଶବ୍ୟାପି ଏହାର ବିରୋଧ କରାଯାଉଥିବାବେଳେ, ଏନେଇ ଗତକାଲି ସନ୍ଧ୍ୟା ୬ ଟା ସମୟରେ କଳାହାଣ୍ଡି ଲେଖକ କଳା ପରିଷଦ ଠାରେ, କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ଏକ ଜରୁରୀକାଳିନ ବୈଠକ କରାଯାଇଥିଲା। ଏହି ବୈଠକରେ ବ୍ରାହ୍ମଣ ସମାଜର ଉପସଭାପତି,ସାଧାରଣ ସମ୍ପାଦକ, ସଂଗଠକ ସମ୍ପାଦକ, ସମ୍ପାଦକ, କୋଷାଧକ୍ଷଙ୍କ ସହ ଅନେକ ସଦସ୍ୟ ଯୋଗ ଦେଇଥିବାବେଳେ, ପର୍ଶୁରାମ ସେନା ସଂଯୋଜକ ତଥା ପ୍ରଜ୍ଞାବାହିନୀ ସଂଯୋଜିକା ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ସର୍ବ ସହମତି କ୍ରମେ ୟୁ.ଜି. ସି ରେଗ୍ୟୁଲେସନ-୨O୨୬ କୁ ସରକାର ତୁରନ୍ତ ପ୍ରତ୍ୟାହାର କରିନେବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ତିଆରି କରାଯାଇ ୧O ତାରିଖ ରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ନେଇ ସ୍ଥିର ହୋଇଥିଲା। ତେଣୁ ଆଜି ଦିବା ୧୧ ଟା ସମୟରେ ବ୍ରହ୍ମଣ ସମାଜ କଳାହାଣ୍ଡି, ପର୍ଶୁରାମ ସେନା ଏବଂ ଭବାନୀପାଟଣା ନଗର କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଶାନ୍ତିପୁର୍ଣ ଭାବରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ପହଞ୍ଚି, ଜିଲ୍ଲାପାଳ ଶ୍ରୀ ସଚିନ ପାୱାରଙ୍କୁ ୟୁ. ଜି. ସି ରେଗ୍ୟୁଲେସନ ପ୍ରତ୍ୟାହାର ନେଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକି ପତ୍ର ପ୍ରଦାନ କରିଥିଲେ।
